ସାରଜା: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ଉତ୍ସାହୀ ବାଂଲାଦେଶକୁ ଶ୍ରୀଲଙ୍କା ୫ ୱିକେଟ୍ ବ୍ୟବଧାନରେ ହରାଇ ଦେଇଛି। ବାଂଲାଦେଶ ୧୭୧ ରନ୍ର ଲଢ଼ୁଆ ସ୍କୋର ଛିଡ଼ା କରିଥିଲେ ମଧ୍ୟ ଶ୍ରୀଲଙ୍କା ଏହାର ମଧ୍ୟକ୍ରମ ବିପର୍ଯ୍ୟୟକୁ ଏଡ଼ାଇ ୭ ବଲ୍ ପୂର୍ବରୁ ମ୍ୟାଚ୍ ଜିତିଯାଇଥିଲା। ଗୁରୁତ୍ବପୂର୍ଣ୍ଣ ସମୟରେ ଲିଟନ୍ ଦାସ ଦୁଇଟି କ୍ୟାଚ୍ ହାତଛଡ଼ା କରିବା ବାଂଲାଦେଶ କବ୍ଜାରୁ ମ୍ୟାଚ୍କୁ ବି ଖସିଯିବାକୁ ସୁଯୋଗ ଦେଇଥିଲା। ଚରିତ ଆସଲଙ୍କା ଏବଂ ଭାନୁକା ରାଜପାକ୍ସ ପଞ୍ଚମ ୱିକେଟ୍ ପାଇଁ ୯୬ ରନ୍ ଯୋଡ଼ିବା ମ୍ୟାଚ୍କୁ ଶ୍ରୀଲଙ୍କା ସପକ୍ଷକୁ ନେଇ ଆସିଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାଇଁ ପ୍ରାରମ୍ଭିକ ଯୋଡ଼ି ମହମ୍ମଦ ନଇମ୍ ଏବଂ ଲିଟନ୍ ଦାସ ଭଲ ଆରମ୍ଭ କରିଥିଲେ। ଲିଟନ୍ ୧୬ ରନ୍ କରିଥିଲେ ମଧ୍ୟ ୪୦ ରନ୍ ଭାଗୀଦାରିରେ ଅଂଶବିଶେଷ ଥିଲେ। ଲାହିରୁ କୁମାରଙ୍କ ବଲରେ ଆଉଟ୍ ହେବା ପରେ କିନ୍ତୁ ଦୁହେଁ ପଡିଆ ଭିତରେ ମୁହାଁମୁହିଁ ହୋଇଥିଲେ। ସାଥି ଖେଳାଳି ଓ ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ଲିଟନ୍ ପ୍ୟାଭିଲିଅନ୍ ଫେରିଥିଲେ। ଏହା ପରେ ସକିବ୍ ଅଲ୍ ହାସନଙ୍କୁ କରୁଣାରତ୍ନେ ଆଉଟ୍ କରି ବାଂଲାଦେଶକୁ ବଡ଼ ଝଟକା ଦେଇଥିଲେ। କିନ୍ତୁ ଏହି ସମୟରେ ମହମ୍ମଦ ନଇମଙ୍କ ସହ ଯୋଗଦେଇ ପୂର୍ବତନ ଅଧିନାୟକ ମୁସଫିକର୍ ରହିମ୍ ୮୫ ରନ୍ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଫଳରେ ବାଂଲାଦେଶ ୧୭୧ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ (୩-୦-୧୨-୧) ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ ମଧ୍ୟ ଦୁଷ୍ମନ୍ତ ଚାମିରା (୪-୦-୪୧-୦) ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ଜବାବରେ ପ୍ରଥମ ଓଭରରେ ଶ୍ରୀଲଙ୍କାକୁ କୁସାଲ ପେରେରାଙ୍କ ୱିକେଟ୍ ରୂପରେ ଝଟ୍କା ଲାଗିଥିଲା। ଏହା ପରେ ସକିବ୍ ଅଲ୍ ହାସନ୍ଙ୍କ ଯୁଗଳ ଝଟକା କାରଣରୁ ଦଶମ ଓଭର ବେଳକୁ ଏହି ୨୦୧୪ ବିଜେତା ଦଳ ୭୯ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଚରିତ ଅସଲଙ୍କା (୮୦*, ୪୯ ବଲ୍, ୫ ଚୌକା, ୫ ଛକା) ଏବଂ ଭାନୁକା ରାଜପାକ୍ସ (୫୩, ୩୧ ବଲ୍, ୩ ଚୌକା, ୩ ଛକା) ୯୬ ରନ୍ ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ୮ ଓଭର ଥିବାବେଳେ ଶ୍ରୀଲଙ୍କାକୁ ୮୨ ରନ୍ ଆବଶ୍ୟକ ପଡିଥିଲା। କିନ୍ତୁ ୧୬ତମ ଓଭରରେ ୨୨ ରନ୍ ଆଦାୟ କରି ଅସଲଙ୍କା ଓ ରାଜପାକ୍ସ ସବୁ ଓଲଟ ପାଲଟ କରିଦେଇଥିଲେ। ରାଜପାକ୍ସ ମାତ୍ର ୧୪ ରନ୍ରେ ଏବଂ ଅସଲଙ୍କା ୬୨ ରନ୍ରେ ଥିବା ବେଳେ ଲିଟନ୍ ଦାସ କ୍ୟାଚ୍ ଛାଡ଼ି ବାଂଲାଦେଶକୁ ପଛକୁ ଠେଲି ଦେଇଥିଲେ। ୧୮.୫ ଓଭରରେ ଶ୍ରୀଲଙ୍କା ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ନସୁମ୍ ଅହମ୍ମଦଙ୍କୁ ଚୌକା ମାରି ଅସଲଙ୍କା ମ୍ୟାଚ୍ ଶେଷ କରିଥିଲେ। ଅସଲଙ୍କା ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ବାଂଲାଦେଶର ପ୍ରମୁଖ ଅଲ୍ରାଉଣ୍ଡର ସକିବ୍ ଅଲ୍ ହାସନ୍ ରବିବାର ଟି-୨୦ ବିଶ୍ବକପ୍ରେ ନୂଆ କୀର୍ତ୍ତିମାନ ରଚିଛନ୍ତି। ସେ ଏହି ବିଶ୍ବକପ୍ରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ହୋଇଛନ୍ତି। ରବିବାର ନିଜର ପ୍ରଥମ ସୁପର-୧୨ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ୨ଟି ୱିକେଟ୍ ନେଇଥିଲେ ସାକିବ। ଏଥିସହିତ ସେ ପାକିସ୍ତାନର ସାହିଦ ଆଫ୍ରିଦି (୩୯ ୱିକେଟ୍, ୩୪ ମ୍ୟାଚ୍)ଙ୍କୁ ଟପି ଯାଇଛନ୍ତି। ଏହା ପୂର୍ବରୁ ୨୮ ମ୍ୟାଚ୍ରୁ ୩୯ ୱିକେଟ୍ ନେଇଥିବା ସକିବ୍ଙ୍କ ମୋଟ ୱିକେଟ୍ ସଂଖ୍ୟା ୪୧ରେ ପହଞ୍ଚିଯାଇଛି। ସାକିବ ମଧ୍ୟ ଏବେ ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/5fh564sfh654fs65h1h32hfhshshsfhsfhsfsssssssssssssss.jpg)