ଆଉ ୨ ଦିନ ପରେ, ମୁମ୍ବାଇ ଇଣ୍ଡିଆନ୍ସର ହ୍ୟାଟ୍ରିକ୍‌ ଆଶା

ମୁମ୍ବାଇ: ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳତମ ଦଳର ମାନ୍ୟତା ପାଉଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଏକାଧାରରେ ଅପରାଜେୟ ଏବଂ ଅପ୍ରତିଦ୍ବନ୍ଦ୍ବୀ କୁହାଯାଇପାରିବ। ଏହି ଦଳ ସର୍ବାଧିକ ୫ ଥର ବିଜେତା ହୋଇଛି। ପ୍ରିମିୟର୍‌ ଲିଗ୍‌ରେ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଦଳ ସହ ମଧ୍ୟ ତୁଳନୀୟ ରହିଛି। ଗତବର୍ଷ ଏହି ଦଳ ଯୁଗ୍ମ ଅଯୁଗ୍ମ ଧାରାର ସଫଳତାକୁ ଭାଙ୍ଗି ବିଜେତା ହୋଇଥିଲା। ଏଥର ଦଳକୁ ବଳକା ଲକ୍ଷ୍ୟ ‘ହ୍ୟାଟ୍ରିକ୍‌’ ବାଟରେ ଯିବାକୁ ପଡ଼ିବ। ଏଭଳି ସଫଳତା ଅଦ୍ୟାବଧି କେହି ପାଇନାହାନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ଅପରା‌ଜେୟ କହିବାରେ ଅନେକ କାରଣ ବି ରହିଛି। ଗତବର୍ଷ କୋଭିଡ୍‌ ପରିସ୍ଥିତି ପାଇଁ ଲିଗ୍‌ ୟୁଏଇ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ଦଳ ଲିଗ୍‌ ଶୀର୍ଷରେ ରହି ପ୍ଲେ ଅଫ୍‌ ଯାଇଥିଲା ଏବଂ ଫାଇନାଲ୍ ଜିତି ପଞ୍ଚମ ଥର ମୁକୁଟ କବ୍‌ଜା କରିଥିଲା। ୨୦୧୧ ମସିହାରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଠିକ୍ ଏଭଳି କରିଥିଲା।

ସାମର୍ଥ୍ୟ
ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ନିଜର ଆଭ୍ୟନ୍ତରୀଣ ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଖେଳିଛି। ପ୍ରମାଣସିଦ୍ଧ ପ୍ରଦର୍ଶନକାରୀଙ୍କୁ ନେଇ ଦଳ ବଢ଼ି ଆସିଛି। ଶୀର୍ଷରେ ରୋହିତ ଶର୍ମାଙ୍କ ପ୍ରଭାବ ସହିତ ମଧ୍ୟକ୍ରମରେ ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟାଙ୍କ ଭଳି ବିଗ୍‌ ହିଟର୍‌ ରହିଛନ୍ତି। କ୍ବିଣ୍ଟନ୍ ଡି’କକ୍‌, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଏବଂ ଯଶପ୍ରୀତ୍ ବୁମରା ଓ ଟ୍ରେଣ୍ଟ୍ ବୋଲ୍ଟଙ୍କ ଉପସ୍ଥିତି ଦଳକୁ ଅଧିକ ସୁଦୃଢ଼ କରିଛି। ଏଥର ଦଳର ପ୍ରତିଟି‌ ଖେଳାଳି ଚମତ୍କାର ଫର୍ମରେ ରହିଥିବାରୁ ୨୦୨୧ରେ ବି ରୋହିତ ଶର୍ମାଙ୍କ ଦଳର ପ୍ରାଧାନ୍ୟ ପରିଲକ୍ଷିତ ହେବ‌ ବୋଲି ବିଶ୍ବାସ କରାଯାଉଛି। କିରଣ ପୋଲାର୍ଡ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ୬ ଛକା ମାରିଥିଲେ। ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶାନଙ୍କ ପଦାର୍ପଣ ବିସ୍ଫୋରକ ରୂପରେ ଆରମ୍ଭ ହୋଇଥିଲା। କେବଳ ବୁମରାଙ୍କ ନିକଟରେ ମ୍ୟାଚ୍‌ ଅଭ୍ୟାସର ଅଭାବ ରହିବ। କାରଣ ବିବାହ ଛୁଟି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଓ ମୁମ୍ବାଇ ଅଭ୍ୟାସ ଶିବିରରେ ବିଳମ୍ବରେ ଯୋଗ‌ ଦେଇଥିଲେ।

ଦୁର୍ବଳତା
୫ ଥର ବିଜେତା ଦଳ ନିକଟରେ ଯେ ଦୁର୍ବଳତା ରହିଛି ଏହା କହି‌ ହେବ ନାହିଁ। ବର୍ଷ ବର୍ଷ ଧରି ମୁମ୍ବାଇ ପ୍ରାୟ ସମାନ ଚୂଡାନ୍ତ ଏକାଦଶ ନେଇ ଖେଳୁଛି। ଫଳରେ‌ ବେଞ୍ଚ୍‌ରେ ବସିରହୁଥିବା ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ। କ୍ରିସ୍‌ ଲିନ୍‌, ଧବଲ କୁଲକର୍ଣ୍ଣି, ଅନମୋଲପ୍ରୀତ୍‌ ସିଂ, ସୌରଭ ତିୱାରୀଙ୍କ ସହ ନବନିଯୁକ୍ତ ନାଥନ୍ କୁଲଟର୍ ନାଇଲ୍‌, ଆଦାମ ମିଲନେ, ଜେମ୍ସ ନିସାମ, ପୀୟୂଷ ଚାୱଲା ଏବଂ ଯୁବ ପ୍ରତିଭା ଅର୍ଜୁନ ତେନ୍ଦୁଲକରଙ୍କ ପରୀକ୍ଷାର ବେଳ ନେଇ ଆଶା ଓ ଆଶଙ୍କା ରହିଛି। ମୁମ୍ବାଇର ସବୁଠୁ ପୁରୁଣା ଦୁର୍ବଳତା ହେଉଛି ପ୍ରଥମାର୍ଧରେ ଏହି ଦଳ ବହୁ ମ୍ୟାଚ୍‌ ହାରିଯିବା ପରେ ଲୟକୁ ଫେରିଥାଏ। ଏଥି ପ୍ରତି ଦଳକୁ ସକର୍ତ ରହିବାକୁ ପଡ଼ିବ। ହାର୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ୪ ଓଭର ବୋଲିଂ କରିପାରିବେ କି ନା ଦେଖିବାର ଅଛି।

ମୁମ୍ବାଇ ଇଣ୍ଡିଆନ୍ସ ଦଳ
ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ (ୱିକେଟରକ୍ଷକ), କ୍ରିସ୍‌ ଲିନ୍, ଅନମୋଲ୍‌ପ୍ରୀତ୍‌ ସିଂହ, ସୌରଭ ତିୱାରୀ, ଆଦିତ୍ୟ ତାରେ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଅନୁକୂଳ ରୟ, ଯଶପ୍ରୀତ୍ ବୁମରା, ଟ୍ରେଣ୍ଟ୍ ବୋଲ୍ଟ, ରାହୁଲ ଚହର୍‌, ଜୟନ୍ତ ଯାଦବ, ଧବଲ କୁଲକର୍ଣ୍ଣି, ମୋହସିନ୍‌ ଖାନ୍‌, ନାଥନ୍ କୁଲଟର୍ ନାଇଲ୍‌, ଆଦାମ ମିଲନେ, ପୀୟୂଷ ଚାୱଲା, ଜେମ୍ସ ନିଶାମ, ଯୁଦ୍ଧବୀର ଚରକ, ମାର୍କୋ ଜାନସେନ୍‌, ଅର୍ଜୁନ ତେନ୍ଦୁଲକର।

ସମ୍ବନ୍ଧିତ ଖବର