ତ୍ୟାଗୀ ଦେଲେ ରୋମାଞ୍ଚକର ବିଜୟ: ୨ ରନ୍‌ରେ ଜିତିଲା ରାଜସ୍ଥାନ; ଶେଷ ଓଭରରେ ପଞ୍ଜାବ ହାତରୁ ଖସିଗଲା ମ୍ୟାଚ୍‌

ଫିକା ପଡ଼ିଲା ଅର୍ଶଦୀପଙ୍କ ୫ ୱିକେଟ୍‌ ସଫଳତା

ଦୁବାଇ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ-ପଞ୍ଜାବ କିଙ୍ଗ୍ସ ମ୍ୟାଚ୍‌ ରୋମାଞ୍ଚକ ଭାବେ ଶେଷ ହୋଇଛି। ୧୮୬ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବକୁ ବିଜୟ ପାଇଁ ଶେଷ ଓଭରରେ ମାତ୍ର ୪ ରନ୍‌ର ଦରକାର ଥିଲା। ହେଲେ ଏହି ଘଟଣା ବହୁଳ ଓଭରରେ ବୋଲିଂ କରୁଥିବା କାର୍ତ୍ତିକ ତ୍ୟାଗୀ ୨ ୱିକେଟ୍‌ ନେବା ସହ ମାତ୍ର ୧ ରନ୍‌ ଦେଇ ରାଜସ୍ଥାନକୁ ୨ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଅନ୍ତିମ ଓଭରରେ ତ୍ୟାଗୀଙ୍କ ୬ ବଲ୍‌ର ରନ୍ ସଂଗ୍ରହ କ୍ରମ ଥିଲା ୦,୧, ୱିକେଟ୍, ୦, ୱିକେଟ୍, ୦। ଯାହା ଫଳରେ ପଞ୍ଜାବ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ୧୧.୫ ଓଭରରେ ୧୨୦/୧ ପକାଇଥିବା ଦୃଢ଼ ମୂଳଦୁଆ ବେକାର ଯାଇଥିଲା। ରାହୁଲ ୪୯ ରନ୍‌ରେ ଆଉଟ୍‌ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଇପିଏଲ୍‌ରେ ସେ ମଧ୍ୟ ୩,୦୦୦ ରନ୍ ପୂରଣ କରିଥିଲେ। ସେହିଭଳି ମୟଙ୍କ ୬୭ ରନ୍‌, ନିକୋଲାସ ପୁରଣ ୩୨ ରନ୍‌ ଏବଂ ଏଦେନ ମାର୍କରାମ ୨୬* ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ୫ ୱିକେଟ୍‌ ସଫଳତା ପାଇଥିବା ଅର୍ଶଦୀପ ସିଂହଙ୍କ ଆଇପିଏଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ବି ଫିକା ପଡ଼ିଯାଇଥିଲା।

ଫିକା ପଡ଼ିଲା ଅର୍ଶଦୀପଙ୍କ ୫ ୱିକେଟ୍‌ ସଫଳତା
ପୂର୍ବରୁ ବଡ଼ ସ୍କୋର୍‌ ଦିଗରେ ବଢ଼ୁଥିବା ରାଜସ୍ଥାନକୁ ଅଟକାଇଥିଲେ ଅର୍ଶଦୀପ ସିଂହ (୪-୦-୩୨-୫) ଏବଂ ମହମ୍ମଦ ସାମି (୪-୦-୨୧-୩)। ଉଭୟଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ୧୬ ଓଭରରେ ୧୬୪/୪ କରିଥିବା ରାଜସ୍ଥାନ ୧୮୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍‌ରେ ଏଭିନ ଲୁଇସ ଏବଂ ଯଶସ୍ବୀ ଜୟସ୍ବାଲ ୫.୩ ଓଭରରେ ୫୪ ରନ୍‌ ଯୋଡ଼ିଥିଲେ। ଲୁଇସ୍‌ ୩୬ ରନ୍‌ରେ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ସଂଜୁ ସାମସନ (୪ ରନ୍‌) ସଅଳ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ହେଲେ ଜୟସ୍ବାଲ ଏବଂ ଲିୟାମ ଲିଭିଂଷ୍ଟୋନ ୧୧ତମ ଓଭରରେ ଦଳୀୟ ସ୍କୋର୍‌ ୧୦୦ ରନ୍‌ ପାର କରାଇ ଦେଇଥିଲେ। ଲିଭିଂଷ୍ଟୋନ୍‌ଙ୍କୁ ୨୫ ରନ୍‌ରେ ଆଉଟ୍‌ କରି ଅର୍ଶଦୀପ ଦ୍ବିତୀୟ ସଫଳତା ପାଇଥିଲେ। ଅନ୍ୟପଟେ ଜୟସ୍ବାଲଙ୍କୁ ଯୋଗ ଦେଇଥିବା ମହିପାଳ ଲୋମରର୍‌ କ୍ରିଜ୍‌କୁ ଆସି ଧୁଆଁଧାର ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର୍‌ ୧୩୬ ଥିଲା ବେଳେ ଜୟସ୍ବାଲ (୪୯ ରନ୍‌) ୧ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ପ୍ୟାଭିଲିୟନ ଫେରିଥିଲେ। ଲୋମରର୍‌ (୪୩ ରନ୍‌, ୧୭ ବଲ୍‌, ୨ ଚୌକା, ୪ ଛକା) ୧୬ତମ ଓଭରରେ ୨୪ (୬, ୬, ୪, ୨, ୨, ୪) ରନ୍‌ ସଂଗ୍ରହ କରି ଦଳୀୟ ସ୍କୋର୍‌ ୧୬୪/୪ରେ ପହଞ୍ଚାଇଥିଲେ। ହେଲେ ଶେଷ ୪ ଓଭରରେ ସାମି ଓ ଅର୍ଶଦୀପ ଶାଣିତ ବୋଲିଂ କରି ମାତ୍ର ୧୩ ରନ୍‌ରେ ୬ ୱିକେଟ୍‌ ଝାଡ଼ି ରାଜସ୍ଥାନକୁ ବଡ଼ ସ୍କୋର୍‌ କରିବାକୁ ଦେଇ ନଥିଲେ। ଶେଷ ୨ ବଲ୍‌ରେ ୨ ୱିକେଟ୍‌ ଅକ୍ତିଆର କରି ୫ ୱିକେଟ୍‌ ସଫଳତା ହାସଲ କରିବା ସହ ଅର୍ଶଦୀପ ହ୍ୟାଟ୍ରିକ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। ସେ ମଧ୍ୟ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ଶେଷ ଓଭର ଚମତ୍କାର ପାଇଁ କିନ୍ତୁ ତ୍ୟାଗୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର