ଆବୁଧାବି: ନାମିବ୍ୟାକୁ ୪୫ ରନ୍ରେ ପରାସ୍ତ କରି ପାକିସ୍ତାନ ଗ୍ରୁପ୍-୨ର ପ୍ରଥମ ଦଳ ଭାବେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି। ପାକିସ୍ତାନ ଏହି ମ୍ୟାଚ୍ରେ ଅନଭିଜ୍ଞ ନାମିବ୍ୟା ସମ୍ମୁଖରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ନାମିବ୍ୟା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ୫ ୱିକେଟ୍ ବିନିମୟରେ ୧୪୪ ରନ୍ରେ ଅଟକି ଯାଇଥିଲା। ତା ସହ ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ୪ ମ୍ୟାଚ୍ରେ ଅପରାଜେୟ ରହି ସେମିଫାଇନାଲ୍ ଟିକେଟ ହାସଲ କରିବାର ଅନନ୍ୟ ସଫଳତା ଲାଭ କରିଥିଲା।
ମଙ୍ଗଳବାର ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ଦୁଇ ଯୁବ ଓପନର ବାବର ଆଜମ (୭୦) ଓ ମହମ୍ମଦ ରିଜୱାନ (୭୯*) ପୁଣି ଥରେ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ପ୍ରଥମ ୱିକେଟ୍ରେ ୧୧୩ ରନ୍ ଯୋଡ଼ିଥିଲେ। ବାବର (୧୪ ଅର୍ଦ୍ଧଶତକ) ନିଜ ପାଳି ଭିତରେ ବିରାଟ କୋହଲି (୧୩ ଅର୍ଦ୍ଧଶତକ)ଙ୍କୁ କାଟି ଅଧିନାୟକ ଭାବେ ଟ୍ବେଣ୍ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ କରିଥିଲେ। ରିଜୱାନ ଅଭିଜ୍ଞ ମହମ୍ମଦ ହାଫିଜ (୩୨*)ଙ୍କ ସହ ମିଶି ଅବିଭାଜିତ ତୃତୀୟ ୱିକେଟ୍ରେ ମାତ୍ର ୨୬ ବଲ୍ରୁ ୬୭ ରନ୍ ଯୋଡ଼ିଥିଲେ। ହେଲେ ଶେଷ ୭ ଓଭରରୁ ୮୯ ରନ୍ ଅମଳ କରି ନେଇଥିଲା।