ଜାତୀୟ ହକି ପାଇଁ ଓଡ଼ିଶାର ଦୁଇ ଦଳ: ଅସ୍ମିତା ବରିଷ୍ଠ, ଜ୍ୟୋତି କନିଷ୍ଠ ଦଳ ଅଧିନାୟିକା

ଭୁବନେଶ୍ବର: ହକି ଇଣ୍ଡିଆ ଆୟୋଜିତ ୧୧ତମ ଜାତୀୟ କନିଷ୍ଠ ଓ ବରିଷ୍ଠ ହକି ପ୍ରତ‌ିଯୋଗିତା ଲାଗି ଦୁଇ ଓଡ଼ିଶା ଦଳ ରବିବାର ଘୋଷିତ ହୋଇଛି। ଓଡ଼ିଶା ହକି ଅସ୍ଥାୟୀ ସମିତି ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରରେ ଚାଲିଥିବା ପ୍ରଶିକ୍ଷଣ ଶିବିର ଶେଷରେ ଏହି ଦଳ ଚୟନ କରାଯାଇଛି। ଅସ୍ମିତା ବାର୍ଲା ବରିଷ୍ଠ ଦଳର ଏବଂ ଜ୍ୟୋତି ଛତ୍ରୀ କନିଷ୍ଠ ଦଳର ନେତୃତ୍ବ ନେବାର ସୁଯୋଗ ପାଇଛନ୍ତି। ସେହିଭଳି ଅନ୍ତର୍ଜାତୀୟ ଖେଳାଳି ପାଉଲିନା ସୁରିନ୍‌ ଏବଂ ଅଲିମ୍ପିଆନ୍ ଲାଜରୁସ୍‌ ବାର୍ଲାଙ୍କୁ ଯଥାକ୍ରମେ ବରିଷ୍ଠ ଦଳର ପ୍ରଶିକ୍ଷକ ଓ ପ୍ରବଂଧକ ଭାବେ ନିଯୁକ୍ତ କରାଯାଇଛି। ଡାକ୍ତର ଶୋଭନ ଓ ରେଶ୍ମା ଲାକ୍ରା ସହାୟକ ଭାବେ କାର୍ଯ୍ୟ କରିବେ। ସୁଷମା ନନ୍ଦ ଏବଂ କାଳୁଚରଣ ଚୌଧୁରୀଙ୍କୁ କନିଷ୍ଠ ଦଳର ପ୍ରଶିକ୍ଷକ ଓ ପ୍ରବଂଧକ ଭାବେ ଦାୟିତ୍ବ ତୁଲାଇବେ। ଶୁଭସ୍ମିତା ମହାନ୍ତି ଫିଜିଓ, ସରିତା ରୋଶନ ହନୁମାନ ଓ ଉପାସନା ଯାଦବ ଫିଟନେସ୍ ଟ୍ରେନର୍‌ ନିଯୁକ୍ତ ହୋଇଛନ୍ତି। ରବିବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍‌ ହକି ପଡ଼ିଆରେ ଓଡ଼ିଶା ହକି ଅସ୍ଥାୟୀ ସମିତି ଅଧ୍ୟକ୍ଷ ଦିଲୀପ ତିର୍କି ଏବଂ କ୍ରୀଡ଼ା ଓ ଯୁବେସବା ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଖେଳାଳିମାାନଙ୍କୁ ଜର୍ସି ଓ କ୍ରୀଡ଼ା ଉପକରଣ ପ୍ରଦାନ ପୂର୍ବକ ସେମାନଙ୍କ ସଫଳତା କାମନା କରିଥିଲେ। ‘‘ଦୁଇ ବର୍ଷ ପରେ ଖେଳାଳିମାନଙ୍କୁ ହକି ଷ୍ଟିକ୍ ଧରି ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ ସ‌ୁଯୋଗ ମିଳିଛି। ଆଶା କରିବା ଏଥର ଓଡ଼ିଶାର ଉଭୟ ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ’’ ବୋଲି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଏକାଦଶତମ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଝାନ୍‌ସୀ (ଅକ୍ଟୋବର ୨୧-୩୦)ରେ ଏବଂ ଏକାଦଶତମ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତା ଝାଡ଼ଖଣ୍ଡର ସିମଡେଗା (ଅକ୍ଟୋବର ୨୦-୨୯)ରେ ଅନୁଷ୍ଠିତ ହେବ। ଓଡ଼ିଶା କନିଷ୍ଠ ଦଳ ସୋମବାର ସିମଡେଗା ଅଭିମୁଖେ ଯାତ୍ରା କରିବ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ହକି ଓଡ଼ିଶାର ଅନୁବଂଧନକୁ ହକି ଇଣ୍ଡିଆ ବାଜ୍ୟାପ୍ତ କରିବା ପରେ ଓଡ଼ିଶା ହକି ଆଡହକ ସମିତିର ଏହା ପ୍ରଥମ ଜାତୀୟ ଦଳ ପ୍ରେରଣ।

