ଆଜି ଲଢ଼ିବେ ଭାରତ-ଘାନା

ନୂଆଦିଲ୍ଲୀ: ପଦାର୍ପଣ ବିଶ୍ୱକପ୍‌ରେ ଲଗାତାର ଦୁଇଟି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ତା’ର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପୂର୍ବତନ ବିଜେତା ଘାନାକୁ ଭେଟିବ। ଏହି ମ୍ୟାଚ୍‌ ନୂଆଦିଲ୍ଲୀର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯିବ। ଘାନା ତା’ର ପ୍ରଥମ ମ୍ୟାଚ୍‌ରେ କଲୋମ୍ବିଆକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାଠୁ ୦-୧ ଗୋଲ୍‌ରେ ହାରିଥିଲା। ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାଠୁ ୦-୩ ଗୋଲ୍‌ରେ ପରାଜିତ ହୋଇଥିଲା। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ କଲମ୍ବିଆଠୁ ୧-୨ ଗୋଲ୍‌ରେ ହାରିଥିଲା। ଏହି ମ୍ୟାଚ୍‌ରେ ଜାକ୍‌ସନ୍‌ ସିଂହ ବିଶ୍ୱକପ୍‌ରେ ପ୍ରଥମ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ। ଯାହାକି ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇ ଦେଇଛି। ଅନ୍ତିମ ୧୬ ଦଳରେ ସ୍ଥାନ ପାଇବା ଭାରତ ଲାଗି ସହଜ ହୋଇନଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ଆମେ ପାରୁ ପର୍ଯ୍ୟନ୍ତ ଲଢ଼ିବୁ ବୋଲି ପ୍ରଶିକ୍ଷକ ଲୁଇସ୍‌ ନର୍ଟନ୍‌ ଡି’ମାତୋସ କହିଛନ୍ତି। ଅପରପକ୍ଷରେ ଏହି ଗ୍ରୁପ୍‌ରେ ଆମେରିକା ଶୀର୍ଷ ଦଳ ଭାବେ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଛି।

ସମ୍ବନ୍ଧିତ ଖବର