ନୂଆଦିଲ୍ଲୀ : ଜାତୀୟ ପ୍ରଶିକ୍ଷକ ସୌମ୍ୟଦୀପ ରୟଙ୍କ ବିରୋଧରେ ମନିକା ବାତ୍ରା ଆଣିଥିବା ଗୁରୁତର ଅଭିଯୋଗ ସଂପର୍କରେ ଆଲୋଚନା କରିବା ପାଇଁ ଭାରତୀୟ ଟେବୁଲ ଟେନିସ୍‌ ସଂଘ (ଟିଟିଏଫ୍‌ଆଇ) ଶନିବାର ତା’ର କାର୍ଯ୍ୟକାରୀ ସମିତି ବୈଠକ ଡାକିଛି। ଟିଟିଏଫ୍‌ଆଇ ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ର ଉତ୍ତରରେ ମନିକାଙ୍କ ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା। ମାର୍ଚ ମାସରେ ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟ ଅବସରରେ ତାଙ୍କୁ ମ୍ୟାଚ୍‌ ହାରିଯିବାକୁ ସୌମ୍ୟଦୀପ ପ୍ରବର୍ତାଇଥିଲେ ବୋଲି ମନିକା ଅଭିଯୋଗ ବାଢ଼ିଥିଲେ। ଏହାପରେ ସଂଘ ମଧ୍ୟ ସୌମ୍ୟଦୀପଙ୍କୁ ଲିଖିତ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଇତି ମଧ୍ୟରେ ସେ ଜବାବ ଦା‌ଖଲ କରିସାରିଛନ୍ତି। ଫଳରେ ଉଭୟ ମନିକା ଓ ସୌମ୍ୟଦୀପଙ୍କ ଜବାବ ବୈଠକରେ ଆଲୋଚନା ହେବା ସାଙ୍ଗକୁ ଏକ ତଦନ୍ତ ସମିତି ମଧ୍ୟ ଗଠନ କରାଯିବ ବୋଲି ସଂଘର ସଂପାଦକ ଅରୁଣ ବାନାର୍ଜୀ ଗୁରୁବାର କହିଛନ୍ତି।

Advertisment

ସୋନିପତ୍‌ରେ ଜାତୀୟ ଶିବିର
ଆଗାମୀ ଦୋହା ଏସୀୟ ପ୍ରତିଯୋଗିତା ସମେତ କିଛି ବଡ଼ ପ୍ରତିଯୋଗିତା ପାଇଁ ଉପଲବ୍‌ଧ ହେବାକୁ ହେଲେ ଖେଳାଳିମାନଙ୍କୁ ସୋନିପତରେ ଚାଲିଥିବା ଜାତୀୟ ଶିବିରରେ ଉପସ୍ଥିତି ରହିବା ବାଧ୍ୟତାମୂଳକ କରାଯାଇଛି। ହେଲେ ମନିକାଙ୍କୁ ଛାଡ଼ି ଅଧିକାଂଶ ଖେଳାଳି ରିପୋର୍ଟ କରିଥିବା ବାନାର୍ଜୀ କହିଛନ୍ତି। ପୋଲାଣ୍ଡରେ ପ୍ରଶିକ୍ଷଣ ନେବାକୁ ଚାହିଁଥିବା ଜି ସାଥୀୟାଁ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ପହଞ୍ଚିବାର ଆଶା ରହିଛି। ସେହିପରି ଶିବିର ଆରମ୍ଭରୁ ରିପୋର୍ଟ କରିପାରିନଥିବା‌ ସୁତୀର୍ଥ ମୁଖାର୍ଜୀ ମଧ୍ୟ ଜ୍ବରରୁ ସୁସ୍ଥ ହେବା ପରେ ପହଞ୍ଚିସାରିଛନ୍ତି। ‌ତେଣୁ ଆଗାମୀ ପ୍ରତିଯୋଗିତା ପୂର୍ବରୁ ମନୋନୟନ ପ୍ରକ୍ରିୟାରେ ସାମିଲ ହେବାକୁ ହେଲେ ଶିବିରରେ ଯୋଗଦେବା ବାଧ୍ୟ ବୋଲି ଟିଟିଏଫ୍‌ଆଇ ସ୍ପଷ୍ଟ କରିଛି।

୨୦୧୮ ଏସୀୟ କ୍ରୀଡ଼ାରୁ ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ନାହାନ୍ତି
ଗତ ୨୦୧୮ ଏସୀୟ କ୍ରୀଡ଼ା ପରଠାରୁ ଟିଟିଏଫ୍‌ଆଇ ପାଖରେ ଜଣେ ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ନାହାନ୍ତି। କୋଭିଡ୍‌ ମହାମାରୀ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରାୟ ୩ ବର୍ଷରୁ ଅଧିକ ସମୟ ହେଲା ସଂଘ ମଧ୍ୟ ଜଣେ ବିଦେଶୀ ପ୍ରଶିକ୍ଷକ ଯୋଗାଡ଼ କରିବାରେ ବିଫଳ ହୋଇଛି। ତଥାପି ଖୁବ୍‌ ଶୀଘ୍ର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ କରିବୁ ବୋଲି କହିଛନ୍ତି ବାନାର୍ଜୀ। ପୂର୍ବତନ ସ୍ପାନିସ୍‌ ଖେଳାଳି ଅଲ୍‌ଫ୍ରେଡୋ କାର୍ନେରୋସ୍‌ ଏକ୍ଷେତ୍ରରେ ଅନ୍ୟତମ ପ୍ରାର୍ଥୀ ରହିଛନ୍ତି। ଯାହାଙ୍କୁ କି ଭାରତର ପୁରୁଖା ଖେଳାଳି ଶରତ କମଲ ୨୦୦୮ ବେଜିଂ ଅଲିମ୍ପିକ୍ସରେ ପରାସ୍ତ କରିଥିଲେ।