ଦୁଇଟି ଦିନିକିଆରୁ ବାସନ୍ଦ ହୋଇପାରନ୍ତି:ପାଣ୍ଡ୍ୟା-ରାହୁଲ

ମୁମ୍ବାଇ: ‘କଫି ୱିଥ୍ କରଣ’ ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେବା ମାମଲାରେ ଭାରତୀୟ କ୍ରିକେଟ୍‌ର ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବୁଧବାର ପାଣ୍ଡ୍ୟା ଏଥିନେଇ ପ୍ରଥମେ ଟ୍ବିଟରରେ କ୍ଷମା ମାଗିଥିଲେ। ପରେ ପ୍ରଶାସନିକ ସମିତି (ସିଓଏ)ର କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ନିଜ କର୍ମ ପାଇଁ ଦୁଃଖ ପ୍ରକାଶ କରିବା ସହ କାହାର ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସଫେଇ ଦେଇଥିଲେ। ତେବେ ତାଙ୍କ କ୍ଷମାପ୍ରାର୍ଥନା ଏବଂ ଦୁଃଖପ୍ରକାଶ ବିସିସିଆଇ ପରିଚାଳନା‌ ଦାୟିତ୍ବରେ ଥିବା ସିଓଏକୁ ସନ୍ତୁଷ୍ଟ କରିପାରିନାହିଁ। ସେଥିପାଇଁ ଉଭୟ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଦୁଇଟି ଲେଖାଏଁ ଦିନିକିଆରୁ ବାସନ୍ଦ କରିବାକୁ ସିଓଏ ମୁଖ୍ୟ ବିନୋଦ ରାଏ ସୁପାରିସ କରିଛନ୍ତି। ସିଓଏର ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ କିନ୍ତୁ ମାମଲାକୁ ବିସିସିଆଇ ଆଇନ ବିଭାଗକୁ ପଠାଇ ଦେଇଛନ୍ତି। ବାସନ୍ଦାଦେଶ ଲାଗୁ ହେଲେ ପାଣ୍ଡ୍ୟା ଓ ରାହୁଲ ଶନିବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରୁ ବଞ୍ଚିତ ହେବେ। ଏଥିନେଇ ମତ ପ୍ରକାଶ କରି ରାଏ କହିଛନ୍ତି ଯେ ହାର୍ଦିକଙ୍କ ସ୍ପଷ୍ଟୀକରଣରେ ମୁଁ ଆଦୌ ସନ୍ତୁଷ୍ଟ ନୁହେଁ। ଉଭୟ ‌ଖେଳାଳିଙ୍କୁ ମୁଁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରିବାକୁ ସୁପା‌ରିସ କରିଛି। ଡାଏନା ସମ୍ମତି ଦେଲା ପରେ ଯାଇ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ ଯେ ‘କଫି ୱିଥ୍ କରଣ’ କାର୍ଯ୍ୟକ୍ରମରେ ପାଣ୍ଡ୍ୟା ମହିଳାଙ୍କୁ ନେଇ ଅନେକ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ ସେଭଳି କିଛି ବିବାଦୀୟ କଥା କହି ନଥିଲେ ମଧ୍ୟ ବନ୍ଧୁ ପାଣ୍ଡ୍ୟାଙ୍କୁ ଏଥିରେ ସମର୍ଥନ କରିଥିଲେ। ମାମଲା ବିବାଦୀୟ ହେବା ପରେ ପାଣ୍ଡ୍ୟା କ୍ଷମା ମାଗିଥିଲେ ମଧ୍ୟ ରାହୁଲ ଏବେ ବି ଚୁପ୍ ରହିଛନ୍ତି। ଆନୁଷ୍ଠାନିକ ଭାବେ ସେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ସେପଟେ ରାହୁଲ ଓ ପାଣ୍ଡ୍ୟାଙ୍କୁ ବାସନ୍ଦ କରିବା ନେଇ ଡାଏନା ଆଇନ ବିଶେଷଜ୍ଞଙ୍କ ମତ ଲୋଡ଼ିଛନ୍ତି। ବାସନ୍ଦାଦେଶ ଆଇନସମ୍ମତ ଥିଲେ, ସେ ମଧ୍ୟ ଏହାକୁ ସବୁଜ ସଙ୍କେତ ଦେଖାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଡାଏନା କେବଳ ବିସିସିଆଇ ଆଇନ ବିଭାଗ ସହ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ଏବଂ କୋଷାଧକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ମତାମତ ଲୋଡ଼ିଛନ୍ତି। ଅନିରୁଦ୍ଧ ବାସନ୍ଦାଦେଶ ସପକ୍ଷରେ ଥିବା ଜଣାପଡ଼ିଛି। ସେହିଭଳି ବିନା ଅନୁମତିରେ ଅଣକ୍ରିକେଟ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ପାଣ୍ଡ୍ୟା ଏବଂ ରାହୁଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ବାନ କରିଛନ୍ତି।

ଭଜିଙ୍କୁ ଇଞ୍ଜିନିୟରଙ୍କ ସମାଲୋଚନା
ମୁମ୍ବାଇ: ସ୍ପିନର ଆର ଅଶ୍ବିନଙ୍କୁ ନେଇ ପୂବର୍ତନ ସ୍ପିନର ହରଭଜନ ସିଂହ ଦେଇଥିବା ମନ୍ତବ୍ୟକୁ ପୂର୍ବତନ ଭାରତୀୟ କ୍ରିକେଟର ଫାରୁକ୍ ଇଞ୍ଜିନିୟର ସମାଲୋଚନା କରିଛନ୍ତି। ଭାରତୀୟ ‌ଦଳକୁ ଯେତେବେଳେ ତାଙ୍କର ସର୍ବାଧିକ ଦରକାର ଥିଲା, ଅଶ୍ବିନ ସେତେବେଳେ ଆହତ ହୋଇଗଲେ। ଏବେ କୁଲଦୀପ ଦଳର ଏକ ନମ୍ବର ସ୍ପିନରର ମାନ୍ୟତା ପାଇବା ଉଚିତ ବୋଲି ଭଜି କହିଥିଲେ। ହେଲେ ନିଜ ଘର କଥା ଭଜି ବାହାରେ କହିବାକୁ ଇଞ୍ଜିନିୟର ପସନ୍ଦ କରି ନାହାନ୍ତି। ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଇଞ୍ଜିନିୟର କହିଛନ୍ତି ଯେ ଅଶ୍ବିନଙ୍କୁ ନେଇ ହରଭଜନ ଦେଇଥିବା ମନ୍ତବ୍ୟକୁ ଆପଣ ଶୁଣିଛନ୍ତି କି? ପ୍ରଥମ ଏବଂ ଦ୍ବିତୀୟ ସ୍ପିନରର ମାନେ କଣ? ସ୍ପିନର ସବୁବେଳେ ସ୍ପିନର। ଅଶ୍ବିନ ଜଣେ ଚମତ୍କାର ବୋଲର। ମୋତେ ଲାଗୁଛି ଭଜିଙ୍କର ଅଶ୍ବିନଙ୍କ ଉପରେ କିଛି ବ୍ୟକ୍ତିଗତ ରାଗ ଓ ଅସନ୍ତୋଷ ରହିଛି। ଜଣେ ଅଫ୍ ସ୍ପିନର ହୋଇ ଆଉ ଜଣେ ଅଫ୍ ସ୍ପିନରଙ୍କ ବିରୋଧରେ ଖରାପ କଥା କହିବା ତାଙ୍କୁ ଶୋଭା ପାଉନି। ଏହା ମହେନ୍ଦ୍ର ସିଂହ ଧୋନି ଯୁବ ଋଷବ ପନ୍ତଙ୍କୁ ସମାଲୋଚନା କରିବା ଭଳି। ଏହା କ୍ରିକେଟ୍ ନୁହେଁ। ୬୦ ଏବଂ ୭୦ ଦଶକରେ ଭାରତର ଶ୍ରେଷ୍ଠ ୱିକେଟ୍ ରକ୍ଷକ ମାନ୍ୟତା ଲାଭ କରିଥିବା ଇଞ୍ଜିନିୟର ଦିନିକିଆ ଶୃଙ୍ଖଳା ପାଇଁ ଏହି ଅବସରରେ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର