ଟ୍ବେଣ୍ଟି-୨୦ ବିଶ୍ୱକପ୍ ସ୍ଥଗିତ

୨୦୨୧ ଓ ୨୨ରେ ହେବ ଦୁଇଟି ଟ୍ବେଣ୍ଟି-୨୦ ବିଶ୍ୱକପ୍

ଦୁବାଇ : କରୋନା ମହାମାରୀ ସଙ୍କଟ ଲାଗି ଆଇସିସି ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ସ୍ଥଗିତ କରି ଦେଇଛି। ସୋମବାର ଅପରାହ୍‌ଣରେ ବସିଥିବା ଆଇସିସିର ବାଣିଜ୍ୟିକ ସହଯୋଗୀ ସଂସ୍ଥାନ ‘ଆଇବିସି’ର ବୋର୍ଡ ବୈଠକରେ ଏହି ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ନିଆଯାଇଛି। ସେହିଭଳି ୨୦୨୧ ଅକ୍ଟୋବର-ନଭେମ୍ବର ଓ ୨୦୨୨ ଅକ୍ଟୋବର-ନଭେମ୍ବରରେ ଲଗାତାର ଦୁଇଟି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିବାକୁ ମଞ୍ଜୁରି ମିଳିଛି। ପୂର୍ବରୁ ଏହି ଦୁଇ ବିଶ୍ବକପ୍ ୨୦୨୦ ଓ ୨୦୨୧ରେ ହେବାର ଥିଲା। ଚଳିତବର୍ଷର ବିଶ୍ବକପ୍ ସ୍ଥଗିତ ହେବା ପରେ ପୂର୍ବ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ‌କେଉଁକ୍ରମରେ ଏହି ଦୁଇଟି ବିଶ୍ବକପ୍ ଆୟୋଜନ କରିବେ, ତାହା କିନ୍ତୁ ଆଇସିସି ସ୍ପଷ୍ଟ କରିନାହିଁ। ଅର୍ଥାତ୍ ୨୦୨୧ରେ ପୂର୍ବ ଅଧିକାର ଅନୁଯାୟୀ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚତୁର୍ଦଶ ସଂସ୍କରଣ ଆୟୋଜନ କରିବ ନା ଅଷ୍ଟ୍ରେଲିଆ ତ୍ରୟୋଦଶ ସଂସ୍କରଣର ଆୟୋଜନ କରିବ, ସେ ବିଷୟରେ ଆଇସିସି ଚୁପ୍‌ ରହିଛି। ସୋମବାର ଆଇସିସିର ଏହି ନିଷ୍ପତ୍ତି ପରେ କିନ୍ତୁ ଚଳିତବର୍ଷର ଆଇପିଏଲ୍ ଆୟୋଜନ ନେଇ ପଥ ପରିଷ୍କୃତ ହୋଇଛି। କରୋନା ପାଇଁ ଚଳିତ ବର୍ଷର ଆଇପିଏଲ୍ ଖେଳାଯିବା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟ କିଛି ମାତ୍ରରେ ଦୂର ହୋଇଛି। କାରଣ ଆଇପିଏଲର ସୂଚୀ ଘୋଷଣା କରିବା ଲାଗି ଆଇସିସିର ଏହି ନିଷ୍ପତ୍ତିକୁ ବିସିସିଆଇ ଚାହି ରହିଥିଲା। ଆଇସିସିର ଏହି ନିଷ୍ପତ୍ତି ପରେ ବିସିସିଆଇ ଏଣିକି ଚଳିତ ବର୍ଷର ଆଇପିଏଲ୍ ଆୟୋଜନରେ ମନୋନିବେଶ କରିପାରିବ। ସାଧାରଣତଃ ଆଇପିଏଲ୍ ପ୍ରତିବର୍ଷ ମାର୍ଚରୁ ମେ’ ମଧ୍ୟରେ ଖେଳାଯାଇଥାଏ। ହେଲେ ଚଳିତବର୍ଷ କରୋନା ପାଇଁ ଏହାର ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ବିଶ୍ବକପ୍ ସ୍ଥଗିତ ହେବା ପରେ ବିସିସିଆଇ ଏହାକୁ ମିଳିଥିବା ସମୟକୁ ଆଇପିଏଲ୍ ପାଇଁ ଉପଯୋଗ କରିପାରେ। ବିସିସିଆଇ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ମଧ୍ୟରେ ୟୁଏଇରେ ଆଇପିଏଲ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।

କରୋନା ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ସୀମାକୁ ସିଲ୍ କରି ଦେଇଥିବାରୁ ବିଶ୍ବକପ୍ ବାତିଲ ସ୍ଥଗିତ ହେବାର ଆଶଙ୍କା ବଢ଼ି ଯାଇଥିଲା। ଏପରିକି କ୍ରିକେଟ୍ ଆଷ୍ଟ୍ରେଲିଆ ଏକ ଘଡ଼ିସନ୍ଧି ମୁହୂର୍ତରେ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଥିଲା। ହେଲେ ଆଇସିସି ବିଶ୍ବକପ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତିକୁ ଝୁଲାଇ ରଖିଥିଲା। ସୋମବାର କିନ୍ତୁ ସର୍ବସମ୍ମତିକ୍ରମେ ବିଶ୍ବ କ୍ରିକେଟ୍‌ର ଏହି ସର୍ବୋଚ୍ଚ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ବୋର୍ଡ ବୈଠକରେ ବିଶ୍ବକପକୁ ସ୍ଥଗିତ ରଖିବାକୁ ଆନୁଷ୍ଠାନିକ ମୋହର ବାଜିଛି। ‌ସେହିଭଳି ବୈଠକରେ ପରବର୍ତ୍ତୀ ତିନିଟି ଆଇସିସି ପୁରୁଷ ବିଶ୍ବକପ୍‌ର ସୂଚୀକୁ ବି ସ୍ବୀକୃତି ମିଳିଥିଲା। ତଦନୁଯାୟୀ ୨୦୨୩ ଏକଦିବସୀୟ କ୍ରିକେଟ୍ ବିଶ୍ବକପକୁ ମାର୍ଚ-ଏପ୍ରିଲରୁ ଅକ୍ଟୋବର-ନଭେମ୍ବର ୨୦୨୩କୁ ଘୁଞ୍ଚାଇ ଦିଆଯାଇଥିଲା। ସେହିଭଳି ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେହିବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହୋଇ ଫାଇନାଲ୍ ନଭେମ୍ବର ୧୪ରେ ଅନୁଷ୍ଠିତ ହେବ। ୨୦୨୨ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅକ୍ଟୋବର-ନଭେମ୍ବର ୨୦୨୨ରେ ଖେଳାଯିବା ସହ ଫାଇନାଲ୍ ନଭେମ୍ବର ୧୩ ତାରିଖରେ ଆୟୋଜିତ ହେବ। ସେହିଭଳି କରୋନା ସ୍ଥିତିର ନିୟମିତ ସମୀକ୍ଷା ସହ ୨୦୨୧-୨୦୨୨ ଋତୁକୁ ଏକ ସଫଳ କ୍ରିକେଟ୍ ଋତୁରେ ପରିଣତ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସେହିଭଳି ୨୦୨୧ ଆଇସିସି ମହିଳା ବିଶ୍ବକପ୍ (ଏକଦିବସୀୟ)କୁ ନ୍ୟୁଜିଲାଣ୍ଡରେ ଆସନ୍ତାବର୍ଷ ଫେବ୍ରୁଆରିରେ ଆୟୋଜନ କରିବାକୁ ଆଇସିସି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ‘‘ସାଂପ୍ରତିକ ପରିସ୍ଥିତିର ଆକଳନ ଓ ମିଳୁଥିବା ବିକଳ୍ପକୁ ଯତ୍ନର ସହ ତର୍ଜମା କରି ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପକୁ ସ୍ଥଗିତ କରିବାକୁ ‌ସୋମବାର ନିଷ୍ପତ୍ତି ନିଆଯାଇଛି। କ୍ରିକେଟ୍ ସହ ସଂପୃକ୍ତ ଥିବା ସମସ୍ତ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଆମେ ସବୁବେଳେ ପ୍ରାଥମିକତା ଦେବୁ’’ ବୋଲି ଆଇସିସି ମୁଖ୍ୟକାର୍ଯ୍ୟନିର୍ବାହୀ ମନୁ ସୱାନୀ ବୈଠକ ପରେ କହିଥିଲେ।

ସମ୍ବନ୍ଧିତ ଖବର