୨ ବର୍ଷ ପରେ ପୁଅକୁ ଭେଟି ଭାବବିହ୍ବଳ ‌ହେଲେ ଧାୱନ୍‌

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ଭାରତୀୟ ଦଳର ତାରକା ଓପ୍‌ନର ଶିଖର ଧାୱନ୍‌ ତାଙ୍କ ପୁଅ ଜୋରାଭର୍‌ଙ୍କୁ ଭେଟିଛନ୍ତି। ଜୋରାଭର୍‌ ଅଷ୍ଟ୍ରେଲିଆରେ ଧାୱନ୍‌ଙ୍କ ପୂର୍ବତନ ପତ୍ନୀ ତଥା ମେଲ୍‌ବର୍ଣ୍ଣ ମୁଷ୍ଟିଯୋଦ୍ଧା ଆୟେଶା ମୁଖାର୍ଜୀଙ୍କ ସହ ରହୁଛନ୍ତି। ୨୦୨୦ ଅଗଷ୍ଟ ପରଠୁ କୋଭିଡ୍‌ କଟକଣା ପାଇଁ ଧାୱନ୍‌ ତାଙ୍କ ପୁଅକୁ ଦେଖିପାରିନଥିଲେ। ହେଲେ ଏବେ କଟକଣା କୋହଳ ଯୋଗୁଁ ବାପ-ପୁଅଙ୍କ ମିଳନ ଘଟିଛି। ବାପ-ପୁଅଙ୍କ ଭେଟକୁ ନେଇ ଧାୱନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଭାବବିହ୍ବଳ ଭିଡିଓ ସେୟାର କରିଛନ୍ତି। ଦୁଇ ବର୍ଷ ପରେ ମୁଁ ପୁଅକୁ ଭେଟିଛି। ‘‘ତା’ ସହିତ ମନଭରି ଖେଳିବି, ତାକୁ ଆଲିଙ୍ଗନ କରିବି ଏବଂ ବହୁତ କଥା ହେବି। ଏହା ମୋ ପାଇଁ ବହୁତ ଭାବପ୍ରବଣ ମୂହୁର୍ତ। ଏପରିକି ଏହି ମୂହୂର୍ତ ମୋ ପାଇଁ ମନେ ରହିବ’’ ବୋଲି ଧାୱନ୍‌ ଭିଡିଓରେ କ୍ୟାପ୍‌ସନ୍‌ ଲେଖି ପୋଷ୍ଟ କରିଛନ୍ତି। ଫଳରେ ସେ ପୁଅକୁ ଦେଖିବାରୁ ବଞ୍ଚିତ ହୋଇ କେତେ ମ୍ରିୟମାଣ ଥିଲେ ତାହା ଭିଡିଓରୁ ଜଣାପଡୁଛି। ଅନ୍ୟପକ୍ଷରେ ବାପାଙ୍କ ସହ ମିଳନ ପରେ ପୁଅ ଜୋରାଭର୍‌ ମଧ୍ୟ ଖୁବ୍‌ ଖୁସୀ ଜଣାପଡୁଛି। ବାପ-ପୁଅଙ୍କ ମିଳନକୁ ନେଇ ଧାୱନ୍‌ଙ୍କ ଏହି ଭିଡିଓ ତୁରନ୍ତ ଭାଇରାଲ ହୋଇଯାଇଥିଲା ଏବଂ ୩.୭ ଲକ୍ଷ ଅନୁଗାମୀ ଏହାକୁ ଲାଇକ୍‌ କରିସାରିଛନ୍ତି।

ସମ୍ବନ୍ଧିତ ଖବର