ସିଡନି: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ଇଂଲଣ୍ଡ କ୍ରିକେଟ୍ ଦଳ। ପୂର୍ବତନ ବିଜେତା ଶ୍ରୀଲଙ୍କାକୁ ୪ ୱିକେଟ୍ରେ ହରାଇ ଇଂଲଣ୍ଡ ଗ୍ରୁପ୍-୧ରୁ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଶୁକ୍ରବାର ନ୍ୟୁଜିଲାଣ୍ଡ୍ ପ୍ରଥମ ଦଳ ଭାବେ ସେମିଫାଇନାଲ ପ୍ରବେଶକୁ ନିଶ୍ଚିତ କରିଥିଲା। ଶନିବାର ଇଂଲଣ୍ଡର ବିଜୟ ମଧ୍ୟ ଏହାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଗତ ବର୍ଷର ବିଜେତା ଅଷ୍ଟ୍ରେଲିଆକୁ ବିଦାୟ ରାସ୍ତା ଦେଖାଇ ଦେଇଛି। ସୁପର୍-୧୨ର ଗ୍ରୁପ୍-୧ ଲିଗ୍ ପର୍ଯ୍ୟାୟ ଶନିବାର ଶେଷ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ସମାନ ୭ ପଏଣ୍ଟ ଲେଖାଏଁ ପାଇଥିଲେ। କଙ୍ଗାରୁ ସେନାର ବିଯୁକ୍ତାତ୍ମକ ଏନ୍ଆର୍ଆର୍ ଦଳ ବିପକ୍ଷରେ ଯାଇଥିଲା। ନ୍ୟୁଜିଲାଣ୍ଡ୍ ନିକଟରୁ ପ୍ରଥମ ମ୍ୟାଚ୍ରେ ଶୋଚନୀୟ ପରାଜୟ ବରଣ କରିବା ଶେଷରେ ଅଷ୍ଟ୍ରେଲିଆ ପାଇଁ କାଳ ହୋଇଛି। ଅଷ୍ଟ୍ରେଲିଆର ବିଦାୟ ସହିତ ମଧ୍ୟ ଏକ ଆୟୋଜକ ଦେଶଭାବେ ବିଶ୍ବକପ୍ ଜିତିନପାରିବା ଧାରା ଜାରି ରହିଲା।
ଶନିବାର ଗ୍ରୁପ୍-୧ର ଅନ୍ତିମ୍ ଲିଗ୍ ମ୍ୟାଚ୍ରେ ଅତି ସାଧାରଣ ହିସାବ ନିକାଶ ଥିଲା। ୨୦୧୪ ବିଜେତା ଶ୍ରୀଲଙ୍କା ସୁଯୋଗ ପୂର୍ବରୁ ମଉଳିସାରିଥିଲା। ଇଂଲଣ୍ଡକୁ କେବଳ ସାଧାରଣ ବିଜୟ ଆବଶ୍ୟକ ଥିଲା। ଶ୍ରୀଲଙ୍କା ଟସ୍ ଜିତ ଧମାଧମ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍ ପଥୁମ ନିଶଙ୍କା (୪୫ ବଲ୍ରୁ ୬୭ ରନ୍, ୨ ଚୌକା, ୫ ଛକା) ଏବଂ କୁସାଲ ମେଣ୍ଡିସ୍ (୧୪ ବଲ୍ରୁ ୧୮ ରନ୍) ୪ ଓଭରରେ ୩୯ ରନ୍ ଆଦାୟ କରିଥିଲେ। ପଥୁମ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ମଧ୍ୟ ଅନ୍ୟ ପାର୍ଶ୍ବରେ ୱିକେଟ୍ ପତନ ଜାରି ରହିଥିଲା। ତଥାପି ଭଲ ସ୍ଥିତିରେ ଥିବା ଶ୍ରୀଲଙ୍କା ଡେଥ୍ ଓଭରରେ (୧୬ରୁ ୨୦) ୨୫ ରନ୍ ବିନିମୟରେ ୫ ୱିକେଟ୍ ହରାଇ ଆହ୍ବାନଭରା ସ୍କୋର୍ ଦେଇପାରିନଥିଲା। ପ୍ରାରମ୍ଭିକ ଯୋଡ଼ିଙ୍କ ବାଦ୍ କେବଳ ଭାନୁକା ରାଜପାକ୍ଷେ (୨୨ ବଲ୍ରୁ ୨୨ ରନ୍) ଦୁଇ ଅଙ୍କ ଛୁଇଁପାରିଥିଲେ। ୨୦ତମ ଓଭରରେ ଶ୍ରୀଲଙ୍କା ୩ ୱିକେଟ୍ ହରାଇଥିଲା। ମାର୍କ ଉଡ୍ ଶ୍ରେଷ୍ଠ ବୋଲର (୩/୨୬) ଥିବା ବେଳେ ବେନ୍ ଷ୍ଟୋକ୍ସ, କ୍ରିସ୍ ୱକ୍ସ, ସାମ କରନ୍, ଆଦିଲ ରସିଦ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଜବାବରେ ଇଂଲଣ୍ଡ ପାଇଁ ପ୍ରଥମ ୩ ବ୍ୟାଟର୍ ଜୋସ୍ ବଟଲର୍ (୨୩ ବଲ୍ରୁ ୨୮ ରନ୍), ଆଲେକ୍ସ ହେଲ୍ସ (୩୦ ବଲ୍ରୁ ୪୭ ରନ୍), ବେନ୍ ଷ୍ଟୋକ୍ସ (୩୬ ବଲ୍ରୁ ୪୨* ରନ୍) ଇଂଲଣ୍ଡର ଗୁରୁତ୍ବପୂର୍ଣ୍ଣ ବିଜୟକୁ ହାତଛଡ଼ା ହେବାକୁ ଦେଇନଥିଲେ। ଦୱିଦ ମଲାନ୍ ଆହତ ହୋଇପଡିବାରୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ଷ୍ଟୋକ୍ସ ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ୧୪୨ ରନ୍ର ଛୋଟ ବିଜୟ ଲକ୍ଷ୍ୟ ରହିଥିଲେ ମଧ୍ୟ ଇଂଲଣ୍ଡ ମାତ୍ର ୨ ବଲ୍ ପୂର୍ବରୁ ଜିତିଥିଲା। ଲାହିରୁ କୁମାରାଙ୍କୁ ଚୌକା ମାରି କ୍ରିସ୍ ୱକ୍ସ ମ୍ୟାଚ୍ ଶେଷ କରିଥିଲେ। ମିତବ୍ୟୟୀ ବୋଲିଂ କରିଥିବାରୁ ଆଦିଲ୍ ରସିଦ୍ (୪-୦-୧୬-୧) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୦ ଓଭରରେ ୧୪୧/୮ (ପଥୁମ ନିଶଙ୍କା-୬୭, ଭାନୁକା ରାଜପାକ୍ଷେ-୨୨, ମାର୍କ ଉଡ୍-୩/୨୬, ଆଦିଲ ରସିଦ୍-୧/୧୬, ବେନ୍ ଷ୍ଟୋକ୍ସ-୧/୨୪, କ୍ରିସ୍ ୱକ୍ସ-୧/୨୪, ସାମ୍ କରନ୍-୧/୨୭)। ଇଂଲଣ୍ଡ ୧୯.୪ ଓଭରରେ ୧୪୪/୬ (ଆଲେକ୍ସ ହେଲ୍ସ-୪୭, ବେନ୍ ଷ୍ଟୋକ୍ସ-୪୨*, ଜୋସ୍ ବଟଲର୍-୨୮, ୱାନିନ୍ଦୁ ହସରଙ୍ଗା-୨/୨୩, ଧନଞ୍ଜୟ ଡି’ସିଲଭା-୨/୨୪, ଲାହିରୁ କୁମାରା-୨/୨୪)।