କଟକ: ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମକୁ ପୁଣି ଥରେ ଆନ୍ତର୍ଜାତିକ ମ୍ୟାଚ୍ ଫେରିଛି। ଆସନ୍ତାବର୍ଷ ଫେବ୍ରୁଆରି ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଏଠାରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏସ˚କ୍ରାନ୍ତରେ ବିସିସିଆଇ ଆପେକ୍ସ କାଉନସିଲ୍’ର ସୋମବାର ବୈଠକରେ ସ୍ଥିର ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ୧୮ ତାରିଖରେ ବିଶାଖାପାଟଣା ଓ ତୃତୀୟ ମ୍ୟାଚ୍ ୨୦ ତାରିଖରେ ଥିରୁଅନନ୍ତପୁରମ୍ରେ ଖେଳାଯିବ ବୋଲି ଓଡ଼ିଶା କ୍ରିକେଟ୍ ସ˚ଘ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମ୍ୟାଚ୍ ଆୟୋଜନ ହେଲେ ବାରବାଟୀ ଷ୍ଟାଡିୟମରେ ଏହା ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ହେବ। ଏଥିପୂର୍ବରୁ ୨୦୧୫ରେ ଦକ୍ଷିଣ ଆଫ୍ରିକା ଓ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଥିଲା। ସେଥିମଧ୍ୟରୁ ପ୍ରଥମ ମ୍ୟାଚରେ ୬ ଵିକେଟ୍ରେ ପରାସ୍ତ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍କୁ ୯୩ ରନ୍ରେ ଭାରତ ଜିତିଯାଇଥିଲା। ଅନ୍ୟପକ୍ଷରେ ଏହି ଷ୍ଟାଡିୟମରେ ଶେଷ ଥରପାଇଁ ୨୦୧୯, ଡିସେମ୍ବର ୨୨ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ମ୍ୟାଚ୍ ଖେଳିଥିଲା ବେଳେ ଏହାକୁ ୪ ଵିକେଟ୍ରେ ଘରୋଇ ଦଳ ଜିତିଥିଲା। ୱେଷ୍ଟଇଣ୍ଡିଜ ମଧ୍ୟ ପଞ୍ଚମ ଥର ପାଇଁ ବାରବାଟୀରେ ଖେଳିବାକୁ ଯାଉଛି। ଏଥିପୂର୍ବରୁ ଭାରତ (୧୯ ଦିନିକିଆ, ୨ ଟ୍ବେଣ୍ଟି-୨୦, ୨ ଟେଷ୍ଟ୍) ପଛକୁ ଇ˚ଲଣ୍ଡ ଦ୍ବିତୀୟ ସର୍ବାଧିକ ଭାବେ ୫ଥର ବାରବାଟୀରେ ଖେଳିବାକୁ ଆସିଛି। ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ, ଭାରତ ଗସ୍ତରେ ଆସୁଥିଲା ବେଳେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଫେବ୍ରୁଆରି ୬ ତାରିଖରେ ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ, ୯ ତାରିଖରେ ଜୟପୁର, ୧୨ ତାରିଖରେ କୋଲ୍କାତାରେ ଉଭୟ ଦଳଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ ସୂଚନା ଅନୁଯାୟୀ, ବାରବାଟୀରେ ଏକ ଟେଷ୍ଟ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା। ତେବେ ଏଥର ମଧ୍ୟ ଟେଷ୍ଟ୍ ମ୍ୟାଚ୍ ତାଲିକାରୁ କଟକକୁ ବାଦ୍ କରାଯାଇଥିଲେ ବି ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ଓଡ଼ିଶାକୁ ବଛାଯାଇଛି। ଏଥିପାଇଁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଜଣାଇବା ସହ ଆନ୍ତର୍ଜାତିକ ମ୍ୟାଚ୍ ବେଳକୁ ଷ୍ଟାଡିୟମ ସ˚ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତେବେ ବାରବାଟୀ ଷ୍ଟାଡିୟମର ନବୀକରଣ ହୋଇଥିବା ପଡ଼ିଆରେ ଏହା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ହେବାକୁ ଯାଉଥିବାରୁ ମ୍ୟାଚ୍ ପୂର୍ବରୁ ଏକାଧିକ ଥର ପଡ଼ିଆ ପରୀକ୍ଷା କରାଯିବ ବୋଲି କୁହାଯାଇଛି। କୋଭିଡ୍ କଟକଣା ଭିତରେ କିପରି ମ୍ୟାଚ୍ ଆୟୋଜନ କରାଯିବ ସେନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ˚ଜୟ ସୂଚନା ଦେଇଛନ୍ତି।
୮ ମାସରେ ଭାରତ ଖେଳିବ ୭ ଘରୋଇ ଶୃଙ୍ଖଳା: ୪ ଟେଷ୍ଟ୍, ୩ ଦିନିକିଆ, ୧୪ ଟ୍ବେଣ୍ଟି-୨୦
ନୂଆଦିଲ୍ଲୀ: ଭାରତର ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳସୂଚୀ ସୋମବାର ପ୍ରକାଶ ପାଇଛି। ୟୁଏଇରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଶେଷ ହେବାର ୩ ଦିନ ପରେ ନଭେମ୍ବର ୧୭ରୁ ଆରମ୍ଭ କରି ଭାରତ ୮ ମାସ ଭିତରେ ୪ଟି ଭ୍ରମଣକାରୀ ଦେଶ ବିପକ୍ଷରେ ମୋଟ ୭ଟି ଶୃଙ୍ଖଳା ଖେଳିବ। ଏହି ୭ ଶୃଙ୍ଖଳାରେ ମୋଟ ୨୧ ଅନ୍ତର୍ଜାତୀୟ ମ୍ୟାଚ୍ ରହିଛି। ସେଥିରେ ୪ ଟେଷ୍ଟ୍, ୩ ଦିନିକିଆ ଏବଂ ୧୪ ଟ୍ବେଣ୍ଟି-୨୦ ମ୍ୟାଚ୍ ସାମିଲ ରହିଛି। ନଭେମ୍ବର-ଡିସେମ୍ବରରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୩ ଟ୍ବେଣ୍ଟି-୨୦ ଓ ୨ ଟେଷ୍ଟ୍ ଖେଳାଯିବ। ୨୦୨୨ ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବ। ସେହିଭଳି ମାର୍ଚ୍ଚ ମାସରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ ଟେଷ୍ଟ୍ ଓ ୩ ଟ୍ବେଣ୍ଟି-୨୦ ଖେଳିବ। ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ।