କାଉଣ୍ଟିରେ ଦୁଇ ଦ୍ବିଶତକ: ଆଝାରଙ୍କ ସମକକ୍ଷ ହେଲେ ପୂଜାରା

ଡରହାମ୍‌ ବିପକ୍ଷ ୨୦୩ ରନ୍‌ର ପାଳି ଅବସରରେ ପୂଜାରା

ନୂଆଦିଲ୍ଲୀ: ଚଳିତ କାଉଣ୍ଟି ପ୍ରତିଯୋଗିତାରେ ପୁରୁଖା ଭାରତୀୟ ବ୍ୟାଟର୍‌ ଚେତେଶ୍ବର ପୂଜାରା ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ହୋଭ୍‌ଠାରେ ଡର୍‌ହାମ ବିପକ୍ଷ ମ୍ୟାଚ୍‌ରେ ଦ୍ବିଶତକୀୟ ପାଳି ଖେଳିଛନ୍ତି। ଶନିବାର ୨୦୩ ରନ୍‌ କରିବା ଚଳିତ ପ୍ରତିଯୋଗିତାରେ ପୂଜାରାଙ୍କ ଦ୍ବିତୀୟ ଦ୍ବିଶତକ ଥିଲା। ଗତ ସପ୍ତାହରେ ଡର୍ବିସାୟାର ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସେ ୨୦୧ ରନ୍‌ର ଅପରାଜିତ ଦ୍ବିଶତକୀୟ ପାଳି ଖେଳିଥିଲେ। ସେ ଚଳିତ ପ୍ରତିଯୋଗିତାରେ ଯଥାକ୍ରମେ ୬ (୧୫ ବଲ୍‌), ୨୦୧* (୩୮୭ ବଲ୍‌), ୧୦୯ (୨୦୬ ବଲ୍‌), ୧୨ (୨୨ ବଲ୍‌) ଏବଂ ୨୦୩ (୩୩୪ ବଲ୍‌) ରନ୍‌ କରିସାରିଲେଣି। ଏଥି ସହିତ ସେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ୨୮ ବର୍ଷ ତଳ ସଫଳତାର ସମକକ୍ଷ ହୋଇଛନ୍ତି। କାଉଣ୍ଟି‌ରେ ଦୁଇଟି ଦ୍ବିଶତକ ଜମାଇବାରେ ସେ ଆଝାରଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି।

ଆଝାର ଡର୍ବିସାୟାର ପକ୍ଷରୁ ଖେଳି ୧୯୯୧ରେ ଲିସେଷ୍ଟରସାୟାର ବିପକ୍ଷରେ ୨୧୨ ଏବଂ ୧୯୯୪ରେ ଡର୍‌ହାମ୍‌ ବିପକ୍ଷରେ ୨୦୫ ରନ୍‌ର ଦ୍ବିଶତକୀୟ ପାଳି ଖେଳିଥିଲେ। ପୁଣି ପୂଜାରଙ୍କର ଏହା ମଧ୍ୟ ପଞ୍ଚଦଶ ପ୍ରଥମ ଶ୍ରେଣୀ ଦ୍ବିଶତକ। ଏକ୍ଷେତ୍ରରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୩ ଦ୍ବିଶତକ)ଙ୍କ ଉପରକୁ ପ୍ରଥମ ଏସୀୟ ଖେଳାଳି ଭାବେ ରହିଛନ୍ତି। ମୋଟାମୋଟି ଭାବେ ୮ ଜଣ ବ୍ୟାଟର୍‌ ପୂଜାରାଙ୍କଠାରୁ ଅଧିକ ପ୍ରଥମ ଶ୍ରେଣୀ ଦ୍ବିଶତକ ହାସଲ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେହି ବି ସକ୍ରିୟ ଖେଳାଳି ନାହାନ୍ତି।

ସମ୍ବନ୍ଧିତ ଖବର