ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଅଲୋଡ଼ା କୀର୍ତ୍ତି: ପ୍ରଥମ ଥର ୩ ଭାରତୀୟଙ୍କୁ ଗୋଲ୍‌ଡେନ୍‌ ଡକ୍‌

ଡବ୍‌ଲିନ୍‌ (ଆୟର୍ଲାଣ୍ଡ୍‌) ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ ଏବଂ ହର୍ଷଲ ପଟେଲଙ୍କ ପାଇଁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତ ଏକ ଅଲୋଡ଼ା କୀର୍ତ୍ତି ବହନ କରିଛି। ମଙ୍ଗଳବାର ଏଠାରେ ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତ ୨୨୫/୭ର ବଡ଼ ସ୍କୋର୍‌ କରିଥିଲା ବେଳେ ଏହାର ତିନି ଜଣ ବ୍ୟାଟର୍‌ ଗୋଲ୍‌ଡେନ୍‌ ଡକ୍‌ (ପ୍ରଥମ ବଲ୍‌ରେ ଆଉଟ୍‌) ପାଇଥିଲେ। ଦୀନେଶ କାର୍ତ୍ତିକ ଏବଂ ଅକ୍ଷର ପଟେଲ ୧୯ତମ ଓଭର ବୋଲିଂ କରିଥିବା କ୍ରେଗ୍‌ ୟଙ୍ଗ୍‌ଙ୍କ ପଞ୍ଚମ ଓ ଷଷ୍ଠ ବଲ୍‌ରେ ଆଉଟ୍‌ ହୋଇଥିଲେ। ଦୁହେଁ ନିଜ ନିଜର ପ୍ରଥମ ବଲ୍‌ ସାମ୍‌ନା କରିଥିଲା ବେଳେ କାର୍ତ୍ତିକ ୱିକେଟ୍‌ରକ୍ଷକ ଟକେର ଏବଂ ଅକ୍ଷର ଡିପ୍‌ ମିଡ୍‌ ୱିକେଟ୍‌ରେ ଡକ୍‌ରେଲ୍‌ଙ୍କ ହାତରେ ଧରାପଡ଼ିଥିଲେ। ଏହାର ପର ଓଭରରେ ହର୍ଷଲ ପଞ୍ଚମ ବଲ୍‌ରେ ମାର୍କ ଏଦେର୍‌ଙ୍କ ଦ୍ବାରା ବୋଲ୍‌ଡ ହୋଇଥିଲେ। ଏହା ମଧ୍ୟ ହର୍ଷଲଙ୍କ ପାଇଁ ପ୍ରଥମ ବଲ୍‌ ଥିଲା। ଗୋଟିଏ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପାଳିରେ ଦଳ ୨୦୦ରୁ ଅଧିକ ସ୍କୋର୍‌ କରିଥିଲା ବେଳେ ୩ ଜଣ ବ୍ୟାଟର୍‌ ପ୍ରଥମ ବଲ୍‌ରେ ଆଉଟ୍‌ ହେବା ଭାରତ ପାଇଁ ପ୍ରଥମ ଘଟଣା ଥିଲା। ଫଳରେ ଏଭଳି ଘଟଣାରେ ଭାରତ ମଧ୍ୟ ପ୍ରଥମ ଦଳ ହେବାର ଅଲୋଡ଼ା କୀର୍ତ୍ତି ମୁଣ୍ଡାଇଛି। ଗୋଟିଏ ଦଳର ୩ ଜଣ ବ୍ୟାଟର୍‌ କୌଣସି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍‌ ହେବାର ଅଲୋଡ଼ା କୀର୍ତ୍ତି ମୋଟ ୩୪ ଥର ଦେଖାଯାଇଛି। ସେଥିରେ ନେଦରଲାଣ୍ଡ୍‌ସ ଦଳ ନାମରେ ସର୍ବାଧିକ ୫ ରହିଛି। ୨୦୨୧ ଅକ୍ଟୋବର ୧୮ ତାରିଖରେ ଆୟର୍ଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ୫ ଜଣ ବ୍ୟାଟର୍‌ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଟେଷ୍ଟ୍‌ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଏଭଳି ଘଟଣା ୧୨ ଥର ଘଟିଛି।

ଅବଶ୍ୟ ଦେଖିବାକୁ ଗଲେ ଗୋଟିଏ ମ୍ୟାଚ୍‌ରେ ୩ ଜଣ ପ୍ରଥମ ବଲ୍‌ରେ (ଗୋଲ୍‌ଡେନ୍‌ ଡକ୍‌ ବ୍ୟତୀତ) ଆଉଟ୍‌ ହେବାର ନଜିର ଭାରତ ପାଇଁ ପ୍ରଥମ ଥର ଘଟିନି। ଏହା ପୂର୍ବରୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭିନ୍ନ ଭିନ୍ନ ୪ ଥର ଗୋଟିଏ ପାଳିରେ ୩ ଜଣ ପ୍ରଥମ ବଲ୍‌ରେ ଆଉଟ୍‌ ହେବାର ନଜିର ରହିଛି। ପ୍ରଥମ ଥର ପାଇଁ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ଏଭଳି ଘଟଣା ଘଟିଥିଲା ବେଳେ ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏବଂ ସେହି ୨୦୧୬ ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩ ଜଣ ଲେଖାଏଁ ବ୍ୟାଟର୍‌ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଯାଇଥିଲେ। ଶେଷ ଥର ପାଇଁ ଗତବର୍ଷ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ୩ ଜଣ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଭାରତର କଦାପି ୪ ଜଣ ବ୍ୟାଟର୍‌ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇନାହାନ୍ତି।

ସମ୍ବନ୍ଧିତ ଖବର