ଭୁବନେଶ୍ବର: ଅହମଦାବାଦରେ ଚାଲିଥିବା ଇଣ୍ଡିଆନ୍ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ଓଡ଼ିଶାର ଦୁଇଟି ଯାକ ଦଳ ଓଡ଼ିଶା ଏଫ୍ସି ଓ ସ୍ପୋର୍ଟ୍ସ ଓଡ଼ିଶା ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମିସାକା ୟୁନାଇଟେଡ୍ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖି ସ୍ପୋର୍ଟ୍ସ ଓଡ଼ିଶା ଏହି ସ୍ଥାନ ନିଶ୍ଚିତ କରିଥିଲା। ସ୍ପୋର୍ଟ୍ସ ଓଡ଼ିଶା ୭ ମ୍ୟାଚ୍ ଖେଳି ୪ ବିଜୟ, ୨ ପରାଜୟ, ୧ ଅମୀମାଂସିତରୁ ୧୩ ପଏଣ୍ଟ ପାଇ ଗ୍ରୁପ୍-ଏ’ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା।
ସେହିପରି ଶନିବାର ଓଡ଼ିଶା ଏଫ୍ସି ନିଜର ଶେଷ ଲିଗ୍ ମ୍ୟାଚ୍ରେ ସେଥୁ ମଦୁରାଇ ସହ ପଏଣ୍ଟ ବାଣ୍ଟି ଏହି ସ୍ଥାନ ନିଶ୍ଚିତ କରିଛି। ଅହମଦାବାଦର ସାହିବଗ ପୁଲିସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଏଥିସହ ସହ ଓଡ଼ିଶା ଏଫ୍ସି ୭ ମ୍ୟାଚ୍ ଖେଳି ୫ ବିଜୟ, ୧ ପରାଜୟ, ୧ ଅମୀମାଂସିତରୁ ୧୬ ପଏଣ୍ଟ ପାଇ ଗ୍ରୁପ୍-ବି’ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା। ଶୀର୍ଷରେ ସେଥୁ (୧୭) ରହିଥିଲା ବେଳେ କିକ୍ ଷ୍ଟାର୍ଷ୍ଟ ଏଫ୍ସି କର୍ଣ୍ଣାଟକ (୧୬) ଓ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନ (୧୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହି ଏହି ଗ୍ରୁପ୍ରୁ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲେ।
ମଙ୍ଗଳବାର ପ୍ରଥମ କ୍ବାର୍ଟରଫାଇନାଲ୍ରେ କିକ୍ ଷ୍ଟାର୍ଷ୍ଟ ଏଫ୍ସି ଭେଟିବ ଏଚ୍ଓପିଏସ୍ ଫୁଟ୍ବଲ୍ କ୍ଲବ୍କୁ ଏହାପରେ ସ୍ପୋର୍ଟ୍ସ ଓଡ଼ିଶା ଦ୍ବିତୀୟ କ୍ବାର୍ଟରରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନ ସହ ମୁକାବିଲା କରିବ। ଅନ୍ୟ ଦୁଇ କ୍ବାର୍ଟରରେ ସେଥୁ-ଇଷ୍ଟବେଙ୍ଗଲ ଏବଂ ଗୋକୁଳମ କେରଳ-ଓଡ଼ିଶା ଏଫ୍ସି ମୁହାଁମୁହିଁ ହେବେ। ସେମିଫାଇନାଲ୍ ଦ୍ବୟ ୧୯ରେ ଏବଂ ଫାଇନାଲ୍ ମ୍ୟାଚ୍ ୨୧ରେ ଖେଳାଯିବ।