ଅଢ଼େଇ ଘଣ୍ଟା ମକ୍ ଡ୍ରିଲ୍: ଷ୍ଟାଡିୟମ୍ ଜଗିବ ‘କାଜଲ’, ନିୟୋଜିତ ହେବେ ୬୦ ପ୍ଲାଟୁନ୍ ପୁଲିସ
ପାର୍କିଂ ପାଇଁ ୩ଟି ସ୍ଥାନ, ଟିକଟ୍ ବିକ୍ରି ପାଇଁ ୧୦ ପ୍ଲାଟୁନ୍ ଫୋର୍ସ
ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ କମିସନରେଟ୍ ପୁଲିସ ଗୁରୁବାର ଅଢ଼େଇ ଘଣ୍ଟା କାଳ ମକ୍ ଡ୍ରିଲ୍ କରିଛି। ଆତଙ୍କବାଦୀ ଆକ୍ରମଣ କିମ୍ବା କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ରୋକିବାକୁ ଏଭଳି ମକ୍ ଡ୍ରିଲ୍ କରାଯାଇଥିଲା। ୧୦ ପ୍ଲାଟୁନ୍ ଫୋର୍ସ କମିସନରେଟ୍ ପୁଲିସ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ୬୦ ପ୍ଲାଟୁନ ଫୋର୍ସ ପୁଲିସ ବିଭାଗ ଯୋଗାଇ ଦେବ। ସୁରକ୍ଷା ବ୍ୟବସ୍ଥାରେ ଏସଓଜି କମାଣ୍ଡରମାନେ ବି ସାମିଲ ହେବାକୁ ଯାଉଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଯାଉଥିବା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପ୍ରାଥମିକ ଭାବେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଅବଶିଷ୍ଟ ୬୦ ପ୍ଲାଟୁନ ଫୋର୍ସ ଯୋଗାଇବାକୁ ଆଇନଶୃଙ୍ଖଳା ଏଡିଜିଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ମଗାଯାଇଛି। ୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦ ପ୍ଲାଟୁନ୍ ଫୋର୍ସ କଟକରେ ପହଞ୍ଚିବେ। ୯ ଓ ୧୦ ତାରିଖରେ ହେବାକୁ ଥିବା ଅଫଲାଇନ୍ ଟିକଟ୍ ବିକ୍ରି ପାଇଁ ଏହି ଫୋର୍ସ ଷ୍ଟାଡିୟମରେ ମୁତୟନ ହେବେ। ଅବଶିଷ୍ଟ ୫୦ ପ୍ଲାଟୁନ ଫୋର୍ସ ୧୦ ତାରିଖରେ ଷ୍ଟାଡିୟମରେ ପହଞ୍ଚିବେ। ୧୦ ତାରିଖରେ କମିସନରେଟ୍ ପୁଲିସ ପକ୍ଷରୁ ସହରର ସମସ୍ତ ଅଫିସର ଓ ଫୋର୍ସଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବ୍ରିଫିଂ କରାଯିବ। ୧୧ ତାରିଖରେ ଦୁଇଟି ଟିମ୍ ଭୁବନେଶ୍ବରର ମେ ଫେୟାରରୁ ଦୁଇଟି ସ୍ବତନ୍ତ୍ର ପାଇଲଟ୍ ମାଧ୍ୟମରେ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଆସିବେ। ଏହି ସମୟରେ ସେମାନଙ୍କ ସୁରକ୍ଷାରେ ଫୋର୍ସ ମୁତୟନ କରାଯିବ। ୧୨ ତାରିଖ ସନ୍ଧ୍ୟାରେ ମ୍ୟାଚ୍ ହେବାକୁ ଥିବା ବେଳେ ସେଦିନ ସକାଳ ପ୍ରାୟ ୯ଟାରୁ ପୁଲିସ ଫୋର୍ସ ମୁତୟନ କରାଯିବ। ଦର୍ଶକ ଧାଡ଼ିରେ ଛିଡ଼ା ହେବା ସମୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେବେ। ୩ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ହୋଇଛି।
ଆଜି ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମକ୍ ଡ୍ରିଲ୍ କରାଯାଇଥିଲା। ମ୍ୟାଚ୍ ସମୟରେ ଯଦି ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୁଏ, ଏହାକୁ ଯେଭଳି ତୁରନ୍ତ ଦମନ କରାଯାଇପାରିବ, ଏଥିପାଇଁ ଅଭ୍ୟାସ କରାଯାଇଥିଲା। ଏହି ଅଭ୍ୟାସରେ କମିସନରେଟ୍ ପୁଲିସ ସମେତ ଏସଓଜି, ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଡାକ୍ତରୀ ଟିମ୍, ଓସିଏର ଘରୋଇ ସୁରକ୍ଷାକର୍ମୀ ସାମିଲ ହୋଇଥିଲେ। ମୋଟ ୫ ପ୍ରକାର ଡ୍ରିଲ୍ କରାଯାଇଥିଲା। ଷ୍ଟାଡିୟମ୍ ଭିତରେ ହଠାତ୍ ଅଗ୍ନିକାଣ୍ଡ ଘଟିଲେ ଦର୍ଶକ ଓ ଖେଳାଳିଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ଗ୍ୟାଲେରୀ ଛାତ ଭୁଶୁଡ଼ିପଡ଼ିଲେ କିଭଳି ଆହତଙ୍କୁ ଉଦ୍ଧାର କରାଯିବ, ଦର୍ଶକଙ୍କ ଭିତରେ ଗଣ୍ଡଗୋଳ ହେଲେ ଏହାକୁ କିଭଳି ମୁକାବିଲା କରାଯିବ, ଆତଙ୍କବାଦୀ ଗୋଷ୍ଠୀ ଖେଳାଳିଙ୍କୁ କବ୍ଜା କରିନେଲେ ସେମାନଙ୍କୁ କିଭଳି ଉଦ୍ଧାର କରାଯିବ ଏବଂ କେହି ସନ୍ଦିଗ୍ଧ ବ୍ୟାଗରେ ବୋମା ରଖିଥିଲେ ତାକୁ କିଭଳି ପ୍ରତିହତ କରାଯିବ, ସେ ନେଇ ଆଜି ଡ୍ରିଲ୍ କରାଯାଇଥିଲା। ଗୁରୁବାର ସ୍ପେସାଲ ଏନକ୍ଲୋଜରରେ ଅଗ୍ନିକାଣ୍ଡ ଡ୍ରିଲ୍, କର୍ପୋରେଟ୍ ବକ୍ସରେ ଆତଙ୍କବାଦୀ ଆକ୍ରମଣ, ୬ ନମ୍ବର ଗ୍ୟାଲେରୀରେ ଲୋକଙ୍କୁ ଉଦ୍ଧାର, ସ୍ପେସାଲ ଏନକ୍ଲୋଜର(ବ୍ଲକ ବି)ରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମକଡ୍ରିଲ୍ କରାଯାଇଥିବା ବେଳେ ନ୍ୟୁ ପାଭିଲିଅନରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍କାଏ ଲିଫ୍ଟ ମାଧ୍ୟମରେ ନିଆଁ ଲିଭାଯାଇଥିଲା।
ଏହି ଡ୍ରିଲରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ହୋଇଥିଲେ। ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ଖେଳାଳିଙ୍କ ଅଭ୍ୟାସ ପାଇଁ ଭୁବନେଶ୍ବରରୁ କଟକ ଯିବା ଆସିବା ଏବଂ ମ୍ୟାଚ୍ ଦିନ ଯିବାଆସିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଯଦି ଖେଳ ସମୟରେ କିମ୍ବା ପୂର୍ବରୁ ଏବଂ ଖେଳ ପରେ କୌଣସି ଅଘଟଣ ଘଟେ, ତା ପାଇଁ ପ୍ରଶାସନ କିଭଳି ସଜାଗ ରହିବ, ସେ ନେଇ ଗୁରୁବାର ମକ୍ ଡ୍ରିଲ୍ କରାଯାଉଥିବା ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି। ଡ୍ରିଲରେ ଚନ୍ଦକା ଏସଓଜିର ସ୍ପେସାଲ ଟାକ୍ଟିକାଲ୍ୟୁ ନିଟ(ଏଟିୟୁ), ବୋମା ନିଷ୍କ୍ରିୟକାରୀ ଦଳ, କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍ ସାମିଲ ହୋଇଥିଲେ। ପୁଲିସ ବିଭାଗର ଚର୍ଚ୍ଚିତ କୁକୁର ‘କାଜଲ’କୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯାଇଛି। ମକ୍ ଡ୍ରିଲରେ ପୁଲିସ କମିସନରଙ୍କ ସମେତ କଟକ ଡିସିପି ପିନାକ ମିଶ୍ର, ଏଡିସିପି ପ୍ରମୋଦ ରଥ, ଅନିଲ ମିଶ୍ର, ଜୋନ୍ ୨ ଏସିପି ଅଜୟ କୁମାର ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦିନକୃଷ୍ଣ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପଟେ ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପାଇଁ କମିସନରେଟ୍ ପୁଲିସ ଗାଡ଼ି ପାର୍କିଂ ପାଇଁ ତିନୋଟି ପୃଥକ ଷ୍ଟାଣ୍ଡ ଚିହ୍ନଟ କରିଛି। ସମାଜ ଅଫିସ ଛକ, କେମ୍ବ୍ରିଜ ସ୍କୁଲ, ଦୟାଶ୍ରମ, ଖ୍ରୀଷ୍ଟିଆନ୍ ପଡ଼ିଆ, ଗିର୍ନାର୍ ଛକ, ଗଡ଼ଗଡ଼ିଆ ଘାଟ ନିକଟରେ ବ୍ଲକିଂ କରାଯିବ। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ଭିତରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯିବ। ଭିଆଇପିଙ୍କ ପାଇଁ ବାଲିଯାତ୍ରା ଉପର ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯିବ।