ଭୁବନେଶ୍ବର: ଚଳିତ ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍)ର କ୍ବାର୍ଟରଫାଇନାଲରେ ଦୁଇ ଓଡ଼ିଶା ଦଳ ସ୍ପୋର୍ଟ୍ସ ଓଡ଼ିଶା ଏବଂ ଓଡ଼ିଶା ଏଫ୍ସିର ଅଭିଯାନ ଶେଷ ହୋଇଯାଇଛି। ମଙ୍ଗଳବାର ଅହମଦାବାଦରେ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ ଉଭୟ ଦଳ ପେନାଲ୍ଟି ସୁଟ୍ରେ ହାରିଥିଲେ। ସ୍ଥାନୀୟ ସାହିବାଗ ପୁଲିସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ସ୍ପୋର୍ଟ୍ସ ଓଡ଼ିଶା ୨-୪ (୧-୧) ପେନାଲ୍ଟି ସୁଟ୍ରେ ଇଷ୍ଟର୍ଣ୍ଣ ସ୍ପୋର୍ଟ୍ସ ୟୁନିଅନ ଏଫ୍ସିଠୁ ପରାସ୍ତ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ କିମ୍ (୬୭ ମିନିଟ୍)ଙ୍କ ଗୋଲ୍ରେ ଇଷ୍ଟର୍ଣ୍ଣ ସ୍ପୋର୍ଟ୍ସ ୟୁନିଅନ ଅଗ୍ରଣୀ ନେଇଥିଲା। ୮୦ତମ ମିନିଟ୍ରେ ସ୍ପୋର୍ଟ୍ସ ଓଡ଼ିଶାର ମନୀଷା ନାଏକ ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ। ଏହି ସ୍ଥିତି ଶେଷ ପର୍ଯ୍ୟନ୍ତ ରହିବାରୁ ଫଳାଫଳ ଲାଗି ପେନାଲ୍ଟି ସୁଟ୍ର ସହାୟତା ନିଆଯାଇଥିଲା। ଏଥିରେ ଇଷ୍ଟର୍ଣ୍ଣ ସ୍ପୋର୍ଟ୍ସ ୪-୨ରେ ବାଜି ମାରିଥିଲା।
ପେନାଲ୍ଟି ସୁଟ୍ରେ ଓଡ଼ିଶାର ରିତୁ ଦେବୀ, ସାନମିଜା ଚାନୁ ଗୋଲ୍ ଦେଇଥିଲା ବେଳେ ଇଷ୍ଟର୍ଣ୍ଣ ସ୍ପୋର୍ଟ୍ସର ନିର୍ମଳା ଦେବୀ, ଅନିତା ଦେବୀ, କମଳା ଦେବୀ ଓ ପରମେଶ୍ବରୀ ଦେବୀ ଗୋଲ୍ ଦେଇଥିଲେ। ସେହିପରି ଟ୍ରାନ୍ସଷ୍ଟାଡିଆ ଗ୍ରାଉଣ୍ଡରେ ଓଡ଼ିଶା ଏଫ୍ସି ୦-୩ (୧-୧) ପେନାଲ୍ଟି ସୁଟ୍ରେ ଗୋକୁଳମ କେରଳ ଏଫ୍ସିଠୁ ହାରିଯାଇଥିଲା। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଅଧିନାୟିକା ବାଲା ଦେବୀଙ୍କ ଗୋଲ୍ରେ ଓଡ଼ିଶା ଆରମ୍ଭରୁ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧର ଇନ୍ଜୁରି ସମୟରେ ଗୋକୁଳମ କେରଳର ଆସେମ ରୋଜା ଦେବୀ (୪୫+୪ ମିନିଟ୍)ଙ୍କ ଗୋଲ୍ରେ ମ୍ୟାଚ୍ ୧-୧ ସମାନ ରହିଥିଲା। ଦ୍ବିତୀୟାର୍ଦ୍ଧ ଗୋଲ୍ ଶୂନ୍ୟରେ ସରିଥିଲା। ଫଳରେ ମ୍ୟାଚ୍ ପେନାଲ୍ଟି ସୁଟ୍କୁ ଯାଇଥିଲା। ଏଥିରେ ଗୋକୁଳମ କେରଳ ୩-୦ରେ ଆଗୁଆ ରହି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ପେନାଲ୍ଟି ସୁଟ୍ରେ ଓଡ଼ିଶାର ୩ ଜଣ ଯାକ ଖେଳାଳି ଅଞ୍ଜୁ ତମାଙ୍ଗ, ବାଲା ଦେବୀ ଓ ପ୍ୟାରି ଖାଖା ଗୋଲ୍ ଦେବାରେ ବିଫଳ ହୋଇଥିଲା ବେଳେ ଗୋକୁଳମର ଆଶାଲତା ଦେବୀ, ସବିତ୍ରା ଓ ଇନ୍ଦୁମତୀ ସଫଳ ହୋଇ ଦଳକୁ ବିଜୟ ଦେଇଥିଲେ।
ଅନ୍ୟ ଦୁଇ କ୍ବାର୍ଟରଫାଇନାଲ୍ରେ କିକ୍ ଷ୍ଟାର୍ଟ ଏଫ୍ସି ୨-୧ ଗୋଲ୍ରେ ଏଚ୍ଓପିଏସ୍ ଫୁଟ୍ବଲ୍ କ୍ଲବ୍ ଏବଂ ସେଥୁ ମଦୁରାଇ ୯-୦ ଗୋଲ୍ରେ ଇଷ୍ଟ ବେଙ୍ଗଲ ଏଫ୍ସିକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ।