ବାରବାଟୀରେ ଦୁଇଟି ଟ୍ବେଣ୍ଟି-୨୦: ଭାରତ ଗୋଟିଏ ଜିତି ଅନ୍ୟଟି ହାରିଛି

ବୋଲରଙ୍କ ପାଇଁ ପନ୍ତଙ୍କୁ ଦାୟୀ କରାଯାଇପାରିବନି: ଭୁବନେଶ୍ବର

ଭୁବନେଶ୍ୱର: ବାରବାଟୀରେ ଦୁଇଟି ଟ୍ବେଣ୍ଟି-୨୦ ଖେଳାଯାଇଛି। ଭାରତ ଉଭୟଟିରେ ସମ୍ପୃକ୍ତ ଥାଇ ଗୋଟିଏ ଜିତି ଅନ୍ୟଟି ହାରିଛି। ସେହି ହାରିବା ମ୍ୟାଚ୍‌ଟି କିନ୍ତୁ ବାରବାଟୀ ଇତିହାସରେ କଳଙ୍କିତ ଅଧ୍ୟାୟ ଯୋଡି ଦେଇଥିଲା। ଦକ୍ଷିଣ ଆଫ୍ରିକା ଦଳ ସହ ୨୦୧୫ ଅକ୍ଟୋବର ୫ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ‌ଧୋନିଙ୍କ ଦଳ ମାତ୍ର ୯୨ ରନ୍‌ରେ ଅଲଆଉଟ୍ ହୋଇଯିବା ପରେ ଛକାଚୌକା ବର୍ଷା ‌ଦେଖିବାକୁ ଆସିଥିବା ବାରବାଟୀ ପ୍ରଶଂସକ ଖେଳାଳିଙ୍କ ଉପରକୁ ବୋତଲ ବର୍ଷା କରିଥିଲେ। ‌ଖେଳ ଢେର ସମୟ ଅଟକିରହିବା ପରେ ଦକ୍ଷିଣ ଆଫ୍ରିକା ଅନାୟାସରେ ୬ ୱିକେଟ୍‌ରେ ଜିତିଥିଲା। ବାରବାଟୀରୁ ଏହି କଳଙ୍କ ଲିଭାଇବା ଲାଗି ଢେର ସମ୍ମାନ ଦେବାକୁ ପଡ଼ିଥିଲା। ଏବେ ସେହି ଦକ୍ଷିଣ ଆଫ୍ରିକା ଦଳ ସହ ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଆଫ୍ରିକୀୟ ଭୂତ ଗୋଡ଼ାଇବା ଆଶଙ୍କା ବି ରହିଛି। ଦକ୍ଷିଣ ଆଫ୍ରିକା ଏଠାରେ ଗୋଟିଏ ଟ୍ବେଣ୍ଟି-୨୦ ଖେଳି ବିଜୟୀ ହୋଇଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିବ। ୭ ବର୍ଷ ତଳର ସେହି ମ୍ୟାଚ୍‌ରୁ ଦୁଇ ଦଳର ଚୂଡାନ୍ତ ଏକାଦଶରୁ ୨ ଜଣ ଲେଖାଏଁ ବର୍ତ୍ତି ରହିଛନ୍ତି। ଡେଭିଡ୍ ମିଲର, କାଗିସୋ ରଦାଦା ଭ୍ରମଣକାରୀ ଦଳରୁ ପୁଣି ବାରବାଟୀରେ ଖେଳିବେ। ଭୁବନେଶ୍ବର କୁମାର ଓ ଅକ୍ଷର ପଟେଲ୍‌ ସେହି ଭାରତୀୟ ଦଳରୁ ଖେଳିଥିବାରୁ ବର୍ତ୍ତି ରହିଛନ୍ତି। ବାରବାଟୀରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ୨୦୧୭ ଜାନୁଆରି ମାସରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ରୋହିତ ଶର୍ମାଙ୍କ ଦଳ ୯୩ ରନ୍‌ରେ ଜିତି ବାରବାଟୀକୁ ଆଲୋକିତ କରିଥିଲେ। ୟୁଝବେନ୍ଦ୍ର ଚହଲ (୪/୨୩) ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ସେହି ଦଳରୁ ଚହଲଙ୍କ ସହିତ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଭୁବନେଶ୍ବର କୁମାର ପ୍ରମୁଖ ୫ ଜଣ ୫ ବର୍ଷ ପରେ ବାରବାଟୀ ଆସିଛନ୍ତି।

ଘାସୁଆ ପିଚ୍‌ ଓ ମେଘୁଆ ପରିବେଶ
ବାରବାଟୀ ମ୍ୟାଚ୍‌ ପାଇଁ ଉତ୍କଣ୍ଠା ଯେତିକି ଆଶଙ୍କା ବି ସେତିକି। ପୂର୍ବଦିନ ଅର୍ଥାତ୍‌ ଶନିବାର ଭୁବନେଶ୍ବର-କଟକ ଆକାଶ ମେଘୁଆ ରହିଥିଲା। ସଂଧ୍ୟାଯାଏଁ ବର୍ଷା ହୋଇନଥିଲା। ରବିବାର ପାଇଁ ବର୍ଷାର ପୂର୍ବାନୁମାନ ନ ଥିବା ମଧ୍ୟ ପାଣିପାଗ ବିଭାଗ କହୁଛି। ତେବେ ମେଘୁଆ ପରିବେଶ ଓ ପିଚ୍‌ରେ ଥିବା ଘାସକୁ ନଜରରେ ରଖିଲେ ଏଠାରେ ଦିଲ୍ଲୀ ଭଳି ବଡ଼ ସ୍କୋର୍‌ ହେବ ନାହିଁ ବୋଲି ସ୍ପଷ୍ଟ ବାରି ହୋଇପଡୁଛି। ସ୍ଲୋ ପିଚ୍‌ କାରଣରୁ ବୋଲରଙ୍କୁ ବି ସହାୟତା ମିଳିବ, ସ୍ପିନରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ପେସ୍‌ ବୋଲରଙ୍କୁ ମଧ୍ୟ ଆଶ୍ବସ୍ତ କରିଛି ବାରବାଟୀର ଘାସୁଆ ପିଚ୍‌। ତାପମାତ୍ରା ୩୭ ଡିଗ୍ରି ଓ ଆର୍ଦ୍ରତା ୬୪% ପ୍ରତିଶତ ରହିବ ବୋଲି ଆକଳନ ରହିଛି।

କଟକ: ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ବ୍ୟାଟି˚ ବହୁତ ଭଲ ରହିଥିଲା। କିନ୍ତୁ ବୋଲି˚ ଆଶାନୁଯାୟୀ ହୋଇପାରିନଥିଲା। ତେଣୁ ଦ୍ବିତୀୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସ୍ଥିତି ବରାବର କରିବାକୁ ଚାହିଁବୁ ବୋଲି ଭାରତୀୟ ଦଳର ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଦଳର ବ୍ୟାଟି˚କୁ ନେଇ କୌଣସି ସମସ୍ୟା ନାହିଁ। କେବଳ ବୋଲି˚କୁ ଅଧିକ ଶାଣୀତ କରିବାର ଆବଶ୍ୟକତା ରହିଥିବା ଉପରେ ସେ ଜୋର ଦେଇଛନ୍ତି। ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିଲେ ହେଁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକ ନଥିବା ସେ କହିଛନ୍ତି। ବୋଲରମାନେ ଖରାପ ପ୍ରଦର୍ଶନ କରିଥିବା ସେ ସ୍ବୀକାର କରିବା ସହ ନେଟ୍ସରେ ବୋଲରଙ୍କୁ ଅଧିକ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ ପରେ ଯଦି ଦ୍ବିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୁଏ, ତାହେଲେ ଯୁବ ଖେଳାଳିଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଯଦିଓ ବୁମ୍‌ରା ଓ ସାମି ଦଳରେ ନାହାନ୍ତି, କିନ୍ତୁ ଯୁବ ଖେଳାଳି ଓ ମୁଁ ବ୍ୟକ୍ତିଗତ ଭାବେ ଆଇପିଏଲ୍‌ରେ ସଫଳତା ପାଇଛୁ। ତେଣୁ ବୋଲରଙ୍କ ମଧ୍ୟରେ ନିଜେ ଦଳକୁ ନେତୃତ୍ବ ନେବା ସହ ଯୁବ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ମୋର କର୍ତ୍ତବ୍ୟ ରହିବ। ଦଳର ବରିଷ୍ଠ ଖେଳାଳି ଭାବେ ଯୁବ ବୋଲରଙ୍କୁ ଆବଶ୍ୟକ ଅନୁଯାୟୀ ସହାୟତା ଯୋଗାଇଦେବି। ମୁଁ ମୋ ଦାୟିତ୍ବ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହିଁବି। ପାଵାରପ୍ଲେ ଭିତରେ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ହେବ ବୋଲି ଭୁବନେଶ୍ବର କହିଛନ୍ତି।
ଦଳର ନୂଆ ଅଧିନାୟକଙ୍କ ଉପରେ ସେ କହିଛନ୍ତି, ଋଷଭ ପନ୍ତଙ୍କର ଏହା ପ୍ରଥମ ମ୍ୟାଚ୍‌ ଥିଲା। ତେଣୁ ପ୍ରଥମ ମ୍ୟାଚ୍‌ରେ ଦଳର ପରାଜୟ ପାଇଁ ତାଙ୍କୁ ଦାୟୀ କରିବା ଠିକ୍‌ ହେବ ନାହିଁ। ମ୍ୟାଚ୍‌ରେ ହାର-ଜିତ ହୁଏ। ଆଗକୁ ସବୁ ମ୍ୟାଚ୍‌ରେ ଭଲ ଖେଳିବାକୁ ଚେଷ୍ଟା କରିବୁ। ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କଲେ ଅଧିନାୟକଙ୍କୁ ଶ୍ରେୟ ମିଳିବ। ଆମର ବୋଲି˚ ଭଲ ହୋଇନଥିଲା, ହେଲେ ଏଥିପାଇଁ ପନ୍ତଙ୍କୁ ଦୋଷୀ କରିବା ଠିକ୍‌ ହେବ ନାହିଁ। ବ୍ୟାଟି˚, ବୋଲି˚ ଓ କ୍ଷେତ୍ରରକ୍ଷଣରେ ଭଲ ପ୍ରଦର୍ଶନ କଲେ ଆମେ ଶୃଙ୍ଖଳା ଜିତିପାରିବୁ ବୋଲି ସେ କହିଛନ୍ତି। ଦ୍ବିତୀୟ ମ୍ୟାଚ୍‌ ପାଇଁ ବାରବାଟୀ ପଡ଼ିଆ ସାମାନ୍ୟ ଛୋଟ ଲାଗୁଛି। ପଡ଼ିଆ ଛୋଟ ହେଲେ ବୋଲରଙ୍କୁ ସମସ୍ୟା ହୋଇଥାଏ। କିନ୍ତୁ ଏହା ନୂଆ କଥା ନୁହେଁ। ପୂର୍ବରୁ ଅନ୍ୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା କିମ୍ବା ଆଇପିଏଲ୍‌ରେ ଆମେ ଛୋଟ ପଡ଼ିଆରେ ଖେଳି ଅଭ୍ୟସ୍ତ ଅଛୁ। ତେଣୁ ଛୋଟ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିରଖିବା ସବୁ ବୋଲରଙ୍କ ପାଇଁ ପରୀକ୍ଷାର ସମୟ ହେବ। ପଡ଼ିଆର ସ୍ଥିତି ଅନୁସାରେ ଆମକୁ ଖେଳିବାକୁ ହେବ ବୋଲି ଭୁବନେଶ୍ବର କହିଛନ୍ତି।

ସମ୍ବନ୍ଧିତ ଖବର