ଦୁଇ ଦଶନ୍ଧି ପରେ ଭାଙ୍ଗିଲା ଅନୁରାଧାଙ୍କ କୀର୍ତ୍ତିମାନ: ଜ୍ୟୋତି ନୂଆ ବାଧାଦୌଡ଼ ରାଣୀ

ଭାରତୀୟ କ୍ରୀଡ଼ା ପାଇଁ ଶୁଭସଙ୍କେତ: ଅନୁରାଧା

ଭୁବନେଶ୍ବର‌: ଦୀର୍ଘ ଦୁଇ ଦଶନ୍ଧି ପରେ ବାଧାଦୌଡ଼ ରାଣୀ ତଥା ଓଡ଼ିଆ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ କୀର୍ତ୍ତିମାନ ଭାଙ୍ଗିଛି। ତାଙ୍କ ୧୦୦ ମିଟର ବାଧାଦୌଡ଼ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ ଏଚ୍‌ପିସିର ପ୍ରଶିକ୍ଷା‌ର୍ଥୀ ଜ୍ୟୋତି ୟାରାଜୀ। ସାଇପ୍ରସ୍ ଅନ୍ତର୍ଜାତୀୟ ଆଥଲେଟିକ୍ ମିଟ୍‌ରେ ୧୩.୨୩ ସେକେଣ୍ଡ ସମୟ ସହ ନୂଆ ଜାତୀୟ କୀର୍ତ୍ତିମାନ ଏବଂ ସ୍ବର୍ଣ୍ଣ ପଦକ ଜିତିବାର ଯୁଗଳ ସଫଳତା ଲାଭ କରିଛନ୍ତି ଜ୍ୟୋତି। ଏହି ସଫଳତା ଲାଗି ତାଙ୍କ ପାଖକୁ ଶୁଭେଚ୍ଛାର ସୁଆ ଛୁଟିଛି। ୨୨ ବର୍ଷୀୟା ଆନ୍ଧ୍ରପ୍ରଦେଶ ଆଥଲେଟ୍ ଜ୍ୟୋତି ଗତମାସରେ କୋଝିକୋଡ଼ଠାରେ ଅନୁଷ୍ଠିତ ଫେଡେରେସନ୍ କପ୍‌ରେ ୧୩.୦୯ ସେ‌କେଣ୍ଡ ଏବଂ ୨୦୨୦ ମସିହାର ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଆଥଲେଟିକ୍ସରେ ୧୩.୦୩ ସେକେଣ୍ଡ ସମୟରେ ୧୦୦ ମିଟର ବାଧାଦୌଡ଼କୁ ୧୩.୦୩ ସେକେଣ୍ଡରେ ଶେଷ କରିଥିଲେ। ତେବେ ଫେଡେରେସନ୍ କପ୍‌ରେ ପବନର ବେଗ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବାରୁ ଏବଂ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଆଥଲେଟିକ୍ସ ଡୋପିଂ ନିୟମ ପାଳନ ହୋଇ ନଥିବାରୁ ଉଭୟ ଟାଇମିଂକୁ ଜାତୀୟ କୀର୍ତ୍ତିମାନର ସ୍ବୀକୃତି ମିଳି ନଥିଲା।

ସୂଚନାଯୋଗ୍ୟ ଯେ ୨୦୦୨ ମସିହାରେ ଅନୁରାଧା ନୂଆଦିଲ୍ଲୀର ନେହରୁ ଷ୍ଟାଡିୟମରେ ଆୟୋଜିତ ଡିଡିଏ-ରାଜା ଭଳେନ୍ଦ୍ର ସିଂହ ଜାତୀୟ ସର୍କିଟ୍ ମିଟ୍‌ରେ ୧୦୦ ମିଟର ବାଧାଦୌଡ଼ରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାରେ ତାଙ୍କ ଟାଇମିଂ ଥିଲା ୧୩.୩୮ ସେକେଣ୍ଡ। ଏହି ଐତିହାସିକ ସଫଳତା କ୍ରମରେ ସେ ନିଜ କିର୍ତ୍ତୀମାନକୁ ହିଁ ଭାଙ୍ଗିଥିଲେ। ଏହା ପୂର୍ବରୁ ୨୦୦୦ ମସିହା ଜୁଲାଇ ୩୦ରେ ଇଣ୍ଡୋନେସିଆରେ ଆୟୋଜିତ ଏସିଆନ୍ ଚାମ୍ପିଅନସିପ୍‌ରେ ଏହି ଦୂରତାକୁ ସେ ୧୩.୪୦ ସେକେଣ୍ଡରେ ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୯୮‌ରୁ ୨୦୦୨ ଭିତରେ ଅନୁରାଧା ୭ଥର ନିଜ କୀର୍ତ୍ତିମାନ ଭାଙ୍ଗିବାର ବିରଳ ସଫଳତା ଲାଭ କରିଥିଲେ।

ଭାରତୀୟ କ୍ରୀଡ଼ା ପାଇଁ ଶୁଭସଙ୍କେତ: ଅନୁରାଧା
ଜ୍ୟୋତି ତାଙ୍କ କୀର୍ତ୍ତିମାନ ଭାଙ୍ଗିବା ଜାଣି ଅନୁରାଧା ଖୁସି ଜାହିର କରିଛନ୍ତି। ‘‘୧୦୦ ମିଟର ବାଧାଦୌଡ଼ ଅତ୍ୟନ୍ତ କଷ୍ଟକର। ଏଥିରେ ‌ଷ୍ଟ୍ରେନ୍ଥ ଓ ଷ୍ଟାମିନା ଉଭୟର ଭରପୂର ଉପଯୋଗ ହୋଇଥାଏ। ଦୀର୍ଘ ୨୦ ବର୍ଷ ପରେ ମୋ କୀର୍ତ୍ତିମାନ କେହି ଭାଙ୍ଗିଥିବାରୁ ଭାରତୀୟ ମହିଳା ଦୌଡ଼କୁଦ ପାଇଁ ଏହା ଏକ ଶୁଭସଙ୍କେତ ବୋଲି ଭାବୁଛି। ଆଗାମୀ ପିଢ଼ି ଆଗକୁ ବଢ଼ିଛି। ଏହି ଖେଳରେ ଆମେ ନିଶ୍ଚିତ ଉନ୍ନତି କରିଛେ ବୋଲି କହିପାରିବା। ଆଗାମୀ ସମୟରେ ଆମ ଖେଳାଳିମାନେ ଆହୁରି ଭଲ କରିବେ ବୋଲି ଆଶା ରଖିଛି। ତା ଛଡ଼ା ଓଡ଼ିଶାରେ ପ୍ରଶିକ୍ଷଣ ନେଉଥିବା ଜଣେ ଆଥଲେଟ୍ ମୋ ରେକର୍ଡ ଭାଙ୍ଗିଥିବାରୁ ଅଧିକ ଖୁସି ଲାଗୁଛି।’’ ବୋଲି ଅନୁରାଧା ତାଙ୍କ ପ୍ରତିକ୍ରିୟାରେ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର