ଗୌହାଟୀ: ଚଳିତ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଫୁଟ୍ବଲ୍ର ରବିବାର ରାତିରେ ଖେଳା ଯାଇଥିବା ଗ୍ରୁପ୍-ଇ’ର ଦ୍ୱିତୀୟ ମୁକାବିଲାରେ ଏସୀୟ ଶକ୍ତି ଜାପାନ କେନ୍ଦ୍ରୀୟ ଆମେରିକୀୟ ଦେଶ ହଣ୍ଡୁରାସକୁ ୬-୧ ଗୋଲ୍ରେ ପରାସ୍ତ କରିଛି। ଜାପାନ ଏହି ମ୍ୟାଚ୍ରେ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ଏହି ଦଳର ରଣନୀତି ଆଗରେ ହଣ୍ଡୁରାସର ସବୁ ପ୍ରଚେଷ୍ଟା ପୂରା ବିଫଳ ହୋଇ ଯାଇଥିଲା। ପ୍ରଥମାର୍ଧରେ ଚାରିଟି ଗୋଲ୍ ଦେବା ପରେ ଦ୍ୱିତୀୟାର୍ଧରେ ଆଉ ଦୁଇଟି ଗୋଲ୍ ଦେଇ ଜାପାନ ସହଜ ବିଜୟ ହାସଲ କରିଥିଲା। ସେପଟେ ହଣ୍ଡୁରାସ ଜାପାନ ଦେଇଥିବା ଅଧଡଜନେ ଗୋଲ୍ ମଧ୍ୟରୁ ମାତ୍ର ଗୋଟିଏକୁ ଶୁଝାଇ ପାରିଥିଲା। ହଣ୍ଡୁରାସ ମ୍ୟାଚ୍ର ପ୍ରଥମ ପନ୍ଦର ମିନିଟ୍ ପରେ ଜାପାନ ଖେଳାଳିଙ୍କ ଗତି ଏବଂ ବୈଷୟିକ କୌଶଳ ସହ ଆଦୌ ତାଳ ଦେଇ ପାରି ନଥିଲା। ଯାହା ଫଳରେ ୫ ଗୋଲ୍ ବ୍ୟବଧାନରେ ହାରି ଥିଲା। ଜାପାନ ପକ୍ଷରୁ କେଇଟୋ ନାକାମୁରା ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେ ୨୦, ୩୦ ଏବଂ ୪୩ ମିନିଟରେ ହଣ୍ଡୁରାସ ଗୋଲ୍ ରକ୍ଷକଙ୍କୁ ଚତୁରତାର ସହ ଚକ୍ମା ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମାର୍ଧର ଶେଷ ମିନିଟ୍ରେ ତାକେଫୁସୁ କୁବୋ (୪୫ ମିନିଟ୍) ଆଉ ଏକ ଗୋଲ୍ ଦେଇଥିଲେ। ଏହାର ୯ ମିିନିଟ୍ ପୂର୍ବରୁ ହଣ୍ଡୁରାସ ପକ୍ଷରୁ ପ୍ୟାଟ୍ରିକ୍ ପାଲାସିଓସ୍ ଏକମାତ୍ର ଗୋଲ୍ ଦେଇଥିଲେ। ଫଳରେ ପ୍ରଥମାର୍ଧ ୪-୧ରେ ଜାପାନ ସପକ୍ଷରେ ଯାଇଥିଲା। ଦ୍ୱିତୀୟାର୍ଧର ଷଷ୍ଠ ମିନିଟ୍ରେ ତାଇସେଇ ମିଆସିରୋ (୫୧) ଏବଂ ମ୍ୟାଚ୍ର ଶେଷ ମିନିଟ୍ରେ ତୋଇଚି ସୁଜୁକି ଦୁଇଟି ସୁନ୍ଦର ଗୋଲ୍ ଦେବା ପରେ ଜାପାନ ୬-୧ ଗୋଲ୍ରେ ବିଜୟୀ ହୋଇଥିଲା।
ହଣ୍ଡୁରାସର ହୋସ୍ ଉଡ଼ାଇଲା ଜାପାନ
/sambad/media/post_attachments/wp-content/uploads/2017/10/japan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)