ଓଡ଼ିଶା ବରିଷ୍ଠ ମହିଳା ଦଳ: ଅସୀମା ମିଞ୍ଜ୍‌, ରୋସାଲିଆ ଲାକ୍ରା, ଅସ୍ମିତା ବାର୍ଲା (ଅଧିନାୟିକା), ଖୁସ୍‌ବୁ କୁଜୁର, ଭାରତୀ ଏକ୍କା, ସୁଶାନ୍ତି ମିଞ୍ଜ୍‌, ରିଙ୍କି କୁଜୁର୍‌, ପ୍ରେମିତା ବାରା,‌ ପ୍ରେମାଞ୍ଜଳି ଟୋପ୍ପୋ, ଲକ୍ଷ୍ମୀ ଏକ୍କା, ଦୀପ୍ତି ଲାକ୍ରା, ଅସିମ କାଞ୍ଚନ ବାର୍ଲା, ଜାହ୍ନବୀ ପ୍ରଧାନ, ନମ୍ରତା ଜସ୍ମିନ ବାରା, ଅବିନାଶି ମୁକ୍ତି ସୁରିନ୍‌, ରୋଜିତା କୁଜୁର, ସରିତା କେରକେଟା, ପୁନମ ମିଞ୍ଜ୍‌। ପ୍ରଶିକ୍ଷକ: ପାଇଲିନା ସୁରିନ୍, ପ୍ରବଂଧକ: ଲାଜରୁସ୍ ବାର୍ଲା।

ଓଡ଼ିଶା କନିଷ୍ଠ ମହିଳା ଦଳ: ମାଧୁରୀ କିଣ୍ଡୋ, ସୁନେଲି ଓରାମ, ଫିଲିସିଆ ଟୋପ୍ପୋ, ମମିତା ଓରାମ, ନେହା ଟୋପ୍ପୋ, ମମତା କିଣ୍ଡୋ, ଆଞ୍ଜେଲା ଟୋପ୍ପୋ, ମେରି କଣ୍ଡୁଲିନା, ନିତୁ ଲାକ୍ରା, ଜ୍ୟୋତି ଛତ୍ରୀ (ଅଧିନାୟିକା), ନିକିତା ଟୋପ୍ପୋ, ଜ୍ୟୋତ୍ସ୍ନା ରୋହିଦାସ, ନିମାବତି ସିଂହ, ଆତେନ୍ ଟୋ‌ପ୍ନୋ, କମଳା ସିଂହ, ନେହା ଲାକ୍ରା, ଦୀପ୍ତି ମୋନିକା ଟୋପ୍ପୋ, ସନ୍ଧ୍ୟା କୁଜୁର।
ପ୍ରଶିକ୍ଷକ: ସୁଷମା ନନ୍ଦ, ପ୍ରବଂଧକ: କାଳୁଚରଣ ଚୌଧୁରୀ।

ଜାତୀୟ ବରିଷ୍ଠ ମହିଳା ହକିରେ ରାଜିନ ଅମ୍ପାୟାର

ଭୁବନେଶ୍ବର: ଉତ୍ତରପ୍ରଦେଶର ଝାନ୍‌ସୀଠାରେ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏକାଦଶ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ରାଜିନ ଏକ୍କା ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ଏଥିଲାଗି ଖୁବଶୀଘ୍ର ସେ ଝାନ୍‌ସୀ ଯାତ୍ରା କରିବେ। ଆୟୋଜନ ସମିତି ସଂପାଦକ ଆର୍‌ପି ସିଂହ ଏକ ପତ୍ର ମାଧ୍ୟମରେ ଏହି ବିଷୟ ତାଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜିନ ବହୁ ଜାତୀୟସ୍ତରୀୟ ହକି ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର