ଭାରତୀୟ ଦଳ ସହ ସିଓଏର ଦୁଇ ସଦସ୍ୟ ଯାତ୍ରା କରିବେ

ମୁମ୍ବାଇ: ଭାରତୀୟ ବିଶ୍ବକପ୍ ଦଳ ସହ ପ୍ରଶାସନିକ ସମିତି (ସିଓଏ)ର ଦୁଇ ଜଣ ସଦସ୍ୟ ଇଂଲଣ୍ଡ ଯାତ୍ରା କରିବେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିସିସିଆଇ କର୍ମକର୍ତା‌ମାନେ ଏହାକୁ ବିରୋଧ କରୁଛନ୍ତି। ଏହା ଦ୍ବାରା ସିଓଏ ସଦସ୍ୟଙ୍କ ଉପରେ ଯଥେଷ୍ଟ ଅର୍ଥ ବ୍ୟୟ କରିବାକୁ ପଡ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭାରତୀୟ ଦଳ ସହ ବିଦେଶ ଗସ୍ତ କରୁଥିବା ଅଧିକାରୀଙ୍କୁ ସାଧାରଣତଃ ଦୈନିକ ୭୫୦ ଡଲାରର ଭତ୍ତା ମିଳିଥାଏ। ଅନ୍ୟପକ୍ଷରେ ଖେଳାଳିମାନେ ଦୈନିକ କେବଳ ୧୨୫ ଡଲାରର ଭତ୍ତା ପାଇଥାଆନ୍ତି। ଏହି ଦୃଷ୍ଟିରୁ ବିସିସିଆଇକୁ ଦୁଇ ଜଣ ସିଓଏ ସଦସ୍ୟଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ। ସେହିଭଳି ତିନି ଜଣ ଅତିରିକ୍ତ କର୍ମକର୍ତା ଯଦି ଦଳ ସହ ଯାଆନ୍ତି, ସେମାନଙ୍କ ରହିବା ଓ ଖାଇବା ଖର୍ଚ ୧.୨୫ କୋଟି ଟଙ୍କାରୁ ଅଧିକ ହେବ। ସିଓଏ ପୂର୍ବରୁ ଭାରତୀୟ ଦଳ ସହ ବିଦେଶ ଗସ୍ତ କରିବାକୁ ବୋର୍ଡ କର୍ମକର୍ତାଙ୍କୁ ମନା କରିଥିବାରୁ ଏବେ ନିଜ ପାଇଁ କେମିତି ଏତେ ଅର୍ଥ ବ୍ୟୟ କରିବାକୁ ଯାଉଛି ବୋଲି କର୍ମକର୍ତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର