ଟ୍ବେଣ୍ଟି-୨୦ ଶୃଙ୍ଖଳା ୧୮ରୁ: ନ୍ୟୁଜିଲାଣ୍ଡ୍‌ରେ ପାଣ୍ଡ୍ୟା ସେନାଙ୍କ ଅଭ୍ୟାସ

ଟ୍ବେଣ୍ଟି-୨୦ ଶୃଙ୍ଖଳା ଟ୍ରଫି ଉନ୍ମୋଚିତ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ୍‌ରେ ନୂଆ ଆରମ୍ଭର ଲକ୍ଷ୍ୟ ନେଇ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୱେଲିଂଟନ୍‌ରେ ଆସନ୍ତା ଶୁକ୍ରବାରଠୁ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଏକାଠି ହୋଇଛନ୍ତି। ଭାରତୀୟ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିଛି। ପରବର୍ତୀ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ଅଧିକ ଗୁରୁତ୍ବ ଦେଇଛି ଭାରତ। ଆମେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରୁ ହିଁ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ରଣନୀତି ପ୍ରସ୍ତୁତି କରିବୁ ବୋଲି ପାଣ୍ଡ୍ୟା କହିଛନ୍ତି। ଏହି ଦୁଇ ବର୍ଷ ଆମକୁ ପୂରାଦମ୍‌ରେ ପ୍ରସ୍ତୁତ ହେବାକୁ ସୁଯୋଗ ରଖିବ। ଟ୍ବେଣ୍ଟି-୨୦ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ମଧ୍ୟ ଭାରତ ପାଇଁ ଗୁରୁତ୍ବ ବହନ କରିବ। ଏଥର ନିୟମିତ ଅଧିନାୟକ ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି, ଦୀନେଶ କାର୍ତିକ, ମହମ୍ମଦ ସାମି, ଯଶ୍‌ପ୍ରୀତ୍‌ ବୁମ୍‌ରା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଛି।

ନିକଟରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ହାରି ବିଦାୟ ନେବା ପରେ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଶୃଙ୍ଖଳା ହେବ। ଫଳରେ ପାଣ୍ଡ୍ୟା ଏକ ଯୁବ ଦଳର ନେତୃତ୍ବ ନେଇ ନ୍ୟୁଜିଲାଣ୍ଡ୍‌ରେ ନୂଆ ଆରମ୍ଭ କରିବାର ସୁଯୋଗ ପାଇଛନ୍ତି। ତେଣୁ ଜାତୀୟ ଦଳକୁ ପ୍ରବେଶ କରିବାକୁ ହେଲେ ଯୁବ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏପରିସ୍ଥଳେ ଅଭିଜ୍ଞ କେନ୍‌ ୱିଲିୟମ୍‌ସନ୍‌ଙ୍କ ନ୍ୟୁଜିଲାଣ୍ଡ ଦଳ ଆଗରେ ଭାରତୀୟ ଖେଳାଳିଙ୍କୁ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ହେଲେ ଏକ ଯୁବ ଦଳକୁ ଆଗକୁ ବଢ଼ାଇନେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ହାର୍ଦିକ୍‌ ପାଣ୍ଡ୍ୟା କହିଛନ୍ତି।

ପ୍ରତି ଶୃଙ୍ଖଳା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ତୁମେ ଯଦି ଗୁରୁତ୍ବ ନଦେବ ତାହାଲେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିପାରିବନି। ପାଣ୍ଡ୍ୟାଙ୍କ କହିବା କଥା, ଯଦିଓ ପ୍ରମୁଖ ଖେଳାଳିମାନେ ଏହି ଗସ୍ତରେ ନାହାନ୍ତି, ତଥାପି ଯେଉଁମାନେ ଅଛନ୍ତି ସେମାନେ ଭାରତ ପାଇଁ ଅତିକମ୍‌ରେ ଦେଢ଼ରୁ ଦୁଇ ବର୍ଷ ଧରି ଆନ୍ତର୍ଜାତିକସ୍ତରରେ ଖେଳିସାରିଛନ୍ତି। ଏହାସତ୍ତ୍ବେ ନୂଆ ଦଳ, ନୂଆ ଖେଳାଳି ଏବଂ ମ୍ୟାଚ୍‌ ଖେଳିବାର ଅତ୍ୟଧିକ ବ୍ୟାକୁଳତା ଆମର ଶକ୍ତି ବଢ଼ାଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ରୋମାଞ୍ଚକର ମୁକାବିଲା ଦର୍ଶକଙ୍କୁ ଭେଟିଦେବୁ ବୋଲି ପାଣ୍ଡ୍ୟା କହିଛନ୍ତି। ଶୁକ୍ରବାର ‌ୱେଲିଂଟନ୍‌ରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳାଯିବା ପରେ ୨୦ ତାରିଖରେ ତୌରଙ୍ଗାର ମାଉଣ୍ଟ ମଙ୍ଗନୁଇରେ ଦ୍ବିତୀୟ ଏବଂ ୨୨ରେ ନାପିଅର୍‌ରେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ହାର୍ଦିକ୍‌ ପାଣ୍ଡ୍ୟା (ଅଧିନାୟକ), ଶୁବମନ ଗିଲ୍‌, ଈଶାନ କିଶନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ୍‌ (ଉପଅଧିନାୟକ/ୱିକେଟ୍‌ରକ୍ଷକ), ସଞ୍ଜୁ ସାମ୍‌ସନ (ୱିକେଟ୍‌ରକ୍ଷକ), ୱାସିଂଟନ୍‌ ସୁନ୍ଦର, ୟୁଝ୍‌ବେନ୍ଦ୍ର ଚହଲ, କୁଲ୍‌ଦୀପ ଯାଦବ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର ଓ ଉମ୍ରାନ୍‌ ମଲ୍ଲିକ।

ଟ୍ବେଣ୍ଟି-୨୦ ଶୃଙ୍ଖଳା ଟ୍ରଫି ଉନ୍ମୋଚିତ
ଆସନ୍ତା ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ବୁଧବାର ଟ୍ରଫି ଉନ୍ମୋଚିତ ହୋଇଛି। ଦୁଇ ଦଳର ଅଧିନାୟକ ହାର୍ଦିକ୍‌ ପାଣ୍ଡ୍ୟା ଏବଂ କେନ୍‌ ୱିଲିୟମ୍‌ସନ ଶୃଙ୍ଖଳା ଟ୍ରଫିକୁ ଉନ୍ମୋଚିତ କରିବା ପରେ ପଡ଼ିଆରେ ଏକ କ୍ରୋକୋଡାଇଲ ବାଇକ୍‌ରେ ବସି ବୁଲିଥିଲେ। ଏନେଇ ଏକ ଭିଡିଓ ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ତା’ର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡଲରେ ପୋଷ୍ଟ କରିଛି। ଦୁଇ ଅଧିନାୟକ ମଧ୍ୟ ପରସ୍ପର ସହ ମଧୁର ବାର୍ତାଳାପ କରୁଥିବ‌ା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଦ୍ରୁତ ଗତିରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ଅନ୍ୟପକ୍ଷରେ ଶୃଙ୍ଖଳା ଟ୍ରଫି ଉନ୍ମୋଚନ ଉତ୍ସବର କିଛି ଫଟୋ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଟ୍ବିଟ୍‌ କରିଥିଲା।

ସମ୍ବନ୍ଧିତ ଖବର