ଦୁଇ ଜଣ ଷ୍ଟାଫ୍‌ଙ୍କ କରୋନା ପରୀକ୍ଷା ପଜିଟିଭ୍‌ : ହକି ଇଣ୍ଡିଆ କାର୍ଯ୍ୟାଳୟ ତାଲାବନ୍ଦ

ଡିଙ୍ଗକୋ ସିଂହ କୋଭିଡ୍‌-୧୯ ପଜିଟିଭ୍‌

ନୂଆଦିଲ୍ଲୀ : ଗତକାଲି (ଶନିବାର) ହକି ଇଣ୍ଡିଆର ଦୁଇ ଜଣ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ବିତ୍ତ ବିଭାଗର କର୍ମଚାରୀ ଥିଲା ବେଳେ ଅନ୍ୟ ଜଣେ କନିଷ୍ଠ କ୍ଷେତ୍ର ଅଧିକାରୀ ଥିଲେ। ଏହାପରେ ହକି ଇଣ୍ଡିଆ କାର୍ଯ୍ୟାଳୟ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅବଶ୍ୟ ଉଭୟ କର୍ମଚାରୀଙ୍କୁ ଗୃହାବଦ୍ଧ ରଖାଯାଇଛି ଏବଂ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ମର୍ଗଦର୍ଶିକା‌ ମୁତା‌ବକ କଡ଼ା ମେଡିକାଲ ତତ୍ତ୍ବାବଧାନରେ ରହିଛନ୍ତି।‌ ଏହାପରେ ହକି ଇଣ୍ଡିଆ କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି। ତାଲାବନ୍ଦ ସମୟ ମେ’ ୩୦ ତାରିଖରୁ ଲାଗୁ କରାଯାଇଛି। ହକି ଇଣ୍ଡିଆ ସଭାପତି ମୁସ୍ତାକ୍‌ ଅହମ୍ମଦ କାର୍ଯ୍ୟାଳୟ ତାଲାବନ୍ଦ ନେଇ ସୂଚନା ଦେଇଛନ୍ତି। ମୋଟ ୩୧ ଜଣଙ୍କ କୋଭିଡ୍‌-୧୯ ପରୀକ୍ଷା ହୋଇଥିଲା ବେଳେ ଦୁଇ ଜଣ ଷ୍ଟାଫ୍‌ଙ୍କ ପଜିଟିଭ୍‌ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ୩୧ ଜଣଙ୍କ ମଧ୍ୟରୁ ୨୯ ଜଣ ନିଜ ଇଛାରେ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କର ନେଗେଟିଭ୍‌ ରିପୋର୍ଟ ମିଳିଥିଲା। ତେଣୁ ସଂପୃକ୍ତ ୨୫ ଜଣ ୧୪ ଦିନ ପାଇଁ ଆତ୍ମ ସଂଗବଦ୍ଧ ରହିଛନ୍ତି। ହେଲେ ଆଉ ୨ ଜଣ ପରୀକ୍ଷା ପାଇଁ ରାଜି ନହେବାରୁ ତାଙ୍କ ପରୀକ୍ଷା ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବାକୁ ଉଭୟଙ୍କୁ ବାରଣ କରାଯାଇଛି।

ଆଉ ଏହାର ପଦକ୍ଷେପ ସ୍ବରୂପ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଏବଂ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ଦେଶର ସମସ୍ତ କ୍ରୀଡ଼ା ସଂଘ (ଏନ୍‌ଏସ୍‌ଏଫ୍‌), ସମସ୍ତ ରାଜ୍ୟ ଅଲିମ୍ପିକ୍‌ ସଂଘ ଏବଂ ଆଇଓକୁ ସେମାନଙ୍କ ସମସ୍ତ ଷ୍ଟାଫ୍‌ ସଦସ୍ୟଙ୍କ କୋଭିଡ୍‌-୧୯ ପରୀକ୍ଷା କାଳବିଳମ୍ବ ନକରି କରାଇନେବାକୁ ପରାମର୍ଶ ଦେଇଛନ୍ତି। ଏହା ହେଲେ ଆମ ଆଥ୍‌ଲେଟ୍‌ଙ୍କ ସହିତ ହିତାଧିକାରୀମାନଙ୍କ ଆତ୍ମବିଶ୍ବାସ ବଢ଼ିବାରେ ସହାୟକ ହେବ ବେଲି ବାତ୍ରା କହିଛନ୍ତି। ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏନ୍‌ଏସ୍‌ଏଫ୍‌ ଏବଂ ରାଜ୍ୟ ଅଲିମ୍ପିକ୍‌ ସଂଘର ଦୈନନ୍ଦିନ ସମସ୍ତ ଅଫିସ କାର୍ଯ୍ୟ ଘରୁ କରିବାକୁ ମଧ୍ୟ ବାତ୍ରା ନିର୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ମେ’ ୨୫ ତାରିଖରେ ତାଙ୍କ ବାପାଙ୍କ କରୋନା ପରୀକ୍ଷା ପଜିଟିଭ୍‌ ବାହାରିବା ଏବଂ ସେ ବାତ୍ରା ହସ୍ପିଟାଲରେ ଭର୍ତ୍ତି ହେବା ପରଠାରୁ ଆଇଓ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଗୁରୁବାରଠାରୁ ୧୭ ଦିନ ପାଇଁ ନିଜ ଗ୍ରେଟର କୈଳାଶ ବାସଭବନରେ ଗୃହାବଦ୍ଧ ରହିଛନ୍ତି।

