ଓଡ଼ିଶା କ୍ରୀଡ଼ାରେ ତୁଳସୀ ମହକ: ଖେଳାଳି ୧, ଖେଳ ୩

ଭୁବନେଶ୍ୱର: ଗୋଟିଏ କିମ୍ବା ଦୁଇଟି ନୁହେଁ ତିନି ତିନିଟି ଖେଳରେ ନିଜ ଯାଦୁ ଦେଖାଇ ଚାଲିଛନ୍ତି ଢେଙ୍କାନାଳ ଝିଅ ତୁଳସୀ ବେହେରା। ସିପକଟାକ୍ରରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ତୁଳସୀ ଏବେ ଫୁଟ୍‌ଭଲି ଏବଂ ଫୁଟ୍‌ବଲ୍‌ ଟେନିସ୍‌ ଭଳି ନବାଗତ ଖେଳରେ ମଧ୍ୟ ବେଶ୍‌ ସକ୍ରିୟ। କେରଳର କୋଝିକୋଡ଼ଠାରେ ଆୟୋଜିତ ଜାତୀୟ ବରିଷ୍ଠ ମହିଳା ଫୁଟ୍‌ଭଲି ପ୍ରତିଯୋଗିତାରେ ବିଜେତା ହୋଇଥିବା ଓଡ଼ିଶା ଦଳର ସେ ଥିଲେ ଅନ୍ୟତମ ସଦସ୍ୟା। ଗତମାସରେ ଆୟୋଜିତ ଏହି ପ୍ରତିଯୋଗିତାରେ ତୁଳସୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଲାଭ କରିଥିଲେ। ସେହିଭଳି ସିପକଟାକ୍ରର ବିଭିନ୍ନ ବର୍ଗରେ ୧୫ ଥର ଜାତୀୟ ପ୍ରତିଯୋଗିତା ଖେଳିବା ସହ ଫୁଟ୍‌ଭଲିି ଓ ଫୁଟ୍‌ବଲ୍‌ ଟେନିସର ମଧ୍ୟ ସେ ଜଣେ ଦକ୍ଷ ଜାତୀୟ ସ୍ତରୀୟ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଗତବର୍ଷ ଭାରତୀୟ ଦଳରେ ସ୍ଥାନ ପାଇ କଲମ୍ବୋରେ ଆୟୋଜିତ ଦକ୍ଷିଣ ଏସୀୟ ସିପକଟାକ୍ର ପ୍ରତିଯୋଗିତା ଖେଳିଥିବା ତୁଳସୀ ମଧ୍ୟ କିଛି ଦିନ ଖୋଖୋ ଖେଳୁଥିଲେ। ବହୁମୁଖୀ ପ୍ରତିଭାର ଅଧିକାରିଣୀ ତୁଳସୀଙ୍କ ମହକ ଧିରେଧିରେ ଓଡ଼ିଶା କ୍ରୀଡ଼ାରେ ବ୍ୟାପ୍ତ ହେଉଥିଲା ବେଳେ କଠିନ ପରିଶ୍ରମ ଏବଂ ଏକାଗ୍ରତା ବଳରେ ସେ ନିଜ ନାଁକୁ ସାର୍ଥକ କରି ପାରିଛନ୍ତି। ପିଲାଟି ବେଳୁ ଖେଳ ଓ ଖେଳାଳିଙ୍କ ପ୍ରତି ଅଧିକ ଆକର୍ଷିତ ଥିଲେ ତୁଳସୀ । ୨୦୧୨ ମସିହାରେ ହାଇସ୍କୁଲରେ ପଢ଼ିଲା ବେଳେ କ୍ରୀଡ଼ା ଶିକ୍ଷକ ଜୟନ୍ତ ବେହେରାଙ୍କ ପ୍ରେରଣାରେ ସିପକଟାକ୍ର ଖେଳରେ ପାଦ ଥାପିଥିଲେ ସେ । କଟକରେ ଆୟୋଜିତ ଚୟନ ଶିବିରରେ ଭଲ କରି ସେହିବର୍ଷ ଅନ୍ତଃଜିଲ୍ଲା ସିପକଟାକ୍ର ପ୍ରତିଯୋଗିତା ଖେଳିବାର ସୁଯୋଗ ପାଇଥିଲେ ତୁଳସୀ। ଏହିଠାରୁ ହିଁ ତାଙ୍କ କ୍ରୀଡ଼ା ଜୀବନ ଅଧିକ ଗତିଶୀଳ ହୋଇଥିଲା। ସେହିବର୍ଷ ଚଣ୍ଡିଗଡରେ ଅନୁଷ୍ଠିତ ଜାତୀୟ ଉପ କନିଷ୍ଠ ସିପକଟାକ୍ରରେ ସେ ଓଡ଼ିଶା ଦଳର ଉପଅଧିନାୟିକା ଥିଲେ। ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ୨୦୧୩ରୁ ସେ ଅନ୍ତଃଜିଲ୍ଲା ସିପକଟାକ୍ରରେ କଟକ ଜିଲ୍ଲାର ପ୍ରତିନିଧିତ୍ୱ କରି ଅଧିକ ସଫଳତା ସାଉଣ୍ଟିଥିଲେ। ୨୦୧୪ରେ ତୁଳସୀ ପ୍ରଥମ ଥର ପାଇଁ ଓଡ଼ିଶା ବାଳିକା ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲେ। ପାଟନାଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ତାଙ୍କ ନେତୃତ୍ୱରେ ଓଡ଼ିଶା ରେଗୁ ଏବଂ ଦଳଗତ ବର୍ଗରେ ଉପ ବିଜେତା ହୋଇଥିଲା। ୨୦୧୫ରେ ତାଙ୍କ ନେତୃତ୍ୱରେ ହିଁ ଓଡ଼ିଶା ବାଳିକା ଦଳ ଜାତୀୟ ବିଜେତା ହୋଇ ପାରିଥିଲା। ଚାରିଟି ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରେ ୨୦୧୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ବାଳିକା ସିପକଟାକ୍ରରେ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ୨୦୧୬ରେ ବରିଷ୍ଠ ବର୍ଗରେ ଖେଳିବା ଆରମ୍ଭ କରିଥିଲେ ତୁଳସୀ। ସେହିବର୍ଷ ଗୋଆରେ ଆୟୋଜିତ ୨୬ତମ ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ଉପବିଜେତା ହୋଇଥିବା ଓଡ଼ିଶା ମହିଳା ଦଳର ସେ ଅନ୍ୟତମ ସଦସ୍ୟା ଥିଲେ। ଏହି ପ୍ରତିଯୋଗିତାରେ ସଫଳତା ଆଧାରରେ ୨୦୧୭ରେ ତାଙ୍କୁ ନିଜ ଖେଳ ଜୀବନର ସବୁଠାରୁ ବଡ଼ ଡାକରା ମିଳିଥିଲା। କଲମ୍ବୋରେ ଆୟୋଜିତ ଦକ୍ଷିଣ ଏସୀୟ ସିପକଟାକ୍ର ପ୍ରତିଯୋଗିତା ଲାଗି ତୁଳସୀକୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଭାରତ ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିଲା।

ସିପକଟାକ୍ର ସହ ଫୁଟ୍‌ବଲ୍‌ ଟେନିସ୍‌ ଏବଂ ଫୁଟ୍‌ଭଲିର ସାମଞ୍ଜସ୍ୟ ଥିବାରୁ ଏହା ହିଁ ତୁଳସୀକୁ ଅଧିକ ସହାୟତା କରୁଛି। ଉଭୟ ଫୁଟବଲ୍‌ ଟେନିସ ଓ ଫୁଟଭଲିରେ ମଧ୍ୟ ସେ ଅନ୍ତର୍ଜାତୀୟ ପଦାର୍ପଣର ଲକ୍ଷ୍ୟ ରଖିଛନ୍ତି। ତୁଳସୀ ମଧ୍ୟ ଏବେ ଓଡ଼ିଶା ମହିଳା ଫୁଟବଲ୍‌ ଟେନିସ୍‌ ଦଳର ଅଧିନାୟିକା ଅଛନ୍ତି। ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ କଳାରେ ଯୁକ୍ତ ଦୁଇ ପଢ଼ୁଥିବା ତୁଳସୀ ହେଉଛନ୍ତି ଢେଙ୍କାନାଳ ଲକ୍ଷ୍ମୀବଜାର ବାସିନ୍ଦା କବିତ କୁମାର ବେହେରା ଓ ଚାଇନା ବେହେରାଙ୍କ ଝିଅ। ୧୯୯୯ ମସିହା ମେ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ତୁଳସୀଙ୍କୁ ରାଜ୍ୟ ସିପକଟାକ୍ରର ଅନ୍ୟତମ ଉଜ୍ଜ୍ୱଳ ତାରକା କହିଲେ ଅତ୍ୟୁକ୍ତି ହେବ ନାହିଁ। ସିପକଟାକ୍ରକୁ ସ୍ୱୀକୃତି ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଫୁଟ୍‌ଭଲି ଏବଂ ଫୁଟବଲ୍‌ ଟେନିସ୍‌ ଭଳି ଖେଳକୁ ମଧ୍ୟ ସ୍ୱୀକୃତି ଦେବାକୁ ଆହ୍ଵାନ କରିଛନ୍ତି। ୪ ଭାଇ ଭଉଣୀଙ୍କ ଗହଣରେ ବଢ଼ିଥିବା ତୁଳସୀଙ୍କ ପିତା କବିତ ଢେଙ୍କାନାଳ ମ୍ୟୁନିସିପାଲଟିରେ ଡ୍ରାଇଭର କାର୍ଯ୍ୟ କରନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇ ନଥିବାରୁ ଭଲ କର୍ମସଂସ୍ଥାନ ମିଳିଲେ ତାଙ୍କ ଖେଳ ଜୀବନ ଆହୁରି ପ୍ରଷ୍ପୁଟିତ ହୁଅନ୍ତା। ଚାକିରି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଖେଳକୁ ସବୁବେଳେ ଅଗ୍ରାଧିକାର ଦେବି। କୌଣସି ପରିସ୍ଥିତିରେ ଖେଳିବା ଛାଡ଼ିନାହିଁ ବୋଲି ତୁଳସୀ କହିଛନ୍ତି। ସେ ନିଜ ସଫଳତାର ଶ୍ରେୟ ବାପା-ମା’ ଏବଂ ପ୍ରଶିକ୍ଷକମାନଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର