ଟ୍ବେଣ୍ଟି-୨୦ ବିଶ୍ବକପ୍‌: ସେମିରେ ଇଂଲଣ୍ଡ

ସାରଜା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨୯ତମ ମ୍ୟାଚ୍‌ରେ ସୋମବାର ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ତା ସହ ଲଗାତାର ଚତୁର୍ଥ ବିଜୟ ହାସଲ କରି ଗ୍ରୁପ୍-୧ର ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ପାଇଁ ଅଧିକ ଚର୍ଚ୍ଚାକୁ ଆସିଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଗୋଟିଏ ଓଭର ପୂର୍ବରୁ ମାତ୍ର ୧୩୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ୪ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ସେମିଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ବଟଲର ତାଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।

ଶ୍ରୀଲଙ୍କା ସୋମବାର ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ୱାନିନ୍ଦୁ ହସରଙ୍ଗା ଓ ଦୁଷ୍ମନ୍ତ ଚାମିରା ଘାତକ ବୋଲିଂ କରି ୩୫ ରନ୍‌ରେ ଇଂଲଣ୍ଡର ୩ଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଜାସନ ରୟ ୯, ଦାୱିଦ ମଲାନ ୬ ଏବଂ ଜନି ବେୟାରଷ୍ଟୋ ଖାତା ଖୋଲି ପାରି ନଥିଲେ। ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ଇଂଲଣ୍ଡର ଅନ୍ୟତମ ଓପନର ଜୋସ୍ ବଟଲର (୧୦୧*) ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କ ସ୍ବତନ୍ତ୍ର ତଥା ଶତକୀୟ ପାଳି ବଳରେ ଇଂଲଣ୍ଡ ୪ ୱିକେଟ୍ ବିନିମୟରେ ୧୬୩ ରନ୍‌ କରି ନେଇଥିଲା। ଅଧିନାୟକ ଇଅନ ମୋର୍ଗାନ ମଧ୍ୟ ୪୦ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଏହି ଦୁଇ ଜଣ ଚତୁର୍ଥ ୱିକେଟ୍‌ରେ ୧୩୨ ରନ୍ ଯୋଡ଼ି ଶ୍ରୀଲଙ୍କା ଉପରକୁ ଚାପ ଫେରାଇ ଦେଇଥିଲେ। ୪୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ନିଜ ପରବର୍ତ୍ତୀ ୫୦ ରନ୍ ମାତ୍ର ୨୨ ବଲ୍‌ରୁ ହାସଲ କରିଥିଲେ। ତା ସହ ଚଳିତ ବିଶ୍ବକପ୍‌ର ପ୍ରଥମ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବଟଲର ପ୍ରତିପକ୍ଷ ବୋଲର ଚାମିରାଙ୍କୁ ଛକା ମାରି ଇଂଲଣ୍ଡ ପକ୍ଷରୁ ଚତୁର୍ଥ ଏବଂ ବ୍ୟକ୍ତିଗତ ଭାବେ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଶତକ ପୂରଣ କରିଥିଲେ। ଏହା ମଧ୍ୟ ଟ୍ବେଣ୍ଟି-୨୦ରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଥିଲା।

ସମ୍ବନ୍ଧିତ ଖବର