ଡିଙ୍ଗକୋ ସିଂହ କୋଭିଡ୍‌-୧୯ ପଜିଟିଭ୍‌
ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ମୁଷ୍ଟିଯୋଦ୍ଧା ଡିଙ୍ଗକୋ ସିଂହ କୋଭିଡ୍‌-୧୯ରେ ପଜିଟିଭ୍ ବାହାରିଛନ୍ତି। କର୍କଟ ଆକ୍ରାନ୍ତ ଡିଙ୍ଗ୍‌କୋ ଦୁଇ ଦିନ ଧରି ଦିଲ୍ଲୀରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ୨୪୦୦ କିଲୋମିଟର୍‌ ସଡ଼କ ଯାତ୍ରା କରି ମଣିପୁର ଫେରିଥିଲେ। ଶନିବାର ଡିଙ୍ଗ୍‌କୋଙ୍କ ସ୍ବାବ୍‌ ଟେଷ୍ଟ୍ ପଜିଟିଭ୍ ଆସିଥିବା ସେ ନିଜେ ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ସହ ଯାତ୍ରା କରିଥିବା ପତ୍ନୀ ବାବାଇ ଦେବୀ ନେ‌ଭେଟିଭ୍ ରହିଛନ୍ତି। ‘ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯିବାକୁ ବାହାରିଥିଲି, କିନ୍ତୁ କୋଭିଡ୍‌-୧୯ ପଜିଟିଭ୍ ଆସିଥିବା ସେମାନେ ମୋତେ ଗତକାଲି ଜଣାଇଛନ୍ତି। ଏବେ ହସପିଟାଲ୍‌ରେ ଭର୍ତ୍ତି ହୋଇଛି। ମୋର ଏଭଳି ସ୍ଥିତି ସତ୍ତ୍ବେ ଡାକ୍ତରମାନେ ଆତ୍ମବିଶ୍ବାସ ରଖିଛନ୍ତି। ମୋ ଭାଗ୍ୟରେ କ’ଣ ଅଛି‌ ଏବେ ଦେଖିବାର ଅଛି’ ବୋଲି ଡିଙ୍ଗ୍‌କୋ କହିଛନ୍ତି। ମେ’ ୧୯ ତାରିଖରେ ସେ ନେଭେଟିଭ୍ ବାହାରିବା ପରେ ଦିଲ୍ଲୀରୁ ଆସି ୨୨ ତାରିଖରେ ଇମ୍ଫାଲର ଏକ‌ ହୋଟେଲ୍‌ରେ ସଙ୍ଗରୋଧରେ ଥିଲେ। ସୂଚନାଯୋଗ୍ୟ, ୪୧ ବର୍ଷୀୟ ଡିଙ୍ଗ୍‌କୋଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଇମ୍ଫାଲରୁ ଏୟାରଲିଫ୍ଟରେ ଦିଲ୍ଲୀ ନିଆଯାଇଥିଲା। କର୍କଟ ପୀଡ଼ିତ ଡିଙ୍ଗକୋଙ୍କୁ ଜାନୁଆରିରେ ଜଣ୍ଡିସ୍ ହୋଇଥିଲା। ୨୦୧୭ରେ ମଧ୍ୟ ସେ କେମୋଥେରାପି ନେଇଥିଲେ।

ସମ୍ବନ୍ଧିତ ଖବର