ଖ୍ରିଷ୍ଟଚର୍ଚ୍ଚ : ଚଳିତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଆୟୋଜକ ନ୍ୟୁଜିଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ନିକଟରୁ ୬ ୱିକେଟ୍ରେ ହାରିଯାଇଥିବା ନ୍ୟୁଜିଲାଣ୍ଡ ରବିବାର ଦ୍ବିତୀୟ ମ୍ୟାଚ୍ରେ ବାଂଲାଦେଶକୁ ୮ ୱିକେଟ୍ରେ ପରାସ୍ତ କରିଛି। ବାଂଲାଦେଶର ୧୩୭/୮ ଜବାବରେ ନ୍ୟୁଜିଲାଣ୍ଡ୍ ୧୩ ବଲ୍ ପୂର୍ବରୁ ୧୪୨/୨ କରିନେଇଥିଲା। କଞ୍ଜୁସ୍ ବୋଲିଂ କରିଥିବା ମାଇକେଲ ବ୍ରାସ୍ୱେଲ (୪-୦-୧୪-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିବା ନ୍ୟୁଜିଲାଣ୍ଡ୍ ବୋଲରମାନେ ବାଂଲାଦେଶ ପାଳିକୁ ୧୩୭/୮ରେ ସୀମିତ ରଖିଥିଲେ। ଟ୍ରେଣ୍ଟ୍ ବୋଲ୍ଟ (୨/୨୫), ଟିମ୍ ସାଉଦି (୨/୩୪), ବ୍ରାସ୍ୱେଲ୍ (୨/୧୪) ଓ ଈଶ୍ ସୋଢ଼ି (୨/୩୧) ୱିକେଟ୍ ବାଣ୍ଟି ନେଇଥିଲେ। ବାଂଲାଦେଶ ପକ୍ଷରୁ ନାଜ୍ମୁଲ ହୋସେନ ସାଣ୍ଟୋ (୩୩), ନୁରୁଲ ହାସନ (୨୫*), ଆଫିଫ୍ ହୋସେନ (୨୪), ଅଧିନାୟକ ସାକିବ୍ ଅଲ୍ ହାସନ (୧୬) ଓ ଲିଟନ ଦାସ (୧୫) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ଡେଭନ କନ୍ୱେ (୭୦ ରନ୍, ୫୧ ବଲ୍, ୭ ଚୌକା, ୧ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟକ କେନ୍ ୱିଲିୟମ୍ସନ (୩୦), ଗ୍ଲେନ୍ ଫିଲିପ (୨୩*) ଓ ଫିନ୍ ଆଲେନ୍ (୧୬)ଙ୍କ ବଳରେ ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।