ହୋବାର୍ଟ : ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଦୁଇ ଥର ଲେଖାଏଁ ବିଶ୍ବକପ୍ ଜିତିଥିବା ୱେଷ୍ଟଇଣ୍ଡିଜ୍ ଆଉ ଏକ ନିମ୍ନ ଛୁଇଁଛି। ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ରାଉଣ୍ଡ୍ ସୀମା ଅତିକ୍ରମ କରିପାରିନାହିଁ। ସ୍କଟ୍ଲାଣ୍ଡ ନିକଟରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିବା ନିକୋଲାସ୍ ପୂରନଙ୍କ ଦଳ ଶୁକ୍ରବାର ଆୟର୍ଲାଣ୍ଡ୍ଠୁ ୯ ୱିକେଟ୍ରେ ହାରି ମୁଖ୍ୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଅନ୍ୟ ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍କୁ ପରାସ୍ତ କରି ଜିମ୍ବାୱେ ମଧ୍ୟ ସୁପର୍-୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିନେଇଛି। ଗ୍ରୁପ୍ ‘ବି’ରୁ ଜିମ୍ବାୱେ ବିଜେତା ଏବଂ ଆୟର୍ଲାଣ୍ଡ ଉପବିଜେତା ଭାବେ ଆଗକୁ ବଢ଼ିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ଭାରତ ସାମିଲ ଥିବା ଗ୍ରୁପ୍-୨ରେ ଖେଳିବ ଜିମ୍ବାୱେ।
ହୋବାର୍ଟର ବେଲେରିଭ୍ ଓଭାଲ୍ରେ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପାୱାର ପ୍ଲେ ଭିତରେ ୨ ୱିକେଟ୍ ହରାଇବାରୁ ହାତଖୋଲା ସଟ୍ ଖେଳି ପାରିନଥିଲେ ଦଳର ବ୍ୟାଟର୍। କେବଳ ପରିସ୍ଥିତି ଅନୁସାରେ ଖେଳି ବ୍ରାଣ୍ଡନ୍ କିଙ୍ଗ୍ (୪୮ ବଲ୍ରୁ ୬୨* ରନ୍) ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଅନ୍ୟ କାହାରିଠାରୁ ଲମ୍ବା ପାଳି ନ ପାଇବା ଫଳରେ ୱେଷ୍ଟଇଣ୍ଡିଜ୍ ୧୪୬/୫ରେ ସୀମିତ ରହିଯାଇଥିଲା। ଅବଶ୍ୟ ଓଡିଅନ୍ ସ୍ମିଥ୍ (୧୨ ବଲ୍ରୁ ୧୯* ରନ୍)ଙ୍କ ବିସ୍ଫୋରକ ପାଳି କାରଣରୁ ଇଣ୍ଡିଜ୍ ଏହି ସମ୍ମାନଜନକ ସ୍କୋର୍ କରିପାରିଥିଲା। ମାୟର୍ସ (୧), ଲୁଇସ (୧୩), ପୂରନ (୧୩), ପାୱେଲ୍ (୬) ପ୍ରମୁଖ ବିଫଳ ହେବା ଇଣ୍ଡିଜ୍କୁ ଆହ୍ବାନଭରା ସ୍କୋର୍ ପ୍ରଦାନରୁ ବଞ୍ଚିତ ରଖିଥିଲା। ଆୟର୍ଲାଣ୍ଡ୍ ପକ୍ଷରୁ ଷଷ୍ଠ ବୋଲର ଭୁମିକା ତୁଲାଇଥିବା ଅଲରାଉଣ୍ଡର୍ ଗ୍ୟାରେଥ୍ ଡେଲାନି (୪-୦-୧୬-୩) କାରବୀୟଙ୍କ ପାଇଁ କାଳ ହୋଇଥିଲେ।
ଜବାବରେ ଆୟର୍ଲାଣ୍ଡ୍ ପଶ୍ଚାତଧାବନରେ କୌଣସି ପ୍ରତିବଂଧକର ସମ୍ମୁଖୀନ ହୋଇନଥିଲା। ୭.୩ ଓଭରରେ ପଲ୍ ଷ୍ଟର୍ଲିଂ ଓ ଆଣ୍ଡ୍ରିଉ ବଲ୍ବିର୍ଣ୍ଣି ୭୩ ରନ୍ ଉଠାଇବା ପରେ ଲୋର୍କାନ୍ ଟକ୍କରଙ୍କ ବିସ୍ଫୋରକ ପାଳି ଅଢ଼େଇ ଓଭର ପୂର୍ବରୁ ଦଳକୁ ୯ ୱିକେଟ୍ରେ ବିଜୟୀ କରିଥିଲା। ବଲବିର୍ଣ୍ଣି ୨୩ ବଲ୍ରୁ ୩୭ ରନ୍ କରି ଏକମାତ୍ର ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ପଲ୍ ଷ୍ଟର୍ଲିଂ ୪୮ ବଲ୍ରୁ ୬୬* ଏବଂ ଟକ୍କର ୩୫ ବଲ୍ରୁ ୪୫* ରନ୍ କରିଥିଲେ। ଡେଲାନି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟ୍ଇଣ୍ଡିଜ୍ ୨୦ ଓଭରରେ ୧୪୬/୫ (ବ୍ରାଣ୍ଡନ କିଙ୍ଗ୍-୬୨*, ଜନ୍ସନ୍ ଚାର୍ଲସ-୨୪, ଓଡିନ୍ ସ୍ମିଥ୍-୧୯*, ଗାରେଥ୍ ଡେଲାନି-୩/୧୬, ସିମି ସିଂହ-୧/୧୧)। ଆୟର୍ଲାଣ୍ଡ୍ ୧୭.୩ ଓଭରରେ ୧୫୦/୧ (ପଲ୍ ଷ୍ଟର୍ଲିଂ-୬୬*, ଲୋର୍କାନ ଟକ୍କର-୪୫*, ଆଣ୍ଡ୍ରିଉ ବଲ୍ବିର୍ନି-୩୭, ଅକିଲ ହୋସେନ-୧/୩୮)।
ଜିମ୍ବାୱେକୁ ପ୍ରଥମ ଥର ଯୋଗ୍ୟତା
ପ୍ରଥମ ରାଉଣ୍ଡ୍ ତଥା ଗ୍ରୁପ୍ ‘ବି’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଜିମ୍ବାୱେ ୫ ୱିକେଟ୍ରେ ସ୍କଟ୍ଲାଣ୍ଡ୍କୁ ପରାସ୍ତ କରିଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍କୁ ବିଦାୟ ରାସ୍ତା ଦେଖାଇବାର ଅନ୍ୟତମ ଦଳ ସ୍କଟ୍ଲାଣ୍ଡ୍ ନିଜେ ମଧ୍ୟ ଏହି ପଥର ପଥିକ ହୋଇଥିଲା। ଜିମ୍ବାୱେ କିନ୍ତୁ ପ୍ରଥମ ଥର ଟି-୨୦ ବିଶ୍ବକପ୍ ଦ୍ବିତୀୟ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରି ଇତିହାସ ରିଚିଛି। ଜର୍ଜ ମୁନ୍ସୀଙ୍କ ଆଉ ଏକ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ (୫୧ ବଲ୍ରୁ ୫୪ ରନ୍) ସତ୍ତ୍ବେ ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲାଣ୍ଡ୍ ୧୩୨/୬ରେ ସୀମିତ ରହିଯାଇଥିଲା। ତେନ୍ଦାଇ ଚତାରା ଓ ରିଚାର୍ଡ ଏନ୍ଗରଭା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ୮ ଓଭର ସୁଦ୍ଧା ଜିମ୍ବାୱେ ୪୨/୩ରେ ସଂଘର୍ଷ କରିଥିଲା। ଅଧିନାୟକ କ୍ରେଗ୍ ଏର୍ଭିନ୍ (୫୪ ବଲ୍ରୁ ୫୮ ରନ୍) ଏବଂ ସିକନ୍ଦର ରାଜା (୨୩ ବଲ୍ରୁ ୪୦ ରନ୍) ୬୪ ରନ୍ର ଭାଗୀଦାରି କରିବାରୁ ୯ ବଲ୍ ପୂର୍ବରୁ ଜିମ୍ବାୱେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୩୩ ରନ୍ରେ ପହଞ୍ଚିଯାଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ସିକନ୍ଦର ରାଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ସ୍କଟ୍ଲାଣ୍ଡ୍ ୨୦ ଓଭରରେ ୧୩୨/୬ (ଜର୍ଜ ମୁନ୍ସୀ-୫୪, କାଲୋମ ମ୍ୟାକ୍ଲିଓଡ-୨୫, ତେନ୍ଦାଇ ଚତାରା-୨/୧୪, ରିଚାର୍ଡ ଏନ୍ଗରଭା-୨/୨୮, ସିକନ୍ଦର ରାଜା-୧/୨୦)। ଜିମ୍ବାୱେ ୧୮.୩ ଓଭରରେ ୧୩୩/୫ (କ୍ରେଗ୍ ଏର୍ଭିନ୍-୫୮, ସିକନ୍ଦର ରାଜା-୪୦, ଜୋସ୍ ଡାଭେ-୨/୧୬, ମାର୍କ ୱାଟ୍-୧/୧୯, ବ୍ରାଡ୍ ହ୍ବିଲ୍-୧/୨୬)।