ଗ୍ବାଲିୟର: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍‌କୁ ନେଇ ଚିନ୍ତା ଘାରିଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ର ନୂଆ ପିଚ୍‌ ଧିମା ରହିବା ଆଶଙ୍କା ଅଛି। ତେଣୁ ପିଚ୍‌ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ ଯାଉଛି। ବାଂଲାଦେଶ ମଧ୍ୟମକ୍ରମ ବ୍ୟାଟର୍‌ ତୋହିଦ ହୃଦୟ ମଧ୍ୟ ଏହି ବିଷୟକୁ ସ୍ବୀକାର କରିବା ସହିତ ନୂଆ ପିଚ୍‌କୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

Advertisment

ତୋହିଦ କହିଛନ୍ତି, ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଅଧିକ ରନ୍‌ ଦେଖିବାକୁ ଦର୍ଶକ ପସନ୍ଦ କରିଥାନ୍ତି। ପ୍ରତ୍ୟେକ ଦଳ ମଧ୍ୟ ଅଧିକ ରନ୍‌ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଠାରେ ଗୋଟିଏ ହେଲେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇନି। ନୂଆ ପଡ଼ିଆ ହୋଇଥିବାରୁ ମ୍ୟାଚ୍‌ ବେଳେ ଏହା କେମିତି ସୁହାଇବ ତାହା ଆକଳନ କରିବା କଷ୍ଟକର ବୋଲି ତୋହିଦ କହିଛନ୍ତି। ଅଭ୍ୟାସ ପିଚ୍‌ର ସ୍ଥିତିକୁ ଦେଖିଲେ ଧିମା ୱିକେଟ୍‌ ଭଳି ଅନୁଭବ ହେଉଛି। ଏଠାରେ ଆଇପିଏଲ୍‌ ମଧ୍ୟ ଆୟୋଜିତ ହୋଇନି। ତେଣୁ ପିଚ୍‌ରୁ ଉଚ୍ଚ ସ୍କୋର ବାହାରିବା ସମ୍ଭାବନା କମ୍‌ ରହିଥିବା ସେ କହିଛନ୍ତି। 

ଅନ୍ୟପକ୍ଷରେ ସାକିବ୍‌ ଅଲ୍‌ ହାସନ୍‌ ଏହି ଫର୍ମାଟ୍‌ରୁ ଅବସର ନେଇସାରିଥିବାରୁ ତାଙ୍କ ବିନା ଭାରତରେ ଖେଳିବା ଆହ୍ବାନପୂର୍ଣ୍ଣ ରହିବ ବୋଲି ତୋହିଦ କହିଛନ୍ତି। ମ୍ୟାଚ୍‌ରେ ସବୁବେଳେ ଚାପ ରହିବ। କିନ୍ତୁ ସବୁବେଳେ ତାହାକୁ ଭାବିଲେ ଆମେ ଭଲ ପ୍ରଦର୍ଶନ କରିପାରିବୁନି। ସବୁବେ‌ଳେ ଆମେ ବର୍ତ୍ତମାନର ସ୍ଥିତି ଉପରେ ଧ୍ୟାନ ଦେଇଥାଉ ଓ ଏହିପରି ଭାବେ ଆ‌ମକୁ ଭଲ ଖେଳିବାକୁ ହେବ। ସକିବ୍‌ ଏଠାରେ ନାହାନ୍ତି। ଆମେ ତାଙ୍କୁ ମିସ୍‌ କରିବୁ, କିନ୍ତୁ ସମସ୍ତଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡ଼ିବ। ତେଣୁ ତାଙ୍କ ବିନା ଭାରତକୁ ହରାଇବା ଭଳି ଦକ୍ଷତା ଆମ ପାଖରେ ଅଛି ବୋଲି ମନେ ହେଉଥିବା ତୋହିଦ କହିଛନ୍ତି। 

ଏହି ଶୃଙ୍ଖଳା ପୂର୍ବରୁ ଟେଷ୍ଟ୍‌ ଶୃଙ୍ଖଳାରେ ଖେଳିବାକୁ ବାଂଲାଦେଶ ସକାରାତ୍ମକ ଚିନ୍ତାଧାରା ନେଇ ଆସିଥିଲା। ପ୍ରଥମ ଥର ପାକିସ୍ତାନକୁ ୨-୦ରେ ହରାଇଥିବାରୁ ଭାରତକୁ ଆହ୍ବାନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଭାରତୀୟ କ୍ରିକେଟର୍‌ଙ୍କ ଆକ୍ରମଣାତ୍ମକ ଓ ଚତୁର ଖେଳ ଆଗରେ ବାଂଲାଦେଶୀ ଖେଳାଳି ହାର୍‌ ମାନିବାକୁ ବାଧ୍ୟ ହୋଇଥିଲେ। ତେବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିକାଂଶ ଖେଳାଳି ଟେଷ୍ଟ୍‌ ଦଳରେ ଖେଳି ନଥିଲେ। ତେଣୁ ଟେଷ୍ଟ୍‌ ମ୍ୟାଚ୍‌ର ସେହି ଗୌରବକୁ ସୀମିତ ଓଭର ଫର୍ମାଟ୍‌ରେ ଜାରି ରଖିବା  ଯୁବ କ୍ରିକେଟର୍‌ଙ୍କ ପାଇଁ ପରୀକ୍ଷା ସଦୃଶ ହେବ। 

ଶିବମ୍‌ଙ୍କ ସ୍ଥାନରେ ତିଳକ
ପିଠିରେ ଆଘାତ ଯୋଗୁଁ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି ଅଲ୍‌ରାଉଣ୍ଡର ଶିବମ୍‌ ଦୁବେ। ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତିଳକ ରବିବାର ଦଳ ସହିତ ଯୋଗଦେବେ ବୋଲି ବିସିସିଆଇ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ସଂଜୁ ସାମସନ୍‌, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ୱାସିଂଟନ୍‌ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ୟାଦବ।
ସମ୍ଭାବ୍ୟ ବାଂଲାଦେଶ ଦଳ: ଲିଟନ୍‌ ଦାସ, ତଞ୍ଜିଦ୍‌ ହାସନ ତମିମ୍‌, ନଜମୁଲ୍‌ ହୋସେନ୍‌ ସାଣ୍ଟୋ (ଅଧିନାୟକ), ତୋହିଦ ‌ହୃଦୟ, ମହମ୍ମଦୁଲ୍ଲା, ଜାକିର ଅଲୀ, ମେହିଦି ହାସନ ମିରାଜ, ରିଶଦ ହୋସେନ୍‌, ମୁସ୍ତାଫିଜୁର ରହମାନ୍‌, ତସ୍କିନ୍‌ ଅହମଦ, ତଞ୍ଜିମ୍‌ ହାସନ୍‌ ସକିବ୍‌।

ମସ୍‌ଜିଦ୍‌ ଗଲେନି; ହୋଟେଲ୍‌ରେ ପ୍ରାର୍ଥନା କଲେ ବାଂଲା ଖେଳାଳି
ପ୍ରଥମ ଟ୍ବେଣ୍ଟି-୨୦ ପୂର୍ବରୁ ବାଂଲାଦେଶ କ୍ରିକେଟର୍‌ମାନେ ହୋଟେଲ୍‌ରେ ପ୍ରାର୍ଥନା (ନମାଜ) କରିଛନ୍ତି। ପ୍ରଥମତଃ ସହରରେ ଥିବା ମୋତି ମସ୍‌ଜିଦ୍‌ ଯିବା ପାଇଁ ଯୋଜନା ରହିଥିଲେ ମଧ୍ୟ ଖେଳାଳିମାନେ ସେଠାକୁ ଯିବାକୁ ରାଜି ହୋଇ ନଥିଲେ। ଗ୍ବାଲିୟର ଜୋନ୍‌ ଇନ୍ସପେକ୍ଟର ଜେନେରାଲ୍‌ ଅରବିନ୍ଦ ସକ୍ସେନାଙ୍କ ସୂଚନା ଅନୁସାରେ, ମସ୍‌ଜିଦ୍‌ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଖେଳାଳିମାନେ ଆସିବାକୁ ଚାହିଲେନି। ଖେଳାଳିମାନେ ରହୁଥିବା ହୋଟେଲ୍‌ଠୁ ଏହି ମସ୍‌ଜିଦ୍‌ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ମ୍ୟାଚ୍‌ ଦିନ ଅର୍ଥାତ୍‌ ରବିବାର ‘ଗ୍ବାଲିୟର ବନ୍ଦ’ ପାଇଁ ଡକରା ଦିଆଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଦେଖାଦେଇଥିବା ଅତ୍ୟାଚାରକୁ ବିରୋଧ କରି ଏଭଳି ବନ୍ଦ କରାଯାଉଛି। ତଥାପି ସୁରକ୍ଷାଜନିତ କାରଣରୁ ଖେଳାଳିମାନେ ହୋଟେଲ୍‌ରେ ନମାଜ ପାଠ କରିବା ପାଇଁ ଆଗ୍ରହ ଦେଖାଇଥିଲେ। ଏଥିପାଇଁ ସହରର ମୁସ୍‌ଲିମ୍‌ ଧର୍ମଗୁରୁ ସହର କାଜି ହୋଟେଲ୍‌ରେ ପହଞ୍ଚି ଖେଳାଳିମାନଙ୍କୁ ନମାଜ ପାଠ କରାଇଥିଲେ। 

ଅଷ୍ଟ୍ରେଲିଆକୁ ଚେତାବନୀ: କାନପୁର ଟେଷ୍ଟ୍‌ କେବଳ ଏକ ଟ୍ରେଲର୍‌ ଥିଲା

ନୂଆଦିଲ୍ଲୀ: କାନପୁର ଟେଷ୍ଟ୍‌ରେ ମାତ୍ର ଅଢ଼େଇ ଦିନରେ ବାଂଲାଦେଶକୁ ହରାଇଥିଲା ଭାରତ। ଏହି ମ୍ୟାଚ୍‌ ପରଠୁ ଭାରତୀୟ ଦଳର ନୂଆ ଅବତାର ଦେଖିବାକୁ ମିଳିଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଛି। ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣ ଓ ରୋହିତ ଶର୍ମାଙ୍କ ନେତୃତ୍ବ ବଳରେ କାନପୁର ଟେଷ୍ଟ୍‌ ଅମୀମାଂସିତରୁ ସକାରାତ୍ମକ ଫଳାଫଳରେ ପରିଣତ ହୋଇପାରିଥିଲା। ଅଗକୁ ବର୍ଡର-ଗାଭାସ୍କର ଟ୍ରଫି ଆୟୋଜନ ହେବ। ତେଣୁ ଅଷ୍ଟ୍ରେଲିଆ ପାଇଁ ଏହା ଏକ ଚେତାବନୀ ବୋଲି ପୂର୍ବତନ ଚୟନକର୍ତ୍ତା ଯତିନ ପରଞ୍ଜପେ କହିଛନ୍ତି। ‌ତାଙ୍କ ମତରେ, କାନପୁରରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ କେବଳ ଏକ ଟ୍ରେଲର ଥିଲା। ଅଶ୍ବିନଙ୍କ ପ୍ରଦର୍ଶନ ଓ ଭାରତୀୟ ଖେଳାଳିଙ୍କ ସହ ଯାହା ଘଟିଲା, ତାହାର ପୁନରାବୃତ୍ତି ଅଷ୍ଟ୍ରେଲିଆରେ ମଧ୍ୟ ଦେଖିବାକୁ ମିଳିବ। ଅଶ୍ବିନଙ୍କ ପାଖରେ ଆହୁରି ୩ରୁ ୫ ବର୍ଷ ଖେଳ ବଳକା ରହିଛି। ତାଙ୍କୁ ବୋଲିଂ ସହିତ ‌ବ୍ୟାଟିଂ କରୁଥିବା ଦେଖିବା କୌଣସି ଥ୍ରିଲର ନଭେଲ୍‌ କାହାଣୀଠୁ କମ୍‌ ନୁହେଁ। ନଭେଲ୍‌ର ପରବର୍ତ୍ତୀ ପୃଷ୍ଠା ପଢ଼ିବା ପାଇଁ ଯେଉଁ ରୋମାଞ୍ଚ ଥାଏ, ଅଶ୍ବିନଙ୍କ ପରବର୍ତ୍ତୀ ବଲ୍‌ ଖେଳିବାକୁ ଥିବା ଅପେକ୍ଷାରେ ମଧ୍ୟ ‌ସମାନ ରୋମାଞ୍ଚ ଦର୍ଶକଙ୍କ ପାଖରେ ଦେଖିବାକୁ ମିଳେ। ତେଣୁ ଅଷ୍ଟ୍ରେଲିଆରେ ‌ସେ ଭାରତୀୟ ଦଳର ବଡ଼ ଅସ୍ତ୍ର ହୋଇପାରିବେ ବୋଲି ଯତିନ କହିଛନ୍ତି।