୫୪ ବର୍ଷରେ ଲଢ଼େଇକୁ ଫେରିବେ ଟାଇସନ୍‌

ଲଣ୍ଡନ୍: ତାଙ୍କୁ ଆପଣ ‘ଧରାପୃଷ୍ଠର ସବୁଠୁ ଖରାପ ମଣିଷ’ ଜାଣିଛନ୍ତି, ନିଜ ସମୟରେ ସେ ବିଖ୍ୟାତ ମୁଷ୍ଟିଯୋଦ୍ଧା ଥିଲେ, ଅନେକ ରେକର୍ଡ ବି ଭାଙ୍ଗିଥିଲେ, ବିବାଦର ସୂତ୍ରଧର ଓ ପସନ୍ଦର ପିଲାଟିଏ, ଗୋଟିଏ ମୁଥରେ ବି ପ୍ରତିପକ୍ଷକୁ ଧରାଶାୟୀ କରିବାର କ୍ଷମତା ରଖିଥିଲେ। ମାତ୍ର ୨୦ ବର୍ଷରେ ବିଶ୍ବର ସର୍ବକନିଷ୍ଠ ହେଭିୱେଟ୍‌ ବିଜେତା ହୋଇଥିଲେ। ମୁଷ୍ଟିଯୁଦ୍ଧ ଦୁନିଆର ସବୁଠୁ ଭୟଙ୍କର ପ୍ରତିଭା ‌ବି ସେ, ଲକ୍ଷ୍ୟଚ୍ୟୁତ କାରଣରୁ ଖେଳ ଜୀବନରେ ପାଣି ଭରିଯାଇଥିଲା। ସେହି ବ୍ୟକ୍ତିଜଣଙ୍କ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମାଇକ୍ ଟାଇସନ୍‌, ଯିଏକି ୫୪ ବର୍ଷ ବୟସରେ ପୁଣି ରିଂ’କୁ ପ୍ରତ୍ୟାବର୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶଂସକଙ୍କ ଭାରି ପ୍ରିୟ ମାଇକ୍ ଟାଇସନ୍‌ ସେପ୍ଟେମ୍ବର ୧୨ ତାରିଖରେ ଡିଗ୍ନିଟି ହେଲ୍‌ଥ ସ୍ପୋର୍ଟସ ପାର୍କରେ ଏକ ୮ ରାଉଣ୍ଡ୍‌ ବିଶିଷ୍ଟ ପ୍ରଦର୍ଶନୀ ଲଢ଼େଇରେ ଅବତୀର୍ଣ୍ଣ ହେ‌ବେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ରହିବେ ଚତୁର୍ଥ ଡିଭିଜନ୍ ବିଜେତା ରୟ ଜୋନ୍ସ ଜୁନିୟର୍‌।

ଅଶି ଦଶକ ଶେଷ ଭାଗରୁ ଏକବିଂଶ ଶତାବ୍ଦୀ ପ୍ରାରମ୍ଭ ପର୍ଯ୍ୟନ୍ତ ଅନେକ କୃତିତ୍ବର ଅଧିକାରୀ ହୋଇଥିବା ଟାଇସନ୍‌ ବିଶ୍ବର ଏକମାତ୍ର ମୁଷ୍ଟିଯୋଦ୍ଧା ଭାବେ ଡବଲ୍ୟୁବିଏ, ଡବଲ୍ୟୁବିସି ଏବଂ ଆଇବିଏଫ୍‌ ଟ୍ରଫି ଜିତିଥିଲେ। ନିଜ ଖେଳ ଜୀବନର ପ୍ରଥମ ୧୯ଟି ସେ ନକ୍ ଆଉଟ୍‌ରେ ଜିତିଥିଲେ। ଏଥି ମଧ୍ୟରୁ ୧୨ଟି ପ୍ରଥମ ରାଉଣ୍ଡରେ ଶେଷ ହୋଇଥିଲା। ଶେଷ ଥର ପାଇଁ ୨୦୦୫ରେ ଲଢ଼ିଥିବା ଟାଇସନ୍ ଏବେ ରିଂକୁ ଫେରିବା କଥା ଶୁଣି ପ୍ରଶଂସକମାନେ ବି ତାଜୁବ ହୋଇଗଲେଣି। ୧୯୮୬ ମସିହାରେ ମାତ୍ର ୨୦ ବର୍ଷ ବୟସରେ ଟାଇସନ୍‌ ସର୍ବକନିଷ୍ଠ ମୁଷ୍ଟିଯୋଦ୍ଧା ଭାବେ ହେଭିୱେଟ୍‌ ବିଜେତା ହୋଇଥିଲେ। ଟାଇସନ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ୫୧ ବର୍ଷୀୟ ଜୋନ୍‌ସ ୨୦୦୩ରେ ହେଭିୱେଟ୍‌ ଟାଇଟଲ୍ ଜିତିବା ପୂର୍ବରୁ ମିଡିଲୱେଟ୍‌, ସୁପରମିଡିଲୱେଟ ଏବଂ ଲାଇଟ୍‌ହେଭିୱେଟ୍‌ ମୁକୁଟ ଜିତିଥିଲେ। ଯାହାକି ୧୦୬ ବର୍ଷରେ ଜଣେ ପ୍ରଥମ ପୂର୍ବତନ ମିଡିଲୱେଟ୍‌ ବିଜେତା କରିପାରିଥିଲେ।

ସମ୍ବନ୍ଧିତ ଖବର