ଭାର୍‌ ପାଇଁ ପଏଣ୍ଟ୍‌ ପାଇଲା ଟ୍ୟୁନିସିଆ

ଦୋହା: ଫିଫା ବିଶ୍ବକପ୍‌ରେ ମଙ୍ଗଳବାର ଡେନ୍‌ମାର୍କ ଓ ଟ୍ୟୁନିସିଆ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ‌ହୋଇଛି। ଅଲ୍‌ ରାୟନ୍‌ର ଏଜୁକେସନ୍‌ ସିଟି ଷ୍ଟାଡିୟମ୍‌ରେ ଅନୁଷ୍ଠିତ କଷ୍ଟସାଧ୍ୟ ଗ୍ରୁପ୍‌ ଡି’ର ଏହି ପ୍ରଥମ ମ୍ୟାଚ୍‌ରେ ଟ୍ୟୁନିସିଆ ଏକାଦଶରେ ନାମୀ ଖେଳାଳି ହନିବାଲ୍‌ ମେଜବ୍ରି‌ଙ୍କୁ ସ୍ଥାନ ମିଳିନଥିଲା। ତଥାପି ଦଳ ଆରମ୍ଭରୁ ଡେନମାର୍କ ସହିତ ଭଲ ଲଢେଇ କରିଥିଲା। ୮୦ ତମ ମିନିଟ୍‌ରେ ମେଜବ୍ରି ବଦଳ ଖେଳାଳି ଭାବେ ଏମ୍‌ସାକନିଙ୍କ ସ୍ଥାନରେ ପଡ଼ିଆକୁ ଆସିଥିଲେ। ହେଲେ ସେଭଳି କିଛି ଫରକ ଆଣିପାରିନଥିଲେ। ମ୍ୟାଚ୍‌ରେ ଡେନମାର୍କ ଫେଭରିଟ୍‌ ଥିଲେ ବି ଏହାର ସବୁ ପ୍ରୟାସକୁ ଟ୍ୟୁନିସିଆ ଡିଫେଣ୍ଡର ନିଷ୍ଫଳ କରିଦେଇଥିଲେ। ଦ୍ବିତୀୟାର୍ଦ୍ଧରେ ୬୫ ମିନିଟ୍‌ରେ ଡେନ୍‌ମାର୍କ ତିନିଟି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଥିଲା। ଜେନସେନ୍‌, କର୍ଣ୍ଣେଲିୟସ୍‌, ଲିଣ୍ଡଷ୍ଟ୍ରୋମ୍‌ ପଡ଼ିଆକୁ ଏକାସାଙ୍ଗରେ ଆସିଥିଲେ ସୁଦ୍ଧା ଏମାନେ ବି କିଛି ବଡ଼ ଫରକ ପକାଇପାରିନଥିଲେ। ଶେଷ ମିନିଟ୍‌ର ଇଞ୍ଜୁରି ସମୟ (୯୦+୪)ରେ ଏରିକ୍‌ସନ୍‌ଙ୍କ ହ୍ୟାଣ୍ଡବଲ୍‌ ଆବେଦନ ଯୋଗୁଁ ପେନାଲ୍ଟି ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ମାଧ୍ୟମରେ ଏହା ନାକଚ ହୋଇଯିବାରୁ ଟ୍ୟୁନିସିଆ ପରାଜୟରୁ ବର୍ତ୍ତି ଗୋଟିଏ ପଏଣ୍ଟ ସହ ଆଶ୍ବସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର