ଟ୍ବେଣ୍ଟି-୨୦ ବିଶ୍ବକପ୍‌: କେବଳ କୋହଲି, ରୋହିତ ଓ ରାହୁଲ ସ୍ତବ୍ଧ

ଦୁବାଇ: ବହୁ ଚର୍ଚ୍ଚିତ, ବହୁ ପ୍ରତୀକ୍ଷିତ ଏବଂ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ରେ ଭାରତୀୟ ଶୀର୍ଷକ୍ରମ ପୂରା ବିଫଳ ହେଲେ। ହେଲେ ବଡ଼ ମ୍ୟାଚ୍‌ରେ ହିଁ ବଡ଼ ଖେଳାଳି କମାଲ କରନ୍ତି ବୋଲି ଅଧିନାୟକ କୋହଲି ପୁଣି ଥରେ ପ୍ରମାଣିତ କଲେ। ଟିମ୍ ଇଣ୍ଡିଆ ୩୧ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ହେଲେ କୋହଲି ଅଦମ୍ୟ ସାହସ, ଅସାଧାରଣ ଏକାଗ୍ରତା ଏବଂ ଆଗରେ ରହି ଲଢ଼ିବାର ଅନନ୍ୟ ଉଦାହରଣ ସୃଷ୍ଟି କରି ୪୯ ବଲ୍‌ରୁ ୫ ଚୌକା ଓ ‌ଗୋଟିଏ ଛକା ବଳରେ ୫୭ ରନ୍‌ର ସ୍ମରଣୀୟ ପାଳି ଖେଳିଲେ। ତାଙ୍କ କୀର୍ତ୍ତିମାନ ଭରା ଅର୍ଦ୍ଧଶତକ ଏବଂ ଋଷଭ ପନ୍ତଙ୍କ ବହୁମୂଲ୍ୟ ୩୯ ରନ୍ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ୪୫ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା କୋହଲି (୧୦) ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବ୍ୟାଟର୍‌ କ୍ରିସ୍‌ ଗେଲ୍ (୯)ଙ୍କୁ ଅତିକ୍ରମ କରିଥିଲେ। ପାକିସ୍ତାନ ବିପକ୍ଷରେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଆଉଟ୍ ହୋଇଥିଲେ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ଗତ ତିନିଟି ଯାକ ମୁକାବିଲାରେ ଅପରାଜେୟ ରହିଥିଲେ କୋହଲି।
ଭାରତ-ପାକିସ୍ତାନ ୨୦୦ତମ ମ୍ୟାଚ୍
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦ୍ବିଶତକୀୟ ମ୍ୟାଚ୍ ଖେଳିଥିଲେ। ସେଥିମଧ୍ୟରେ ଥିଲା ୫୮ ଟେଷ୍ଟ୍, ୧୩୨ ଦିନିକିଆ ଏବଂ ୯ ଟ୍ବେଣ୍ଟି-୨୦ । ରବିବାର ମ୍ୟାଚ୍ ପୂର୍ବରୁ ଦୁଇ ଦଳ ପରସ୍ପର ବିପକ୍ଷରେ ଖେଳିଥିବା ୧୯୯ ମ୍ୟାଚ୍‌ରୁ ପାକିସ୍ତାନ ୮୬ ମ୍ୟାଚ୍ ଜିତିଥିଲା ବେଳେ ଭାରତ ୭୦ ମ୍ୟାଚ୍ ଜିତିଥିଲା। ୩୮ ମ୍ୟାଚ୍ ଅମୀମାଂସିତ ରହିଥିଲା ବେଳେ ୪ ମ୍ୟାଚ୍‌ର ଫଳାଫଳ ମିଳିନଥିଲା। ଗୋଟିଏ ମ୍ୟାଚ୍ ଟାଇ ରହିଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ୧୯୫୨ ମସିହାରେ ଦିଲ୍ଲୀରେ ଖେଳାଯାଇଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଆସିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତ ପାଳି ବିଜୟ ହାସଲ କରିଥିଲା। ପରେ ୨-୧ରେ ଶୃଙ୍ଖଳା ଜିତି ନେଇଥିଲା।
ମୂଳରୁ ମୁଣ୍ଡବିନ୍ଧା
ପାକିସ୍ତାନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ତାର ୧୨ ଜଣିଆ ଦଳ ଘୋଷଣା କରିଥିଲା। ରବିବାର ସେଥିରୁ ହାଇଦର ଅଲୀଙ୍କୁ ବାଦ୍‌ ଦେଇଥିଲା। ଅନ୍ୟପକ୍ଷରେ ଭାରତ ତା’ର ସମ୍ଭାବ୍ୟ ଏକାଦଶରୁ ରବିଚନ୍ଦ୍ରନ୍‌ ଅଶ୍ବିନ, ରାହୁଲ ଚହର ଓ ଶାର୍ଦୁଳ ଠାକୁରଙ୍କୁ ବାଦ୍‌ ଦେଇଥିଲା। ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଦେଜାଙ୍କ ରୂପରେ ଦଳରେ ଦୁଇ ଜଣ ସ୍ପିନର ଥିଲେ। ହେଲେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ନେତୃତ୍ବ ନେଉଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁତ୍ବପୂର୍ଣ୍ଣ ଟସ୍ ହାରି ଯାଇଥିଲେ। ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ପାକିସ୍ତାନର ଯୁବ ଅଧିନାୟକ ବାବର ଆଜମ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। କୋହଲି ଟସ୍ ହାରିବା ପରେ କିନ୍ତୁ ଅନେକ ଭାରତୀୟ ପ୍ରଶଂସକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା।

ନୋ’ ବଲ୍‌ରେ ଗଲା ରାହୁଲଙ୍କ ୱିକେଟ୍

ସାହିନ ସାହ ଆଫ୍ରିଦିଙ୍କ ସ୍ମରଣୀୟ ସ୍ପେଲ୍ କିନ୍ତୁ ବିବାଦ ଘେରକୁ ଆସିଛି। କାରଣ ଭାରତୀୟ ଓପନର କେଏଲ୍ ରାହୁଲଙ୍କୁ ସେ ବୋଲ୍ଡ କରିଥିବା ବଲ୍‌ଟି ନୋ’ ବଲ୍ ଥିଲା। ପ୍ରକୃତରେ ବଲ୍ ପକାଇଲା ବେଳକୁ ଆଫ୍ରିଦିଙ୍କ ପାଦ କ୍ରିଜ୍ ବାହାରେ ଥିଲା ବୋଲି ପରେ ଜଣାପଡ଼ିଥିଲା। ହେଲେ ଏହାକୁ ଅମ୍ପାୟାର ଜାଣି ପାରି ନଥିଲେ। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଭାରତୀୟ କ୍ରିକେଟ୍‌ପ୍ରେମୀ ଅମ୍ପାୟାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା‌ କରିବାକୁ ପଛାଇ ନଥିଲେ। ଆଫ୍ରିଦି ଏହି ବଲ୍ ବୋଲିଂ କଲା ବେଳେ ଅମ୍ପାୟାର ଶୋଇ ପଡ଼ିଥିଲେ ବୋଲି କେହି କେହି କ୍ଷୁବ୍ଧ ପ୍ରଶଂସକ ମତ ରଖିଥିଲେ। ଆଉ କେତେକ ଅମ୍ପାୟାର ସେତେବେଳେ ଶୋଇ ପଡ଼ିଥିଲେ ବୋଲି କଟାକ୍ଷ କରିଥିଲେ।

ରୋହିତ, ରାହୁଲ ସ୍ତବ୍ଧ
ଟେଲିଭଜନ ପରଦାରେ ମ୍ୟାଚ୍ ଦେଖୁଥିବା ଭାରତବାସୀଙ୍କ ଶୁଭକାମନା ଏବଂ ଉତ୍ସାହ ସହ ଷ୍ଟାଡିୟମ୍‌ରେ ଥିବା ହଜାର ହଜାର ଭାରତୀୟ ସମର୍ଥକଙ୍କ ଅଭିବାଦନରେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିଥିଲେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ୍ ରାହୁଲ। ବଲ୍ ଥିଲା ପାକିସ୍ତାନର ସାଢ଼େ ୬ ଫୁଟ ଉଚ୍ଚତା ବିଶିଷ୍ଟ ଦୁର୍ଦ୍ଧର୍ଷ ବୋଲର ସାହିନ ଆଫ୍ରିଦିଙ୍କ ହାତରେ। ପ୍ରଥମ ଦୁଇ ବଲ୍ ଗୁଡ୍ ଲେନ୍ଥ୍‌ରେ ରଖି ରାହୁଲଙ୍କୁ ବାନ୍ଧି ରଖିଥିଲେ ସେ। ମିଡଲ ଷ୍ଟମ୍ପରେ ଥିବା ପରବର୍ତ୍ତୀ ବଲ୍‌ରୁ ସିଙ୍ଗଲ ନେଇ ରାହୁଲ ନନ୍‌ଷ୍ଟ୍ରାଇକର ଏଣ୍ଡ୍‌କୁ ଚାଲିଯାଇଥିଲେ। ହେଲେ ଚତୁର୍ଥ ବଲ୍‌‌ ଯାହା ହେଲା ସେକଥା କୌଣସି ଭାରତୀୟ କ୍ରିକେଟ୍‌ପ୍ରେମୀ କଦାପି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଭାରତୀୟ ବ୍ୟାଟିଂର ଅନ୍ୟତମ ସୁଦୃଢ଼ ସ୍ତମ୍ଭ ରୋହିତ ଶର୍ମାଙ୍କୁ ଖାତା ଖୋଲିବା ପୂର୍ବରୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ ସାହିନ। ଷ୍ଟାଡିୟମରେ ଥିବା ପ୍ରତିଟି ଭାରତୀୟ ପ୍ରଶଂସକଙ୍କ ସହ ସମଗ୍ର ଭାରତ ବର୍ଷ ଯେମିତି ଅବାକ ହୋଇଯାଇଥିଲା। ସାହିନ ସେତିକିରେ ଅଟକି ନଥିଲେ। ନିଜ ଦ୍ବିତୀୟ ଓଭରରେ ଭାରତକୁ ଆଉ ଏକ ମସ୍ତବଡ଼ ଝଟ୍‌କା ଦେଇଥିଲେ। ଅଗ୍ନିବର୍ଷୀ ବଲ୍ ପକାଇ ରାହୁଲଙ୍କ ତିନିଟି ଯାକ ଖାଡ଼ି ଉଡ଼ାଇ ଦେଇଥିଲେ। ୬ ରନ୍‌ରେ ନିଜର ଦୁଇ ବଡ଼ ମ୍ୟାଚ୍ ଖେଳାଳିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ।
ସୂର୍ଯ୍ୟ ତେଜ ୧୧ରେ ଫିକା
ପାଳି ଆରମ୍ଭରୁ ସାହିନ ଆଫ୍ରିଦିଙ୍କୁ ଦର୍ଶନୀୟ ଛକା ମାରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ତେଜ ମାତ୍ର କିଛି ମିନିଟ୍ ଭିତରେ ଫିକା ପଡ଼ିଯାଇଥିଲା। ସେ ଯେତେବେଳେ ଇମଦ ୱା‌ସିମଙ୍କୁ ଚୌକା ମାରିଲେ ରୋହିତ-ରାହୁଲଙ୍କ ରୂପରେ ମିଳିଥିବା ଝଟ୍‌କାକୁ ଭୁଲି ଭାରତୀୟ ପ୍ରଶଂସକ ମ୍ୟାଚ୍‌ର ମଜା ନେବା ଆରମ୍ଭ କରି ଦେଇଥିଲେ। ହେଲେ ସେମାନଙ୍କ ଏହି ଖୁସିରେ ବି କିଛି ସମୟ ଭିତରେ ଗ୍ରହଣ ଲାଗି ଯାଇଥିଲା। ୮ ବଲ୍‌ରୁ ଗୋଟିଏ ଲେଖାଏଁ ଚୌକା ଛକା ମାରି ୧୧ ରନ୍‌ରେ ଥିଲା ବେଳେ ସୂର୍ଯ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ନିଜ ପ୍ରଥମ ଓଭରରେ ହାସନ ଅଲୀ ତାଙ୍କୁ ଚତୁରତାର ସହ ମହମ୍ମଦ ରିଜୱାନଙ୍କ ହାତରେ କଟ୍ ବିହାଇଣ୍ଡ୍ କରି ଦେଇଥିଲେ। ବହୁ ଚର୍ଚ୍ଚିତ ମୁକାବିଲାର ପାୱାର ପ୍ଲେ’ରୁ ମାତ୍ର ୩୬ ରନ୍ କରି ୩ଟି ବହୂମୂଲ୍ୟ ୱିକେଟ୍ ହରାଇ ସାରିଥିଲା ଭାରତ।
ରହି ପାରିଲେନି ପନ୍ତ
୩୧ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିବା ଭାରତ ପାଳିକୁ ଅଧିନାୟକ କୋହଲି ଓ ୱିକେଟ୍ ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ (୩୯ ରନ୍, ୩୦ ବଲ୍, ୨ ଚୌକା, ୨ ଛକା) ସଜାଡ଼ିବା ଆରମ୍ଭ କରିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୫୩ ରନ୍ ଯୋଡ଼ି ଦେଇଥିଲେ। ହେଲେ ଠିକଣା ସମୟରେ ପାକିସ୍ତାନ ଆଉ ଏକ ଝଟ୍‌କା ଦେଇ ମ୍ୟାଚ୍‌କୁ ଫେରିଥିଲା। ସଦାବ ଖାନ୍‌ଙ୍କୁ ବଡ଼ ସଟ୍ ଖେଳିବା‌ ‌ଲୋଭରେ ପନ୍ତଙ୍କ ପାଳିରେ ପୂର୍ଣ୍ଣଛେଦ ପଡ଼ିଯାଇଥିଲା। ତାଙ୍କ ଆକାଶ ମଲ୍ଲୀ କ୍ୟାଚ୍‌କୁ ନେଇ ସଦାବ କଟ୍ ଆଣ୍ଡ ବୋଲ୍ଡରେ ୱିକେଟ୍ ପାଇଥିଲେ।
ସାହିନଙ୍କ ସୁପର ସୋ
ଭାରତକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘାଇଲା କରିଥିଲେ ସାହିନ ଆଫ୍ରିଦି। ନିଜ ଶେଷ ଓଭରରେ ଟିକିଏ ମହଙ୍ଗା ସାବ୍ୟସ୍ତ ହୋଇଥି‌ଲେ ମଧ୍ୟ ଭାରତୀୟ ବ୍ୟାଟିଂକ୍ରମର ତ୍ରିମୂର୍ତ୍ତୀ ରୋହିତ ଶର୍ମା, କେଏଲ୍ ରାହୁଲ ଓ ଖୋଦ୍ ଅଧିନାୟକ ବିରାଟ କୋହଲିଙ୍କୁ ଆଉଟ୍ କରି ରବିବାର ମ୍ୟାଚ୍‌କୁ ବ୍ୟକ୍ତିଗତ ଭାବେ ସ୍ମରଣୀୟ କରିଥିଲେ ସେ। ଲଢ଼ୁଆ ବ୍ୟାଟିଂର ବଳି‌ଷ୍ଠ ନମୁନା ଦେଖାଇଥିବା କୋହଲିଙ୍କୁ ଏକ ସ୍ଲୋ ବାଉନ୍ସରରେ ଚକ୍‌ମା ଦେଇଥିଲେ ସାହିନ। ଅବଶ୍ୟ ଆଉ ଗୋଟିଏ ଓଭର ବାକି ଥିବାରୁ କୋହଲି ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରି ମହମ୍ମଦ ରିଜୱାନଙ୍କ ହାତରେ ଧରାପଡ଼ିଥିଲେ। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୋହଲିଙ୍କୁ ଆଉଟ୍ କରିବାରେ ସାହିନ ପ୍ରଥମ ପାକିସ୍ତାନୀ ବୋଲର ହୋଇଥିଲେ। ଏହା ପୂର୍ବରୁ ଖେଳିଥିବା ପାକିସ୍ତାନ ବିପକ୍ଷ ତିନିଟି ଯାକ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଳି ( ୭୮* ୨୦୧୨ କଲମ୍ବୋ, ୩୬* ୨୦୧୪ ଢାକା, ୫୫* ୨୦୧୬ କୋଲକାତା)ରେ ଅପରାଜିତ ରହିଥିଲେ କୋହଲି। ୨୧ ବର୍ଷୀୟ ସାହିନ ନିଜ ୪ ଓଭରରେ ୩୧ ରନ୍ ‌ଖର୍ଚ୍ଚ କରି ୩ ୱିକେଟ୍ କରାୟତ୍ତ କରିଥିଲେ। ଭାରତର ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୩ ଓ ହାର୍ଦିକ ପାଣ୍ଡ୍ୟା କେବଳ ୧୧ ରନ୍ କରିଥିଲେ।

ସମ୍ବନ୍ଧିତ ଖବର