ମେଲ୍ବର୍ଣ୍ଣ: ଭାରତ ବିପକ୍ଷ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ପ୍ରମୁଖ ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ଦୁଇ ଅଲ୍ରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ମିଚେଲ ମାର୍ଶଙ୍କୁ ବିଶ୍ରାମ ଦେଇଛି ଅଷ୍ଟ୍ରେଲିଆ। ଏହି ଗସ୍ତରେ ଅଷ୍ଟ୍ରେଲିଆ ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଚଳିତ ସେପ୍ଟେମ୍ବର ୨୧ ତାରିଖରେ ମୋହାଲିରେ ଖେଳିବା ପରେ ପରବର୍ତୀ ଦୁଇଟି ମ୍ୟାଚ୍ ଯଥାକ୍ରମେ ୨୩ (ନାଗପୁର) ଏବଂ ୨୫ (ହାଇଦ୍ରାବାଦ)ରେ ଖେଳିବ। ଅଷ୍ଟ୍ରେଲିଆ ଦଳ ଗୁରୁବାର ଭାରତ ଅଭିମୁଖେ ବାହାରିବାକୁ ଥିଲା ବେଳେ ବୁଧବାର ୧୫ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର୍କ (ଆଣ୍ଠୁ), ମାର୍ଶ (ଗୋଇଠି) ଏବଂ ଷ୍ଟୋଇନିସ୍ (ପିଠି) ସାମାନ୍ୟ ଆହତ ଯୋଗୁଁ ଭାରତ ଗସ୍ତ ନକରି ଦେଶରେ ହିଁ ରହିଯିବେ। ଉଭୟ ଷ୍ଟୋଇନିସ୍ ଏବଂ ମାର୍ଶ ଅଷ୍ଟ୍ରେଲିଆର ଗତ ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ବେଳେ ଆହତ ହୋଇଥିଲା ବେଳେ ଷ୍ଟାର୍କଙ୍କ ଆଣ୍ଠୁର ଆଜି ସ୍କାନ୍ ପରେ ଚୟନକର୍ତାମାନେ ଅଧିକ ରିସ୍କ ନେବାକୁ ଚାହିଁନଥିଲେ।
ପୂର୍ବରୁ ଡେଭିଡ୍ ୱର୍ଣ୍ଣରଙ୍କ ବ୍ୟତୀତ ଏବେ ଏହି ତିନି ଜଣଙ୍କୁ ଭାରତ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି। ଫଳରେ ଆରୋନ୍ ଫିଞ୍ଚ୍ଙ୍କ ନେତୃତ୍ବାଧୀନ ଦଳରେ ନାଥନ୍ ଏଲିସ, ଡାନିଏଲ୍ ସାମ୍ସ ଏବଂ ସିନ୍ ଆବୋଟ୍ ସାମିଲ ହୋଇଛନ୍ତି।
ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଦଳ: ସିନ୍ ଆବୋଟ, ଅଷ୍ଟନ ଅଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନାଥନ ଏଲିସ, ଆରୋନ ଫିଞ୍ଚ୍ (ଅଧିନାୟକ), କାମେରନ ଗ୍ରିନ୍, ଜୋସ୍ ହାଜଲେଉଡ୍, ଜୋସ୍ ଇଙ୍ଗ୍ଲିସ, ଗ୍ଲେନ୍ ମ୍ୟାକ୍ସୱେଲ, କେନ୍ ରିଚାର୍ଡସନ, ଡାନିଏଲ୍ ସାମ୍ସ, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ୱାଦେ, ଆଦାମ ଜାମ୍ପା।