ସାରଜା: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସୋମବାର ଭାରତ-ନାମିବ୍ୟା ମଧ୍ୟରେ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯିବା ପୂର୍ବରୁ ରବିବାର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି। ପ୍ରଥମ ସେମିଫାଇନାଲରେ ବୁଧବାର ଆବୁଧାବିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ଏବଂ ଦ୍ବିତୀୟ ସେମିଫାଇନାଲ୍ରେ ଗୁରୁବାର ଦୁବାଇରେ ପାକିସ୍ତାନ-ଅଷ୍ଟ୍ରେଲିଆ ମୁକାବିଲା ହେବ। ରବିବାର ଗ୍ରୁପ୍-୨ରେ ନ୍ୟୁଜିଲାଣ୍ଡ୍ ୮ ୱିକେଟ୍ରେ ଆଫଗାନିସ୍ତାନକୁ ଏବଂ ପାକିସ୍ତାନ ୭୨ ରନ୍ରେ ସ୍କଟଲାଣ୍ଡ୍କୁ ପରାସ୍ତ କରିବା ପରେ ଭାରତ-ନାମିବ୍ୟା ମୁକାବିଲା ଗୁରୁତ୍ବହୀନ ହୋଇପଡ଼ିଛି।
ପାକିସ୍ତାନ ଏକମାତ୍ର ଦଳ ଭାବେ ଅପ୍ରତିଦ୍ବନ୍ଦ୍ବୀ ରହି ସେମିଫାଇନାଲ୍ ଉଠିଛି। ସୁପର୍-୧୨ ପର୍ଯ୍ୟାୟର ସମସ୍ତ ୫ ମ୍ୟାଚ୍ ଜିତି ଦଳ ୧୦ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ସ୍ଥାନରେ ରହିଥିଲା। ରବିବାର ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା। ପୁଣି ଥରେ ବାବର ଆଜମ ଏବଂ ମହମ୍ମଦ ରିଜୱାନ ପାୱାର ପ୍ଲେ ଭିତରେ ୱିକେଟ୍ ହରାଇନଥିଲେ। ରିଜୱାନ କିନ୍ତୁ ୧୫ ରନ୍ କରି ବିଦାୟ ନେବା ପରେ ମହମ୍ମଦ ରିଜୱାନ (୮)ଙ୍କ ବିଫଳ ଧାରା ଲମ୍ବିଥିଲା। ତେବେ ୩ ଅଭିଜ୍ଞ ତାରକା ବାବର ଆଜମ (୬୬, ୪୭ ବଲ୍), ସୋଏବ ମଲ୍ଲିକ (୫୪*, ୧୮ ବଲ୍) ଏବଂ ମହମ୍ମଦ ହାଫିଜ୍ (୩୧, ୧୯ ବଲ୍)ଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ପାକିସ୍ତାନ ୧୮୯ ରନ୍ କରିଥିଲା। ଶେଷ ଓଭରରେ ଗ୍ରିଭ୍ସଙ୍କୁ ସୋଏବ ମଲ୍ଲିକ ୩ ଛକା ଓ ୧ ଚୌକା ମାରିଥିବାବେଳେ ପାକିସ୍ତାନ ମୋଟ ୨୬ ରନ୍ ଆଦାୟ କରିଥିଲା। ସୋଏବ ମଧ ମାତ୍ର ୧୮ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ରିଚି ବେରିଙ୍ଗଟନ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ଛଡ଼ା ଅନ୍ୟ କେହି ସ୍କଟିସ୍ ଖେଳାଳି ଲଢ଼ି ପାରିନଥିଲେ। ପ୍ରଥମ ରାଉଣ୍ଡରୁ ଆସିଥିବା ଏହି ଦଳ ଶେଷକୁ ୧୧୭/୬ରେ ସୀମିତ ରହିଥିଲା। ସଦାବ ଖାନ୍ ସର୍ବାଧିକ ୨ ୱିକେଟ୍ ନେଇଥିଲେ। ଦ୍ରୁତ ଅର୍ଦ୍ଧଶତକ ପାଇଁ ସୋଏବ ମଲ୍ଲିକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।