ଏଣିକି ଟିଭି ଅମ୍ପାୟାର ନେବେ ଆଗ ପାଦ ନୋ’ ବଲ୍ ନିଷ୍ପତ୍ତି

ଦୁବାଇ : ଏଣିକି ବୋଲର ବଲ୍ ପକାଇଲା ବେଳକୁ, ସେମାନଙ୍କ ଆଗପାଦ କ୍ରିଜ୍ ବାହାରେ ଥିବା ନେଇ ଦିଆଯାଉଥିବା ନୋ’ ବଲ୍ ନିଷ୍ପତ୍ତି ଟିଭି ଅମ୍ପାୟାର ନେବେ। ଖୁବଶୀଘ୍ର ଆଇସିସି ସେମାନଙ୍କୁ ଏହି ଅଧିକାର ପ୍ରଦାନ କରିବ। ଆଇସିସି ମହାପ୍ରବନ୍ଧକ ଜେଫ୍ ଅଲାରଡାଇସ୍ ବୁଧବାର ଏହା କହିଛନ୍ତି। ବୋଲର ବଲ୍ ପକାଇବାର କିଛି ସେକେଣ୍ଡ ଭିତରେ ଟିଭି ଅମ୍ପାୟାରଙ୍କୁ ଏହାର ଭିଡିଓ ଚିତ୍ର ମିଳି ଯାଉଛି। ଯଦି ବୋଲର ନୋ’ ବଲ୍ ପକାନ୍ତି ଏବଂ ପଡ଼ିଆ ଅମ୍ପାୟାର ଏହାକୁ ଧରି ନପାରନ୍ତି, ତାହାଲେ ଟିଭି ଅମ୍ପାୟାର ଏଥିରେ ହସ୍ତକ୍ଷେପ କରି ବଲ୍‌ଟିକୁ ଅବୈଧ ଘୋ‌ଷଣା କରି ପାରିବେ। ଏହା ଦ୍ବାରା ପଡ଼ିଆ ଅମ୍ପାୟାରମାନେ ସମ୍ମୁଖୀନ ହେଉଥିବା ସମସ୍ୟାର କିଛିଟା ସମାଧାନ ହୋଇ ପାରିବ ବୋଲି ଆଲାରଡାଇସ୍ କହିଛନ୍ତି। ଏହି ବ୍ୟବସ୍ଥା ୨୦୧୬ ମସିହାରେ ପରକ୍ଷାମୂଳକ ଭାବେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏକ ଦିନିକିଆ ଶୃଙ୍ଖଳା ଅବସରରେ ଉପଯୋଗ କରାଯାଇଥିଲା। ଏବେ ଆଇସିସି ଏହାକୁ ସମସ୍ତ ଶୃଙ୍ଖଳାରେ ଲାଗୁ କରିବାକୁ ଚିନ୍ତା କରୁଛି। ହେଲେ କେଉଁ ଶୃଙ୍ଖଳାଠାରୁ ଏହାର ଉପଯୋଗ ଆରମ୍ଭ କରାଯିବ, ସେ ବିଷୟରେ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର