ବାରବାଟୀ ଟ୍ବେଣ୍ଟି-୨୦ ପଥ ପରିସ୍କାର: ବିସିସିଆଇ ଆପେକ୍ସ କାଉନସିଲ୍‌ ଦେଲା ଆନୁଷ୍ଠାନିକ ପ୍ରସ୍ତାବ

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରସ୍ତାବିତ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ପଥ ପରିସ୍କାର ହୋଇଛି। ଗତ ୩ ତାରିଖରେ ବସିଥିବା ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ସ˚କ୍ରାନ୍ତରେ ପୂର୍ବରୁ ଖବର ପ୍ରକାଶ ପାଇଥିଲା ବେଳେ ଏବେ ପୂର୍ଣ୍ଣାଙ୍ଗ ବିବରଣୀରୁ ଜୁନ୍‌ ୯ ତାରିଖରୁ ଆରମ୍ଭ ହେଉଥିବା ଉକ୍ତ ଶୃଙ୍ଖଳା ବିଷୟରେ ସ୍ପଷ୍ଟ ଚିତ୍ର ମିଳିଛି। ବିବରଣୀ ଅନୁଯାୟୀ, ଜୁନ୍‌ରେ ଉଭୟ ଦେଶ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆୟୋଜନ ହେବ। ତେବେ ରୋଟେସନ୍‌ ପଲିସି ନିୟମ ଆଧାରରେ କଟକ, ବିଶାଖାପାଟନା, ତ୍ରିଭେନ୍ଦ୍ରମ, ମୋହାଲି ଟ୍ବେଣ୍ଟି-୨୦ ମ୍ୟାଚ ଆୟୋଜନ କରିବାର ଥିଲା। କିନ୍ତୁ ଏହି ସ୍ଥାନରେ ମ୍ୟାଚ୍‌ ଆୟୋଜନ ହୋଇପାରିନଥିଲା।

ଏପରିକି ଆଗକୁ ହେବାକୁଥିବା ଶୃଙ୍ଖଳା ପାଇଁ ରୋଟେସନ୍‌ ନିୟମ ଅନୁସାରେ ଚେନ୍ନାଇ, ବେଙ୍ଗାଲୁରୁ, ନାଗପୁର, ରାଜକୋଟ, ଦିଲ୍ଲୀକୁ ମ୍ୟାଚ୍‌ ଆୟୋଜନ ଅଧିକାର ମିଳିଥାନ୍ତା। ହେଲେ ମୋହାଲି ଓ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳା ଚାଲିଥିଲା ବେଳେ ତ୍ରିଭେନ୍ଦ୍ରମ୍‌କୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ମ୍ୟାଚ୍‌ ଦେବା ପାଇଁ କେରଳ କ୍ରିକେଟ୍‌ ସ˚ଘ ପକ୍ଷରୁ ଅନୁରୋଧ କରାଯାଇଥିଲା। କାରଣ ଜୁନ୍‌ରେ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ କଟକ, ବିଶାଖାପାଟ୍‌ନା, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇକୁ ଆୟୋଜନ ଅଧିକାର ଦେବା ପାଇଁ କାଉନସିଲ ପକ୍ଷରୁ ଅନୁରୋଧ କରାଯାଇଛି। ଆପେକ୍ସ କାଉନସିଲ୍‌ର ଏହି ପ୍ରସ୍ତାବକୁ ବିସିସିଆଇର ଟୁର, ଫିକ୍ସଚର୍‌ ଓ ଟେକ୍ନିକାଲ କମିଟି ନିକଟକୁ ପଠାଇ ଦିଆଯିବ। ଖୁବ୍‌ଶୀଘ୍ର ଏହି କମିଟି ବୈଠକ ବସିବାକୁ ଯାଉଥିଲା ବେଳେ ଆପେକ୍ସ କାଉନସିଲ୍‌ର ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର