ନ୍ୟୁୟର୍କ : ବ୍ରିଟେନ୍‌ର ୧୮ ବର୍ଷୀୟା ଈମା ରାଡ଼ୁକାନୁ ଏବଂ କାନାଡ଼ାର ୧୯ ବର୍ଷୀୟା ଲିଲା ଫର୍ଣ୍ଣାଣ୍ଡିସ୍‌ ଶୁକ୍ରବାର ସେମାନଙ୍କ ଐତିହାସିକ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ଏକକ ସେମିଫାଇନାଲ୍‌ରେ ରାଡ଼ୁକାନୁ ସିଧାସଳଖ ୬-୧, ୬-୪ ସେଟ୍‌ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ଗ୍ରିକ୍‌ର ମାରିଆ ସାକାରିଙ୍କୁ ହରାଇଥିଲେ। ଏହି ମ୍ୟାଚ୍‌ ଜିତି ସେ ପ୍ରଥମ କ୍ବାଲିଫାୟର ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିବା ସହ ୧୭ ବର୍ଷ ବୟସରେ ସର୍ବକନି‌ଷ୍ଠ ଫାଇନାଲିଷ୍ଟ ହେବାର ଗୌରବ ଅର୍ଜନ କରିଛନ୍ତି। ମାରିଆ ସାରାପୋଭାଙ୍କ ପରେ ଫାଇନାଲ୍‌ରେ ପହଞ୍ଚିବାରେ ରାଡ଼ୁକାନୁ ସର୍ବକନି‌ଷ୍ଠ ହୋଇଛନ୍ତି। ୨୦୦୪‌ରେ ସାରାପୋଭା ୧୭ ବର୍ଷ ବୟସରେ ଫାଇନାଲ୍‌ରେ ପହଞ୍ଚିଥିଲେ। ଏଥିସହ ୧୦୦ରୁ ଅଧିକ ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ଭାବେ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ପହଞ୍ଚିବାରେ ସେ କିମ୍‌ କ୍ଲାଇଷ୍ଟରଙ୍କ ପରେ ଦ୍ବିତୀୟ ହୋଇଛନ୍ତି। ଯଦି ସେ ଫାଇନାଲ୍‌ରେ ଟ୍ରଫି ଜିତିନିଅନ୍ତି ତେବେ ଭିର୍ଗିନିଆ ୱାଦେ (ୱିମ୍ବଲଡନ୍‌ ୧୯୭୭)ଙ୍କ ପରେ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ହେବାରେ ପ୍ରଥମ ବ୍ରିଟିସ୍‌ ଖେଳାଳି ହେବେ। ‘‘ମୁଁ ଏବେ ଫାଇନାଲ୍‌ରେ; କିନ୍ତୁ ଏହାକୁ ବିଶ୍ବାସ କରିପାରୁନି। ମୁଁ କାଗଜରେ ଜଣେ ଯୋଗ୍ୟତା ଅର୍ଜନକାରୀ। ତେଣୁ ମୋ ଉପରେ କୌଣସି ଚାପ ନଥିଲା। ଅଧିକ ଆଶା ରଖିପାରିବି କି? ନିଜ ବ୍ୟତୀତ ମୁଁ ଅନ୍ୟ କାହା ବିଷୟରେ ଚିନ୍ତା କରୁନଥିଲି’’ ବୋଲି ରାଡ଼ୁକାନୁ କହିଛନ୍ତି।

Advertisment

ଅନ୍ୟପକ୍ଷରେ ୭୩ ମାନ୍ୟତାପ୍ରାପ୍ତ ଫର୍ଣ୍ଣାଣ୍ଡିସ୍‌ କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ୭-୬ (୭/୩), ୪-୬, ୬-୪ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ। ଏଥିସହ ସୋମବାର ୧୯ ବର୍ଷ ବୟସରେ ପାଦ ଥାପିଥିବା ଫର୍ଣ୍ଣାଣ୍ଡିସ୍‌ ଏହି ପ୍ରତିଯୋଗିତାର ନିଜର ୫ ମୁକାବିଲାରେ ଶ୍ରେଷ୍ଠ ୩ ମାନ୍ୟତାପ୍ରାପ୍ତ ତାରକାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି। ‌ସାବାଲେଙ୍କାଙ୍କ ପୂର୍ବରୁ ସେ ବିଜୟିନୀ ନାଓମି ଓସାକା ଓ ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥଲେ। ଯାହା ସ୍ଲାମ୍‌ରେ ସେରେନା ୱିଲିୟମ୍ସଙ୍କ ପରେ ପ୍ରଥମଥର ଦେଖିବାକୁ ମିଳିଛି। ୨୦୧୨ ୱିମ୍ବଲଡନ୍‌ରେ ସେରେନା ଏଭଳି ବିପର୍ଯ୍ୟୟ ଘଟାଇଥିଲେ। ‘‘କିଭଳି ଜିତିଲି ତାହା ପ୍ରକାଶ କରିପାରୁନି। ଏବେ ମୁଁ କହିବାକୁ ଚାହିଁବି ଯେ ଭଲ ଖେଳିଛି ଏବଂ ମୋ ସ୍ବପ୍ନ ସାକାର କରିବାକୁ ଯାଉଛି। ନ୍ୟୁୟର୍କ ଦର୍ଶକଙ୍କୁ ଧନ୍ୟବାଦ। ସେମାନେ ମୋତେ ସହଯୋଗ ଏବଂ ଉତ୍ସାହିତ କରିଛନ୍ତି’’ ବୋଲି ବିଜୟ ପରେ ପର୍ଣ୍ଣାଣ୍ଡିସ୍‌ କହିଛନ୍ତି।

ଆଥର ଏସ୍‌ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ଏହି ଦୁଇ କିଶୋରୀ ମୁହାଁମୁହିଁ ‌ହେବେ। ଯିଏ ଜିତିବ ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ହେବ। ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ଦୁଇ ସ୍ବଳ୍ପ ବୟସୀ କିଶୋରୀ ମୁହାଁମୁହିଁ ହେବା ୨୨ ବର୍ଷ ପରେ ପ୍ରଥମ ଘଟଣା ହେବ। ୧୯୯୯ରେ ୧୭ ବର୍ଷୀୟା ସେରେନା ୧୮ ବର୍ଷୀୟା ମାର୍ଟିନା ହିଙ୍ଗିସ୍‌ଙ୍କୁ ହରାଇ ଟ୍ରଫି ଜିତିଥିଲେ। ଓପନ୍‌ ଏରାରେ ୧୯୬୮ ମସିହା ପରେ ଏହା ଅଷ୍ଟମ ଘଟଣା।