ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଭାରତରେ ଆରମ୍ଭ ହୋଇଯିବ ଫୁଟ୍ବଲ୍ ମହାକୁମ୍ଭ। ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ ନୂଆଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଉଦ୍ଘାଟିତ ହେବ। ଏଥି ସହିତ ବିଶ୍ୱକପ୍ ଆୟୋଜନ କରିବାରେ ଭାରତର ନାମ ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯିବ। ଭାରତର ଏହା ହେବ ପଦାର୍ପଣ ବିଶ୍ୱକପ୍। ତେଣୁ ଦଳରେ ସାମିଲ ଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପ୍ରଥମ ଥର ବିଶ୍ୱକପ୍ ଖେଳିବା ସୁଯୋଗ ସ୍ମରଣୀୟ ହୋଇ ରହିଯିବ। ଆୟୋଜକ ଦୃଷ୍ଟିକୋଣରୁ ଭାରତ ଏହି ବିଶ୍ୱକପ୍କୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ଆସନ୍ତାକାଲି ଉଦ୍ଘାଟନୀ ଦିବସରେ ଗ୍ରୁପ୍-ଏରେ ଆମେରିକା ସହ ଖେଳି ଭାରତ ମଧ୍ୟ ବିଶ୍ୱକପ୍ ପଦାର୍ପଣ କରିବ। ଏହାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଖେଳାଳିମାନେ ମଧ୍ୟ ମାନସିକ ଭାବେ ପ୍ରସ୍ତୁତ ହୋଇଯାଇଛନ୍ତି।
ଏଭଳି ବୃହତ୍ ପ୍ରତିଯୋଗିତାରେ ଘରୋଇ ପରିବେଶ ଓ ସମର୍ଥନର ଫାଇଦା ଉଠାଇ ଦମ୍ଦାର ପ୍ରଦର୍ଶନ କରିବାକୁ ଦଳ ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ଅମରଜିତ୍ ସିଂହ। ଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍) ଦଳର ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସହାୟତା କରିଛି। ସଂଘ ପକ୍ଷରୁ ଖେଳାଳିମାନଙ୍କୁ ପ୍ରସ୍ତୁତି ନିମନ୍ତେ ବିଦେଶ ପଠାଯାଇଥିଲା। ଦଳ ୟୁରୋପ ଗସ୍ତ କରି ସେଠାରେ ମ୍ୟାଚ୍ ଖେଳି ଯଥେଷ୍ଟ ଅଭିଜ୍ଞତା ଓ କୌଶଳ ସାଉଁଟିଛି। ପୁଣି ମେକ୍ସିକୋରେ ଏକ ପ୍ରତିଯୋଗିତା ଖେଳି ବିଶ୍ୱକପ୍ ପ୍ରସ୍ତୁତିକୁ ଆଗେଇ ନେଇଛି। ବିଶେଷକରି ମୁଖ୍ୟ ପ୍ରଶିକ୍ଷକ ଲୁଇସ୍ ନର୍ଟନ୍ ଡି ମାତୋସ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୭ ମାସ ପୂର୍ବରୁ ଏକାଠି ହୋଇଥିବା ଖେଳାଳିମାନେ ଆତ୍ମବିଶ୍ୱାସରେ ଭରି ରହିଛନ୍ତି। ତେଣୁ ବିଦେଶ ଗସ୍ତ ପରେ ଖେଳାଳିମାନେ ବିଶ୍ୱକପ୍କୁ ଓହ୍ଲାଇବାକୁ ଖୁବ୍ ବ୍ୟଗ୍ର ଅଛନ୍ତି। ମୋଇରାଙ୍ଗ୍ଥିମ୍ ଧୀରାଜ ସିଂହ ପ୍ରଥମ ମ୍ୟାଚ୍ରେ ଗୋଲ୍ରକ୍ଷଣ ଦାୟିତ୍ୱ ତୁଲାଇବା ସାଙ୍ଗକୁ ଦୁଇ ସେଣ୍ଟର ବ୍ୟାକ୍ ଅନ୍ଓ୍ଵାର ଅଲ୍ଲୀ ଓ ଜିତେନ୍ଦ୍ର ସିଂହ, ଫୁଲ୍ ବ୍ୟାକ୍ ସଞ୍ଜୀବ ଷ୍ଟାଲିନ୍, ରାଇଟ୍ ଫୁଲ୍ ବ୍ୟାକ୍ ହେଣ୍ଡ୍ରି ଆଣ୍ଟୋନେ, ୬ ଫୁଟ୍ ୨ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ମଧ୍ୟଭାଗ ଖେଳାଳି ଜାକ୍ସନ୍ ସିଂହ ଦଳର ପ୍ରମୁଖ ସଦସ୍ୟ ରହିବେ ବୋଲି ମୁଖ୍ୟ ପ୍ରତିକ୍ଷକ ମାତୋସ୍ କହିଛନ୍ତି। ଅଧିନାୟକ ଅମରଜିତ୍ ସିଂହ, ସୁରେଶ ସିଂହ ଓ୍ଵାନ୍ଜାମ୍ ରକ୍ଷଣଭାଗ ସମ୍ଭାଳିବାକୁ ଥିଲା ବେଳେ କୋମଲ୍ ଥଟାଲ ଓ ଅନିକେତ ଯାଦବ ଆମେରିକା ବିପକ୍ଷରେ ଖେଳିବା ନିଶ୍ଚିତ ବୋଲି ମୁଖ୍ୟ ପ୍ରଶିକ୍ଷକ ଆଭାସ ଦେଇଛନ୍ତି। ଆମେରିକା ଆକ୍ରମଣ କରିବାରେ ଓସ୍ତାଦ୍। ହେଲେ ପ୍ରତିଆକ୍ରମଣ କରିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।
ଅନ୍ୟପକ୍ଷରେ ଏକ ଶକ୍ତିଶାଳୀ ଦଳ ଭାବେ ପରିଗଣିତ ଆମେରିକା ଏହି ଗ୍ରୁପ୍ରେ ସବୁଠୁ ଅଧିକ ପସନ୍ଦ ରହିଛି। ଅଧିକାଂଶ ଆମେରିକୀୟ ଖେଳାଳି ବଡ଼ ବଡ଼ ଲିଗ୍ ଖେଳିବାର ଅଭିଜ୍ଞତା ରଖିଥିଲା ବେଳେ କେତେକ ମଧ୍ୟ ପ୍ରମୁଖ ୟୁରୋପିଆନ୍ କ୍ଲବ୍ ସହ ସାମିଲ ଅଛନ୍ତି। ତଥାପି ଉଭୟ ଭାରତ ଓ ଆମେରିକା ଦଳ ପରସ୍ପରକୁ ଭଲ ଭାବେ ଜାଣିବାର ସୁଯୋଗ ପାଇନାହାନ୍ତି। କେବଳ ୟୁରୋପ ଗସ୍ତରେ ଯାହାକିଛି ଅଭିଜ୍ଞତା ସାଉଁଟିଛି ତାକୁ ପାଥେୟ କରି ଚଳିତ ବିଶ୍ୱକପ୍ରେ ପ୍ରତିପକ୍ଷକୁ ଅଡୁଆରେ ପକାଇବାର ଲକ୍ଷ୍ୟ ରଖିଛି ଭାରତ। ତଥାପି ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଆଦୌ ହାଲ୍କାରେ ନେବୁ ନାହିଁ ବୋଲି ଆମେରିକା ମୁଖ୍ୟ ପ୍ରଶିକ୍ଷକ ଜନ୍ ହକ୍ଓ୍ଵର୍ଥ କହିଛନ୍ତି। ଆମେ ପୂର୍ବରୁ ଭାରତ ବିପକ୍ଷରେ ଥରେ ଖେଳିଛୁ। ସେମାନଙ୍କ ବିପକ୍ଷରେ ମଧ୍ୟ ସଫଳ ହୋଇଥିଲୁ। ହେଲେ ତାହା ସେତେବେଳେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ନଥିଲା କିମ୍ବା ଭାରତ ବିଶ୍ୱକପ୍ ଆୟୋଜକ ମଧ୍ୟ ନଥିଲା ବୋଲି ହକ୍ଓ୍ଵର୍ଥ ତାଙ୍କ ଖେଳାଳିମାନଙ୍କୁ ଚେତାଇ ଦେଇଛନ୍ତି। ମୁଁ ଶୁଣିଛି, ଭାରତୀୟମାନେ ଫୁଟ୍ବଲ୍ପ୍ରେମୀ। ଫୁଟ୍ବଲ୍ ପାଗଳାମୀ ଏତେମାତ୍ରାରେ ଭାରତରେ ଦେଖାଯାଏ ଯେ ପ୍ରବଳ ସମର୍ଥନ ଆଗରେ ମ୍ୟାଚ୍ ଜିତିବା ପ୍ରତିପକ୍ଷ ପାଇଁ ସହଜ ହୁଏନାହିଁ। ଭାରତ ମଧ୍ୟ ଏହି ବିଶ୍ୱକପ୍ ପାଇଁ ବହୁ ପରିଶ୍ରମ ଓ ପ୍ରସ୍ତୁତି କରିଛି। ତେଣୁ ପ୍ରଥମ ମ୍ୟାଚ୍ରେ ଆୟୋଜକ ଦେଶକୁ ପରାସ୍ତ କରିବା କଷ୍ଟକର ଆହ୍ଵାନ ବୋଲି ହକ୍ଓ୍ଵର୍ଥ କହିଛନ୍ତି। ଆମେରିକା ଦଳର ୧୭ ଜଣ ଖେଳାଳି ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ଖେଳିଥିଲେ। ଯେଉଁଥିରେ ଦଳ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲା। ଫାଇନାଲ୍ରେ ଆମେରିକା ହିଁ ମେକ୍ସିକୋଠାରୁ ହାରିଥିଲା। ତେଣୁ ଆସନ୍ତାକାଲି ଭାରତ ସହ
ଜଗିରଖି ଖେଳି ସଫଳତାର ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବୁ ବୋଲି ହକ୍ଓ୍ଵର୍ଥ କହିଛନ୍ତି।
ଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଭାରତ-ଆମେରିକା ମୁକାବିଲା ପୂର୍ବରୁ ଘାନା ଓ କଲମ୍ବିଆ ମ୍ୟାଚ୍ ଜରିଆରେ ବିଶ୍ୱକପ୍ ଉଦ୍ଘାଟିତ ହେବ। ସେହିପରି ଆସନ୍ତାକାଲି ମଧ୍ୟ ନଭି ମୁମ୍ବାଇସ୍ଥିତ ଡିଓ୍ଵାଇ ପାଟିଲ ଷ୍ଟାଡିୟମ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଗ୍ରୁପ୍-ବି’ର ଏହି ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ନ୍ୟୁଜିଲାଣ୍ଡ୍-ତୁର୍କି ଓ ପାରାଗୁଏ-ମାଲି ମୁହାଁମୁହିଁ ହେବେ।