ବକୁ: ଚଳିତ ୟୁରୋ ୨୦୨୦ରେ ତୁର୍କି ପୁଣି ପରାଜୟ ବରଣ କରିଛି। ପ୍ରତିଯୋଗିତା ଆରମ୍ଭରୁ ଡାର୍କ ହର୍ସ ଭାବେ ଗଣାଯାଉଥିବା ତୁର୍କି ନିଜର ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ଇଟାଲିଠୁ ୩-୦ ଗୋଲ୍ରେ ହାରିଥିଲା। ବୁଧବାର ୱେଲ୍ସ ନିକଟରୁ ୨-୦ ଗୋଲ୍ ବ୍ୟବଧାନରେ ପରାସ୍ତ ହୋଇଛି। ଫଳରେ ତୁର୍କି କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରି ସଂକଟରେ ପଡ଼ିଯାଇଛି।
ଅନ୍ୟପକ୍ଷରେ ୨୦୧୬ ୟୁରୋ ପଦାର୍ପଣରେ ସେମିଫାଇନାଲ୍ରେ ପହଞ୍ଚିଥିବା ୱେଲ୍ସ ପ୍ରଥମାର୍ଦ୍ଧରେ ହିଁ ଆଗୁଆ ରହିଥିଲା। ଗାରେଥ ବେଲ୍ଙ୍କ ସହଯୋଗରେ ଆରୋନ ରମ୍ସେ (୪୩ ମିନିଟ୍) ଗୋଲ୍ ଦେଇ ୱେଲ୍ସକୁ ପ୍ରାରମ୍ଭିକ ଅଗ୍ରଣୀ କରାଇଥିଲେ। ଏହାପରେ ୯୦+୫ ମିନିଟ୍ରେ କନୋର ରୋବର୍ଟସ ଦଳ ପାଇଁ ଦ୍ବିତୀୟ ଗୋଲ୍ଟି କରିଥିଲେ। ଫଳରେ ନିଜର ପ୍ରଥମ ମ୍ୟାଚ୍ରେ ସ୍ବିଜରଲାଣ୍ଡ ସହ ଅମୀମାଂସିତ ରଖିଥିବା ୱେଲ୍ସ ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇଛି। ଏହି ମ୍ୟାଚ୍ରୁ ୩ ପଏଣ୍ଟ୍ ପାଇଥିବା ୱେଲ୍ସ ମୋଟ ୪ ପଏଣ୍ଟ୍ ସହ ଗ୍ରୁପ୍ ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି। ତୁର୍କି ଟେବୁଲର ଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୦୦୮ରେ ସେମିଫାଇନାଲ୍ରେ ପହଞ୍ଚିବା ତୁର୍କିର ୟୁରୋ କପ୍ର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ଫିନ୍ଲାଣ୍ଡକୁ ହରାଇଲା ରୁଷିଆ
ସେଣ୍ଟ୍ ପିଟର୍ସବର୍ଗ: ଚଳିତ ୟୁରୋ କପ୍ରେ ରୁଷିଆ ବୁଧବାର ପ୍ରଥମ ବିଜୟ ପାଇଛି। ବେଲ୍ଜିୟମଠୁ ନିଜର ପ୍ରଥମ ମ୍ୟାଚ୍ ହାରିଥିବା ରୁଷିଆ ଦ୍ବିତୀୟ ମ୍ୟାଚ୍ରେ ୧-୦ ଗୋଲ୍ରେ ଫିନ୍ଲାଣ୍ଡକୁ ପରାସ୍ତ କରି ପୂରା ୩ ପଏଣ୍ଟ ପକେଟସ୍ଥ କରିଛି। ଏହି ବିଜୟ ସହ ରୁଷିଆ ଗ୍ରୁପ୍ ବି’ର ଦ୍ବିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଫିନ୍ଲାଣ୍ଡ ତୃତୀୟକୁ ଖସିଯାଇଛି। ରୁଷିଆର ଗାଜପ୍ରୋମ ଏରିନାରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧର ଶେଷ ମିନିଟ୍ରେ ଘରୋଇ ଦଳ ଗୋଲ୍ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦଳ ପକ୍ଷରୁ ଏହି ଏକମାତ୍ର ଗୋଲ୍ଟି ଆଲେକ୍ସେଇ ମିରାନ୍ଚୁକ୍ (୪୫+୨ ମିନିଟ୍) ଦେଇଥିଲେ। ଦ୍ବିତୀୟାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଫଳରେ ରୁଷିଆ ଘରୋଇ ପଡ଼ିଆରେ ବିଜୟ ବାନା ଉଡ଼ାଇଥିଲା।
ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ୍ରେ ଜିତିଲା ଫ୍ରାନ୍ସ
ମୁନିକ୍: ଚଳିତ ୟୁରୋ କପ୍ର ବୁଧବାର ମ୍ୟାଚ୍ରେ ଜର୍ମାନିର ମ୍ୟାଟ୍ସ ହୁମେଲ୍ସଙ୍କ ଗୋଲ୍ ଉପହାରରେ ଫ୍ରାନ୍ସ ବିଜୟୀ ହୋଇ ପୂରା ପଏଣ୍ଟ କରାୟତ୍ତ କରିଛି। ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ୍ ବଳରେ ବିଶ୍ବ ବିଜେତା ଫ୍ରାନ୍ସ ୧-୦ ଗୋଲ୍ରେ ଜର୍ମାନିକୁ ମାତ୍ ଦେଇଥିଲା। ଏଥିସହ ଆୟୋଜକ ଜର୍ମାନି ଏହି ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ପ୍ରାରମ୍ଭିକ ମ୍ୟାଚ୍ ହାରିବାର ଅଲୋଡ଼ା ଯଶ ମୁଣ୍ଡାଇଥିଲା।
ମ୍ୟାଚ୍ର ୨୦ତମ ମିନିଟ୍ରେ ମିଡ୍ଫିଲ୍ଡର ପଲ୍ ପୋଗ୍ବାଙ୍କ ଏକ ସୁନ୍ଦର ପାସ୍କୁ ଲୁକାସ ହର୍ନାନ୍ଦେଜ ଗୋଲ୍ ଦେବାକୁ ଚେଷ୍ଟା କରୁଥିଲେ। ହେଲେ ଜର୍ମାନିର ଡିଫେଣ୍ଡର ହୁମେଲ୍ସ ଏହାକୁ ଅଟକାଇବାକୁ ଚେଷ୍ଟା କରୁକରୁ ବଲ୍ ନିଜ ଗୋଲ୍ ପୋଷ୍ଟ୍ ମଧ୍ୟରେ ପଶିଯାଇଥିଲା। ଏହି ଗୋଲ୍ ବଳରେ ଫ୍ରାନ୍ସ ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିଥିଲା। ଜର୍ମାନି କୀର୍ତ୍ତିମାନ ଭରା ନିଜର ୫୦ତମ ମ୍ୟାଚ୍ରେ ଭଲ ଖେଳିଥିଲା। ପୋଗ୍ବା ଏବଂ କିଲିଆନ୍ ଏମ୍ବାପେଙ୍କ ଦୁଇ ଦୁଇଟି ଗୋଲ୍ ସୁଯୋଗକୁ ବିଫଳ କରିଥିଲା। ହେଲେ ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ୍ ହି ଦଳ ପରାଜୟର ପ୍ରମୁଖ ଭୂମିକା ନେଇଥିଲା।
ହୁମେଲ୍ସ ଦୁଇ ବର୍ଷ ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ଏହି ପ୍ରତିଯୋଗିତାକୁ ଫେରିଥିଲେ। ୨୦୧୮ ବିଶ୍ବକପ୍ର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବା ପରେ ଜର୍ମାନି ଘରୋଇ ଦର୍ଶକଙ୍କ ସମ୍ମୁଖରେ ବିଜୟ ପାଇବା ଆଶା ରଖିଥିଲା। ହେଲେ ଏହା ହୋଇପାରିନଥିଲା। ଅନ୍ୟପକ୍ଷରେ ନିଜର ଶେଷ ୧୭ ମ୍ୟାଚ୍ରେ ଅପରାଜିତ ଥିବା ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରି ପ୍ରମୁଖ ଟ୍ରଫି ଦାବିଦାର ହୋଇଛି।