ଅଲ୍ ଅମେରଟ୍: ଟି-୨୦ ବିଶ୍ବକପ୍ ପାଇଁ ଚାଲିଥିବା ଯୋଗ୍ୟତାପର୍ଯ୍ୟାୟରେ ସ୍କଟ୍ଲାଣ୍ଡ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଏହି ପର୍ଯ୍ୟାୟର ଦିନବେଳା ମ୍ୟାଚ୍ରେ ପପୁଆ ନିଉ ଗିନିକୁ ଭେଟିଥିଲା ସ୍କଟ୍ଲାଣ୍ଡ୍। ଆଉ ରିଜି ବେରିଙ୍ଗ୍ଟନ୍ (୭୦)ଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ଜୋସ୍ ଡାଭେଙ୍କ ୪ ୱିକେଟ୍ ବଳରେ ସ୍କଟ୍ଲାଣ୍ଡ୍ ୧୭ ରନ୍ରେ ପପୁଆ ନିଉ ଗିନିକୁ ପରାସ୍ତ କରିଥିଲା। ଗ୍ରୁପ୍-ବି’ରେ ନିଜର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ବାଂଲାଦେଶକୁ ପରାସ୍ତ କରିଥିବା ସ୍କଟ୍ଲାଣ୍ଡ୍ର ଏହା ଲଗାତାର ଦ୍ବିତୀୟ ବିଜୟ ଥିଲା। ଏହି ବିଜୟ ସହ ସ୍କଟ୍ଲାଣ୍ଡ୍ ମଧ୍ୟ ସୁପର-୧୨ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିବାର ନିକଟତର ହୋଇଛି। ଏହି ପର୍ଯ୍ୟାୟରେ ନିଜର ତୃତୀୟ ତଥା ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍ ୨୧ ତାରିଖ ଦିନ ଓମାନକୁ ଭେଟିବ। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚ୍ରେ ଓମାନ ନିକଟରୁ ହାରିଯାଇଥିବା ପପୁଆ ନିଉ ଗିନି କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରି ବିଶ୍ବକପ୍କୁ ଯୋଗ୍ୟତା ହାସଲ କରିବା ନେଇ ସଂକଟରେ ପଡ଼ିଯାଇଛି। ଏହା ହାତରେ ଆଉ ଗୋଟିଏ ମ୍ୟାଚ୍ ଥିଲା ବେଳେ ମଙ୍ଗଳବାର ରାତି ମ୍ୟାଚ୍ର ଫଳାଫଳ ଉପରେ ଏହକୁ ଅପେକ୍ଷା କରିବାକୁ ପଡ଼ିବ।
ମଙ୍ଗଳବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ସ୍କଟ୍ଲାଣ୍ଡ୍ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବେରିଙ୍ଗ୍ଟନ୍ (୭୦, ୪୯ ବଲ୍, ୬ ଚୌକା, ୩ ଛକା)ଙ୍କ ବ୍ୟତୀତ ୱିକେଟ୍ରକ୍ଷକ ମାଥ୍ୟୁ କ୍ରସ୍ ୪୫ ରନ୍ କରିଥିଲେ। ପପୁଆ ନିଉ ଗିନି ପକ୍ଷରୁ କବୁଆ ମୋରିଆ ୪/୩୧ ଏବଂ ଚାଦ୍ ସୋପର (୩/୨୪) ସଫଳ ବୋଲର ରହିଥିଲେ।
ଜବାବରେ ନର୍ମନ ଭାନୁଆ (୪୭), ସେସେ ବାଉ (୨୪), ଅଧିନାୟକ ଆସାଦ ଭାଲା (୧୮), କିପ୍ଲିନ୍ ଦୋରିଗା (୧୮) ଏବଂ ଅଲ୍ରାଉଣ୍ଡର ଚାଦ୍ ସୋପେର (୧୬)ଙ୍କ ଲଢୁଆ ପାଳି ସତ୍ତ୍ବେ ପପୁଆ ନିଉ ଗିନି ୧୯.୩ ଓଭରରେ ୧୪୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଜୋସ୍ ଡାଭେ (୩.୩-୦-୧୮-୪) ଚମତ୍କାର ବୋଲିଂ କରି ସ୍କଟ୍ଲାଣ୍ଡ୍କୁ ବିଜୟ ଭେଟି ଦେଇଥିଲେ। ଟି-୨୦ ଆନ୍ତର୍ଜାତିକରେ ଏହା ମଧ୍ୟ ଡାଭେଙ୍କ ଶ୍ରେଷ୍ଠ ବୋଲିଂ ସଫଳତା ଥିଲା।