ଦୁଇ ମହିଳା କ୍ରିକେଟର୍‌ ବିବାହ ବନ୍ଧନ‌ରେ ଆବଦ୍ଧ

ଲଣ୍ଡନ: ଇଂଲଣ୍ଡର ଦୁଇ ମହିଳା କ୍ରିକେଟର୍ ନାଟ୍ ସ୍କିଭର ଓ କ୍ୟାଥରିନ୍ ବ୍ରଣ୍ଟ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପାଞ୍ଚବର୍ଷର ପ୍ରେମ ସଂପର୍କ ପରେ ଉଭୟ ରବିବାର ବିବାହ କରିଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ତଥା ଭାଷ୍ୟକାର ଈଶା ଗୁହା ଟ୍ବିଟ୍ କରି ସ୍କିଭର ଓ ବ୍ରଣ୍ଟ୍‌ଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି।

ଉଭୟ ସ୍କିଭର ଓ ବ୍ରଣ୍ଟ୍ ୨୦୧୭ ମସିହା ଇଂଲଣ୍ଡ ଏକଦିବସୀୟ ବିଶ୍ବକପ୍ ଦଳର ସଦସ୍ୟ ଥିଲେ। ବ୍ରଣ୍ଟ ଓ ସ୍କିଭରଙ୍କର ୨୦୧୯ ମସିହା ଅକ୍ଟୋବର ମାସରେ ନିର୍ବନ୍ଧ ହୋଇଥିଲା। ତେବେ କୋଭିଡ୍ ସଙ୍କଟ ପାଇଁ ବାହାଘର ହୋଇ ପାରି ନଥିଲା। ତେବେ ବିବାହ ବନ୍ଧନରେ ଆବଦ୍ଧ ହେବାରେ ସ୍କିଭର ଓ ବ୍ରଣ୍ଟ୍ କ୍ରି‌କେଟ୍ ଜଗତର ଏକମାତ୍ର ସମଲିଙ୍ଗୀ ଯୋଡ଼ି ନୁହନ୍ତି। ଏମାନଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡର ଆମି ସାଟର୍ଥୱେଟ୍ ଓ ଲିଆ ତାହୁହୁ ଏବଂ ଦକ୍ଷିଣ ଆଫ୍ରିକାର ମାରିଆନ୍ କାପ୍ ଓ ଡେନ୍ ଭାନ୍ ନିକେର୍କ ମଧ୍ୟ ପରସ୍ପରକୁ ବିବାହ କରିସାରିଛନ୍ତି।

ସମ୍ବନ୍ଧିତ ଖବର