ଓଡ଼ିଶା ଜଗରନଟ୍ସର ଦୁଇ ଜଣ ଅଧିନାୟକ: ମିଲିନ୍ଦ ବାହାର, ଦୀପେଶ ଘରୋଇ ମ୍ୟାଚ୍‌ର ନେତୃତ୍ବ ନେବେ

ଭୁବନେଶ୍ବର: ପେସାଦାର ଖୋ ଖୋ ଲିଗ୍‌ ‘ଅଲ୍ଟିମେଟ୍ ଖୋ ଖୋ’ରେ ଅଂଶଗ୍ରହଣ କରିବାକୁ ଯାଉଥିବା ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଜଗରନଟ୍ସ’ ପ୍ରଥମ ଋତୁ ଲାଗି ଦୁଇ ଜଣ ଅଧିନାୟକ ନିଯୁକ୍ତ କରିଛି। ଏକଲବ୍ୟ ପୁରସ୍କାର ବିଜେତା ମିଲିନ୍ଦ ଦିଲୀପ ଚଭରେକର ଏବଂ ଦୀପେଶ ମୋରେ ଚଳିତମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଯୁଗ୍ମଭାବେ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନ୍ କୁମାର ଶର୍ମା ଏବଂ ପ୍ରବନ୍ଧକ ଲିଲନ ପ୍ରସାଦ ସାହୁ ବୁଧବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଦୀପେଶ ଘର ଏବଂ ମିଲିନ୍ଦ ବାହାର ମ୍ୟାଚ୍‌ରେ ଦଳର ନେତୃତ୍ବ ନେବେ ବୋଲି କହିଛନ୍ତି।

‘‘ଦୀପେଶ ଓ ମିଲିନ୍ଦ ଆମ ଦଳର ଦୁଇ ଜଣ ବରିଷ୍ଠ ଖେଳାଳି। ସେମାନେ ଏହି ଦାୟିତ୍ବକୁ ସଫଳତାର ସହ ତୁଲାଇବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି।’’ ବୋଲି ପ୍ରଶିକ୍ଷକ ଶର୍ମା ମତ ରଖିଛନ୍ତି। ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍‌ର ‌ନେତୃତ୍ବଭାର ପାଇଥିବାରୁ ଦୀପେଶ ‘ଓଡ଼ିଶା ଜଗରନଟ୍ସ’ର ପରିଚାଳକଙ୍କୁ ଧନ୍ୟବାଦ ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ବାସିନ୍ଦା ମିଲିନ୍ଦ କହିଛନ୍ତି ଦଳକୁ ବଳିଷ୍ଠ ନେତୃତ୍ବ ଦେଇ ଆଗକୁ ନେବା ଆମ ଦାୟିତ୍ବ। ଦଳ ଆମ ଉପରେ ପ୍ରକଟ କରିଥିବା‌ ଆସ୍ଥା ଓ ବିଶ୍ବାସକୁ ପୂରଣ କରିବାକୁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। ଉଭୟ ଅଧିନାୟକଙ୍କୁ ଓଡ଼ିଶା ଜଗରନଟ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ରଂଜିତ ପରିଡ଼ା ଏବଂ ଆର୍ସେଲରମିତଲ ନିପଟ ଷ୍ଟିଲ କଂପାନିର ଉପନିର୍ଦ୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) ସିଙ୍ଗୋ ନାକାମୁରା ସ୍ବାଗତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣ ମହାରାଷ୍ଟ୍ରର ପୁଣେ ସହର ନିକଟସ୍ଥ ମାହାଲୁଙ୍ଗେଠାରେ ଥିବା‌ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ କଂପ୍ଲେକ୍ସରେ ଖେଳାଯିବ। ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି (ଓଏସ୍‌ଡିପିସି) ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳ ଓଡ଼ିଶାରୁ ୬ ଜଣ ସହ ୨୫ ଜଣିଆ ଦଳ ଗଠନ କରିଛି। ଅଗଷ୍ଟ ୧୫ ତାରିଖରେ ଏହି ଦଳ ଚେନ୍ନାଇ କ୍ବିକ୍ ଗନ୍ସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର