ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ର ଆୟୋଜନ ଏବଂ ଏଥିରେ ପଦାର୍ପଣ କରି ଇତିହାସ ରଚିଥିବା ଭାରତ ପ୍ରଥମ ମ୍ୟାଚ୍ରେ ପରାଜୟ ବରଣ କରିଛି। ନୂଆଦିଲ୍ଳୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମେରିକା ନିକଟରୁ ଭାରତ ୦-୩ରେ ହାରି ନିରାଶାଜନକ ଭାବେ ଅଭିଯାନ ଆରମ୍ଭ କରିଛି। ଆମେରିକୀୟ ଖେଳାଳିଙ୍କ ଗତି, ଯୋଜନା ଓ ରୂପାୟନ ଆଗରେ ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ହାର ମାନିଥିଲେ। ତଥାପି ଭାରତୀୟ ଖେଳାଳି ପ୍ରମାଣିତ କରିଥିଲେ ସେମାନେ ବିଶ୍ୱ ମଇଦାନରେ ଖେଳି ପାରିବେ ବୋଲି ପ୍ରମାଣିତ କରିଥିଲେ। ଐତିହାସିକ ମ୍ୟାଚରେ ଭାରତକୁ ପ୍ରଥମରୁ ଝଟ୍କା ଲାଗିଥିଲା। ବକ୍ସ ଅଞ୍ଚଳରେ ଜିତେନ୍ଦ୍ର ସିଂହ ଆମେରିକା ଅଧିନାୟକଙ୍କୁ ଫାଉଲ୍ ମାରିବାରୁ ପ୍ରତିପକ୍ଷଙ୍କୁ ପେନାଲ୍ଟି ମିଳିଥିଲା। ୩୦ ମିନିଟ୍ ବେଳେ ଅଧିନାୟକ ଜୋସ୍ ସର୍ଜେଣ୍ଟ୍ ଏହାକୁ ଗୋଲ୍ରେ ପରିଣତ କରିଥିଲେ। ପ୍ରଥମାର୍ଧ ପରେ କ୍ରିସ୍ ଡୁର୍କିନ୍ (୫୧ ମିନିଟ୍) ଏହାକୁ ୨-୦ରେ ଆଗୁଆ କରି ଦେଇଥିଲେ। ୮୪ତମ ମିନିଟ୍ରେ ଆଣ୍ଡ୍ରିଉ କାର୍ଲଟନ ଦଳର ତୃତୀୟ ଗୋଲ୍ ସ୍କୋର୍ କରିଥିଲେ। ଭାରତ ଗୋଲ୍ ଦେବାରେ ଏକମାତ୍ର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହା ବାର ଉପରେ ଚାଲିଯାଇଥିଲା। ପରାଜୟ ସହ ଭାରତୀୟ ଖେଳାଳିଙ୍କ ଆଖିରୁ ଲୁହ ବି ଝରି ପଡ଼ିଥିଲା। ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଅଧିନାୟକ ଅମରଜିତ୍ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଥୀ ଖେଳାଳିଙ୍କ ସହିତ ପରିଚିତ କରାଇ ଐତିହାସିକ ପଦାର୍ପଣ କରିଥିଲେ।
କଲମ୍ବିଆକୁ ହରାଇଲା ଘାନା
ଭାରତ ଖେଳିବା ପୂର୍ବରୁ ଗ୍ରୁପ୍ ‘ଏ’ର ଉଦଘାଟନୀ ମ୍ୟାଚରେ ୨ ଥର ବିଜେତା ଘାନା ୧-୦ ଗୋଲ୍ରେ କଲମ୍ବିଆକୁ ହରାଇ ଅଭିଯାନ ଆରମ୍ଭ କରିଛି। ନୂଆଦିଲ୍ଲର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଘାନା ପାଇଁ ଏକମାତ୍ର ଗୋଲ୍ ଦେଇଥିଲେ ସାଦିକ୍ ଇବ୍ରାହିମ୍। ଅଧିନାୟକ ଏରିକ୍ ଆୟାଙ୍କ କ୍ରସ୍ରୁ ସାଦିକ୍ ୩୯ତମ ମିନିଟ୍ର ଏହି ଗୋଲ୍ ଦେଇ ଘାନାକୁ ଶେଷ ପର୍ଯ୍ୟନ୍ତ ଆଗୁଆ ରଖିଥିଲେ। କଲମ୍ବିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ପଦାର୍ପଣ କରିଥିବାବେଳେ ଘାନା ନବମ ଥର ଖେଳୁଛି। ବ୍ଲାକ ଷ୍ଟାର୍ଲେଟ୍ସ ନାମରେ ପରିଚିତ ଘାନା ୧୯୯୧ ଏବଂ ୧୯୯୫ରେ ବିଜେତା ହୋଇଥିଲା। ପରବର୍ତୀ ମ୍ୟାଚ୍ରେ କଲମ୍ବିଆ ୯ ତାରିଖରେ ଭାରତ ସହିତ ଏବଂ ଘାନା ଆମେରିକା ସହିତ ଖେଳିବ। ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ କିନ୍ତୁ ଦର୍ଶକଙ୍କ ଉପସ୍ଥିତି କମ୍ ରହିବା ଭାରତୀୟଙ୍କ ଫୁଟ୍ବଲ୍ ପ୍ରେମକୁ ପ୍ରତିଫଳିତ କରିଥିଲା।
ତୁର୍କି ୧, ନ୍ୟୁଜିଲାଣ୍ଡ୍ ୧
ମୁମ୍ବାଇ: ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମ୍ରେ ଗ୍ରୁପ୍ ‘ବି’ର ଉଦଘାଟନୀ ମ୍ୟାଚ୍ ତୁର୍କି ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ପଛରେ ପଡ଼ିଯାଇଥିବା ନ୍ୟୁଜିଲାଣ୍ଡ୍ ପଏଣ୍ଟ ଭାଗ କରିବାରେ ସକ୍ଷମ ହୋଇଥିଲା। ମ୍ୟାଚ୍ର ୧୮ତମ ମିନିଟ୍ରେ ଅଗ୍ରଭାଗ ଖେଳାଳି ଅହମ୍ମଦ କୁଟୁସୁ ହେଡର ଜରିଆରେ ତୁର୍କିକୁ ଆଗୁଆ କରାଇଥିଲେ। ୫୮ତମ ମିନିଟ୍ରେ ଅଧିନାୟକ ମାକ୍ସ ମାଟା ନ୍ୟୁଜିଲାଣ୍ଡ୍କୁ ପରାଜୟରୁ ରକ୍ଷା କରିଥିଲେ। ସଂଯୋଗବଶତଃ ୮ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ମୁକାବିଲା ମଧ୍ୟ ୧-୧ ଗୋଲରେ ଅମୀମାଂସିତ ରହିଥିଲା।
ପାରାଗୁଏର ବିଜୟ ଅଭିଯାନ
ଚଳିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ରେ ପାରାଗୁଏ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନଭି ମୁମ୍ବାଇରେ ଖେଳା ଯାଇଥିବା ଗ୍ରୁପ୍-‘ବି’ର ଏହି ମ୍ୟାଚ୍ରେ ପାରାଗୁଏ ୩-୨ ଗୋଲ୍ରେ ମାଲିକୁ ପରାସ୍ତ କରିଛି। ପାରାଗୁଏର ଗାଲିଆନୋ (୧୨ ମିନିଟ୍), ସାନ୍ଚେଜ୍ (୧୭ ମିନିଟ୍) ଏବଂ ରୋଦ୍ରିଗୁଏଜ୍ (୫୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ମାଲି ପକ୍ଷରୁ ଡ୍ରାମି (୨୦ ମିନିଟ୍) ଏବଂ ଏନ୍ ଦିୟାଏ (୩୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।