ସଚିନଙ୍କ ତୁଳନୀୟ ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ନାମ ନେଲେ ବିଶପ ‘‘କୋହଲି ଓ ଆଜମ୍‌ ଷ୍ଟ୍ରେଟ୍‌ ବ୍ୟାଟ୍‌ରେ ଖେଳନ୍ତି’’

ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ଏବଂ ଶତକ ହାସଲକାରୀ। ତାଙ୍କର ଷ୍ଟ୍ରେଟ୍‌ ଡ୍ରାଇଭ୍‌ ଓ ଲେଗ୍‌ ଗ୍ଲାନ୍‌ସ୍‌‌କୁ କ୍ରିକେଟ୍‌ ପ୍ରଶଂସକ କେବେ ଭୁଲି ପାରିବେନି। ୱେଷ୍ଟ୍‌ଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇଆନ୍ ବିଶପ ତାଙ୍କ ବି‌ପକ୍ଷରେ ଖେଳିଥିବା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସଚିନଙ୍କୁ ସ୍ଥାନିତ କରିବା ସହ ତାଙ୍କ ‌‌ସିଧା କଥା ଇନ୍‌ଷ୍ଟାଗ୍ରାମ ଲାଇଭ ସେସନ୍‌ରେ ଜିମ୍ବାୱେର ପୂର୍ବତନ ଦ୍ରୁତ‌ ବୋଲର ପମି ବାଙ୍ଗୱାଙ୍କ ସହ ଆଲୋଚନା ବେଳେ କହିଛନ୍ତି।

ଏବର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନର ବାବର ଆଜମଙ୍କ ଷ୍ଟ୍ରେଟ୍‌ ଲାଇନ୍‌ ସଟ୍‌ ସଚିନଙ୍କ କଥାକୁ ସ୍ମରଣ କରିଦେଉଛି। ସଚିନ ସର୍ବଦା ‌ଷ୍ଟ୍ରେଟ୍‌ ସଟ୍‌ ଖେଳୁଥିଲା ବେଳେ ଏହି ଦୁଇ ଯୁବକ ମଧ୍ୟ ତାଙ୍କ ଭଳି ଖେଳୁଛନ୍ତି ବୋଲି ବିଶପ କହିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କ ‌ବ୍ୟାଟିଂ ଶୈଳୀକୁ ନେଇ ଅନେକ କ୍ରିକେଟ୍‌ ବିଶେଷଜ୍ଞ ବାବରଙ୍କୁ କୋହଲିଙ୍କ ସହ ତୁଳନା କରୁଛନ୍ତି। ଦିନିକିଆ ମାନ୍ୟତାରେ କୋହଲି ଶୀର୍ଷରେ ଥିଲା ବେଳେ ଟି-୨୦ରେ ବାବର ରହିଛନ୍ତି। ୨୫ ବର୍ଷୀୟ ବାବରଙ୍କ ଦିନିକିଆ ଓ ଟି-୨୦ରେ ବ୍ୟାଟିଂ ହାର ୫୦ରୁ ଅଧିକ ଥିଲା ବେଳେ ଟେଷ୍ଟ୍‌ରେ ୪୫ରୁ ଅଧିକ ରହିଛି। ଅନ୍ୟପକ୍ଷରେ ଟେଷ୍ଟ୍‌ ମାନ୍ୟତାରେ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ‌ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ୮୬ ଟେଷ୍ଟ୍‌ ଖେଳି ୫୩.୬୨ ହାରରେ ୨୭ ଶତକ ସହ ୭,୨୪୦ ରନ୍‌ କରିଛନ୍ତି। ସେ ୨୪୮ ଦିନିକିଆରେ ୪୩ ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ତେନ୍ଦୁଲକର ୧୦୦ ଅନ୍ତର୍ଜାତୀୟ ଶତକ କରିଛନ୍ତି ଏବଂ ଉଭୟ ଟେଷ୍ଟ ଓ ଦିନକିଆରେ ସର୍ବାଧିକ ରନ୍ ସ୍କୋରର୍‌। ବାଙ୍ଗୱାଙ୍କ ସହ ଆଲୋଚନା ବେଳେ ବିଶପ ମଧ୍ୟ ଏବର କିଛି ଦ୍ରୁତ ବୋଲରଙ୍କ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ପ୍ରଶଂସା କରି ‌ବିଶପ କହିଥିଲେ, ସେ ଏହି ପିଢ଼ିର ପ୍ରତିଭା। ସମସ୍ତ ଫର୍ମାଟ୍‌ରେ ଖେଳିବାର କ୍ଷମତା ତାଙ୍କ ପାଖରେ ରହିଛି। କାଗିସୋ ରବାଦା ଜଣେ ପ୍ରଭାବଶୀଳ ବୋଲର ଏବଂ ଜୋଫ୍ରା ଆର୍ଚରଙ୍କ ବୋଲିଂ ସହଜ ରହିଛି ବୋଲି ବିଶପ କହିଛନ୍ତି।

ସମ୍ବନ୍ଧିତ ଖବର