ଟୋକିଓ ଅଲିମ୍ପିକ୍ସ: ଭାରତକୁ ଆଉ ଦୁଇ ପଦକ

ଲଭ୍‌ଲିନାଙ୍କୁ କାଂସ୍ୟ, ସ୍ୱର୍ଣ୍ଣ ପାଇଁ ଲଢ଼ିବେ ରବି

ଟୋକିଓ : ସେମିଫାଇନାଲରେ ବିଶ୍ବ ବିଜୟିନୀ ତୁର୍କିର ବୁସ‌ନାଜ ସୁର୍ମେନେଲିଙ୍କ ଠାରୁ ହାରିଯିବା ସତ୍ତ୍ବେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋ‌ହେଁ କାଂସ୍ୟ ପଦକ ଜିତି ନେଇଛନ୍ତି। ଏଥିସହ ଭାରତୀୟ ଅଲିମ୍ପିକ୍‌ ଇତିହାସରେ ବିରଳ ପଦକ ବିଜେତା ତାଲିକାରେ ନିଜକୁ ସାମିଲ କରିନେଇଛନ୍ତି। ୨୩ ବର୍ଷୀୟା ଏହି ଆସାମୀ ଯୁବତୀ ବୁଧବାର ଟୋକିଓ ଅଲିମ୍ପିକ୍ସର ମହିଳା ୱେଲଟର୍‌ୱେଟ୍ (୬୪-୬୯ କିଲୋଗ୍ରାମ) ବର୍ଗର ସେମିଫାଇନାଲରେ ହାରିଯାଇଥିଲେ। କିନ୍ତୁ ମୁଷ୍ଟିଯୁଦ୍ଧ ନିୟମ ଅନୁସାରେ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଭାବେ କାଂସ୍ୟ ପଦକ ହାସଲ କରିନେଇଥିଲେ। ଲଭ୍‌ଲିନାଙ୍କ କାଂସ୍ୟ ପଦକ ବିଜୟ ସହ ଟୋକିଓ ୨୦୨୦ରେ ଭାରତର ମୁଷ୍ଟିଯୁଦ୍ଧ ଅଭିଯାନ ମଧ୍ୟ ପଦକରେ ଶେଷ ହୋଇଛି। ଲଭ୍‌ଲିନା ମଧ୍ୟ ତୃତୀୟ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୦୮ରେ ବିଜେନ୍ଦର ସିଂହ ଏବଂ ୨୦୧୨ରେ ଏମ୍‌ସି ମେରିକମ୍ କାଂସ୍ୟ ପଦକ ଜିତିଥିଲେ। ୯ ବର୍ଷ ପରେ ଭାରତକୁ ମୁଷ୍ଟିଯୁଦ୍ଧରୁ ଅଲିମ୍ପିକ୍ ପଦକ ମିଳିଛି। ଚଳିତ ବର୍ଷ ଏସୀୟ କାଂସ୍ୟ ପଦକ ବିଜୟିନୀ ଲଭ୍‌ଲିନା ପୂର୍ବରୁ ବିଶ୍ବ ପ୍ରତିଯୋଗିତା (୨୦୧୮ ଓ ୨୦୧୯)ରେ ଦୁଇ ଥର କାଂସ୍ୟ ପଦକ ଜିତିଥିଲେ।

ପଦକ ବିଜୟ ପରେ ଲଭ୍‌ଲିନା ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ‘ମୋତେ ସମର୍ଥନ କରୁଥିବା ଏବଂ‌ ମୋ ପାଇଁ ପ୍ରାର୍ଥନା କରୁଥିବା ଦେଶବାସୀଙ୍କ ପାଇଁ ଏ ପଦକ ଉତ୍ସର୍ଗ କରୁଛି। ମୋ ପ୍ରଶିକ୍ଷକ, ମୁଷ୍ଟିଯୁଦ୍ଧ ସଂଘ, ପ୍ରା‌ୟୋଜକ ଓ ପରିବାର ମଧ୍ୟ ଢେର ସହଯୋଗ କରିଛନ୍ତି ବୋଲି ଲଭ୍‌ଲିନା ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଯେଭଳି ପରିଶ୍ରମ କରିଥିଲେ ସେହି ତୁଳନାରେ କାଂସ୍ୟ ପଦକ ନେଇ ସନ୍ତୁଷ୍ଟ ହୋଇନାହାନ୍ତି ଲଭ୍‌ଲିନା। ‘ଭଲ ଲାଗୁ ନାହିଁ, ସ୍ବର୍ଣ୍ଣ ପଦକ ପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ମୁଁ ମୋ ଯୋଜାନାକୁ କାର୍ଯ୍ୟକାରୀ କରିପାରିଲିନାହିଁ, ପ୍ରତିଦ୍ବନ୍ଦ୍ବୀ ଭାରି ଦୃଢ଼ ଥିଲା।’ ପଦକ ଜିତିବା ପରେ ତାଙ୍କ ଗାଁ ବାରୋ ମୁଖିଆକୁ ସଂଯୁକ୍ତ ରାସ୍ଥା କାମ ତୁରନ୍ତ ହୋଇଯାଇଥିବାରୁ ସେ ଖୁସି ହୋଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମୁଆଥାଇ ଖେଳୁଥିବା ଲଭ୍‌ଲିନା ୨୦୧୨ରେ ମୁଷ୍ଟିଯୁଦ୍ଧକୁ ଆପଣାର କରିଥିଲେ।

ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି
ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଚତୁର୍ଥ ପଦକ ପକ୍କା କରିଛନ୍ତି କୁସ୍ତିବିତ୍‌ ରବି ଦାହିୟା। ବୁଧବାର ୫୭ ‌‌କେଜି ବର୍ଗରେ ଲଗାତାର ୩ ବାଉଟ୍‌ ଜିତି ଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସ୍ବର୍ଣ୍ଣ ପଦକ ମୁକାବିଲାରେ ସେ ଚତୁର୍ଥ ମାନ୍ୟତାପ୍ରାପ୍ତ କୁସ୍ତି‌ଯୋଦ୍ଧା ରୁଷିଆର ଜଉର ଉଗୁଏଭଙ୍କୁ ଭେଟିବେ। ଏଥିସହ ରବି ପଞ୍ଚମ ଭାରତୀୟ କୁସ୍ତିବିତ ଭାବେ ଅଲିମ୍ପିକ୍ସ ପୋଡିଅମ୍‌ରେ ଠିଆ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ କେଡି ଯାଦବ (୧୯୫୨ ହେଲସିଙ୍କିରେ କାଂସ୍ୟ), ସୁଶୀଲ କୁମାର (୨୦୦୮ ବେଜିଂରେ କାଂସ୍ୟ ଓ ୨୦୧୨ ଲଣ୍ଡନରେ ରୌପ୍ୟ), ଯୋଗେଶ୍ବର ଦତ୍ତ (୨୦୧୨ ଲଣ୍ଡନରେ କାଂସ୍ୟ), ସାକ୍ଷୀ ମଲିକ (୨୦୧୬ ରିଓରେ କାଂସ୍ୟ) ପଦକ ଜିତିଥିଲେ। ଚଳିତ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଭାରତକୁ ଯେଉଁ ତିନିଟି ପଦକ ମିଳିଛି ତାହା ମହିଳାଙ୍କଠୁ ଆସିଛି। ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ ଏବଂ ବ୍ୟାଡ୍‌ମିଣ୍ଟନରେ ପିଭି ସିନ୍ଧୁ ଓ ମୁଷ୍ଟିଯୁଦ୍ଧରେ ଲଭ୍‌ଲିନା ବୋର୍ଗୋହେଁ କାଂସ୍ୟ ପଦକ ଜିତିଛନ୍ତି।

ବୁଧବାର ପ୍ରିକ୍ବାର୍ଟର ଫାଇନା‌ଲ୍‌ରେ ଏହି ହରିଆଣା ଯୁବକ ରବି ୧୩-୧୨ରେ କଲମ୍ବିଆର ତିଗ୍ରେରୋସ ଉର୍‌ବାନୋଙ୍କୁ ଏବଂ କ୍ବାର୍ଟର‌ ଫାଇନାଲ୍‌ରେ ବୁଲଗେରିଆର ଜିଓର୍ଗି ଭାଲେଣ୍ଟିନୋଭ ଭାଙ୍ଗେଲୋଭଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସେମିଫାଇନାଲ୍‌ରେ ‌କାଜାଖସ୍ତାନର ନୁରିସଲାମ ସାନାୟେଭଙ୍କ ବିପକ୍ଷରେ ‘ପତନ ଦ୍ବାରା ବିଜୟ’ ହାସଲ କରିଥିଲେ। ପ୍ରଥମ ଭାଗରେ ୨-୧ରେ ଆଗୁଆ ରହିଥିଲେ। ହେଲେ ଦ୍ବିତୀୟ ଭାଗରେ ରବିଙ୍କ ବାମ ଗୋଡ଼କୁ ଆକ୍ରମଣ କରିବା ଲାଗି ସାନିୟେଭ ପୂରା ପ୍ରସ୍ତୁତ ହୋଇଆସିଥିଲେ। ସେହି ରଣନୀତି ଅପଣେଇ ସାନିୟେଭ ୯-୨ରେ ଆଗୁଆ ହୋଇଯାଇଥିଲେ। ଏଥିରେ କିନ୍ତୁ ରବି ବିଚଳିତ ନ ହୋଇ ନିଜ ପକ୍ଷକୁ ମ୍ୟାଚ୍‌ ଆଣିବାକୁ ଚେଷ୍ଟା କରିଥିଲେ। ‌ରବି ନିଜ ବଳ ‌ଓ କୌଶଳ ଲଗାଇ ବାଉଟ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ସାନୟେଭଙ୍କ ଦୁଇ ଗୋଡ଼ ଉପରେ ଆକ୍ରମଣ କରି ତଳେ ପକାଇ ‌୨ ପଏଣ୍ଟ କରାୟତ୍ତ କରିଥିଲେ। ଏହାପରେ ରବି ପୁଣି ଦୁଇ ଗୋଡ଼ ଆକ୍ରମଣରେ ସାନୟେଭଙ୍କୁ ତଳେ ପକାଇ ଜାବୁଡ଼ି ଧରିବାରୁ ସେ ଆଉ ଉଠି ପାରିନଥିଲେ। ରବିଙ୍କ ପଏଣ୍ଟ ୭ ହୋଇ ଯାଇଥିଲା। ଏଥିସହ ମ୍ୟାଚ୍‌ର ଫଳାଫଳ ‘ପତନ ଦ୍ବାରା ବିଜୟ’ ରବିଙ୍କ ସପକ୍ଷରେ ଯାଇଥିଲା।

ସମ୍ବନ୍ଧିତ ଖବର