ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ

ଭାରୋତ୍ତୋଳନରେ ଜେରେମି, ଅଚିନ୍ତଙ୍କ ସଫଳତା

ବର୍ମିଂହାମ : ଭାରତକୁ ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଆଉ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ଭାରୋତ୍ତୋଳନରୁ। ଜେରେମି ଲାଲରିନୁଙ୍ଗାଙ୍କ ପରେ ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ୍ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ଅଦ୍ୟାବଧି ଭାରତକୁ ସମସ୍ତ ୬ ପଦକ ଭାରୋତ୍ତାଳନରୁ ହିଁ ମିଳିଛି। ଅଚିନ୍ତ ସ୍ନାଚର ତୃତୀୟ ପ୍ରୟାସରେ ୧୪୩ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କିଲୋଗ୍ରାମ୍‌ ଉ‌ଠାଇଥିଲେ। ଉଭୟରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ। ୨୦ ବର୍ଷୀୟ ଏହି ପଶ୍ଚିମବଙ୍ଗ ତାରକା ୨୦୧୯ ଏବଂ ୨୦୨୧ରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ମାଲେସିଆର ଏରି ହିଦାୟତ ମହମ୍ମଦ ମୋଟ ୩୦୩ କିଲୋଗ୍ରାମ (୧୩୮ ଓ ୧୬୫ କିଲୋଗ୍ରାମ) ଉତ୍ତୋଳନ କରି ରୌପ୍ୟ ପଦକ ଜିତିଥିଲେ। କାନାଡ଼ାର ଦାର୍ଜିନୀ ମୋଟ ୨୯୮ କିଲୋଗ୍ରାମ ଉତ୍ତୋଳନ (୧୩୫ ଓ ୧୬୩ କିଲୋଗ୍ରାମ୍) କାଂସ୍ୟ ପଦକ ଜିତିଥିଲେ। ପୂର୍ବଦିନ ତାଙ୍କ ବଡ଼ ଭଉଣୀ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।

ଏହାପୂର୍ବରୁ ରବିବାର ସକା‌ଳ ଯୁବ ଭାରୋତ୍ତୋଳକ ଜେ‌େରମି ଲାଲରିନୁଙ୍ଗା ଦେଶ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୯ ବର୍ଷୀୟ ଜେ‌େରମି ପ୍ରଥମ ଥର ଲାଗି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ନାବଗତ ହୋଇଥିଲେ ବି ପୁରୁଷ ୬୭ କିଲୋଗ୍ରାମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରି ମୋଟ ଉପରେ ୩୦୦ କିଲୋଗ୍ରାମର ଭାର ଉଠାଇଥିଲେ ସେ। ସ୍ନାଚ୍‌ରେ ୧୪୦ କିଲୋଗ୍ରାମ ଉଠାଇବା ପରେ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କିଲୋଗ୍ରାମ ଉଠାଇ ନୂଆ ରାଜ୍ୟଗୋଷ୍ଠୀ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଉଭୟ ସ୍ନାଚ ଓ ମୋଟ ଉପରେ ନିଜ ବର୍ଗର ନୂଆ କୀର୍ତ୍ତିମାନଧାରୀ ହୋଇଥିଲେ। ତେବେ କ୍ଲିନ୍ ଆଣ୍ଡ ଜର୍କ ପର୍ଯ୍ୟାୟ ବେଳେ କହୁଣୀରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ଏହି ଯୁବ କ୍ରୀଡ଼ା ତାରକା। ଏହାସତ୍ତ୍ବେ ଅସୀମ ସାହସ ଓ ଧୈର୍ଯ୍ୟର ପରିଚୟ ଦେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ମିଜୋରାମର ଆଇଜଲ ସହରରୁ ଆସିଥିବା ଜେରେମି ରୌପ୍ୟ ପଦକ ବିଜୟୀ ସାମୋଆର ଭୈପଭା ନେଭୋ ଲୋନ (୨୯୩ କିଲୋଗ୍ରାମ ୧୨୭+୧୬୬ କିଲୋଗ୍ରାମ)ଙ୍କଠାରୁ ୭ କିଲୋଗ୍ରାମ ଏବଂ କାଂସ୍ୟ ବିଜେତା ନାଇଜେରିଆର ଏଦିଦିଓଙ୍ଗ ଜୋସେଫ ଉମାଫିଆ (୨୯୦ କିଲୋଗ୍ରାମ, ୧୩୦+୧୬୦)ଙ୍କଠାରୁ ପୂରା ୧୦ କିଲୋଗ୍ରାମ ଅଧିକ ଭାର ଉଠାଇଥିଲେ।

ଜାତୀୟସ୍ତରୀୟ ମୁଷ୍ଟିଯୋଦ୍ଧା ଲାଲନେହତଲୁଆଙ୍ଗାଙ୍କ ପୁଅ ଜେରେମି ମୁଷ୍ଟିଯୁଦ୍ଧରୁ ହିଁ ନିଜ ଖେଳ ଜୀବନ ଆରମ୍ଭ କରିଥିଲେ। ପରେ ଭାରୋତ୍ତୋଳନ ଆଡ଼କୁ ଆକର୍ଷିତ ହୋଇ ଏଥିରେ କ୍ୟାରିୟର କରିବାକୁ ଅଣ୍ଟା ଭିଡ଼ିଥିଲେ।

ଜେରେମି ସ୍ବର୍ଣ୍ଣିମ ସଫଳତା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘‘ଆମ ଯୁବ ଶକ୍ତି ଇତିହାସ ରଚୁଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଦାର୍ପଣ କରି ସ୍ବର୍ଣ୍ଣ ପଦକ ଜିତିଥିବା ଜେରେମିଙ୍କୁ ହୃଦୟର ଗଭୀରତମ କୋଣରୁ ଅଭିନନ୍ଦନ। ସେ କେବଳ ସ୍ବର୍ଣ୍ଣ ଜିତି ନାହାନ୍ତି। ନୂଆ କୀର୍ତ୍ତିମାନ ବି କରିଛନ୍ତି। ଖୁବ୍‌ କମ୍ ବୟସରେ ସେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତାଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି।’’ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଥିଲେ।

ପୂର୍ବରୁ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରତ ଚାରିଟି ପଦକ ଜିତିଥିଲା। ସଙ୍କେତ ସାଗର ରୌପ୍ୟ ଜିତି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ମୀରାବାଇ ଚାନୁ ପ୍ରଥମ ସ୍ବର୍ଣ୍ଣ ହାସଲ କରିବା ପରେ ଗୁରୁରାଜ ପୂଜାରୀ କାଂସ୍ୟ ଓ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ପାଇଥିଲେ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜେରେମି ଗତ ଡିସେମ୍ବରର ରାଜ୍ୟ‌ଗୋଷ୍ଠୀ ଚାମ୍ପିଅନସିପ୍ ଏବଂ ୨୦୧୮ ମସିହାର ଯୁବ ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଚଳିତ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ( ୩୦୮ କିଲୋ‌ଗ୍ରାମ, ୧୪୧ କିଲୋଗ୍ରାମ ସ୍ନାଚ୍, ୧୬୭ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ)ଠୁ ପଛରେ ରହିଯାଇଥିଲେ।

ସମ୍ବନ୍ଧିତ ଖବର