ସମାନ ଦରମା ଦାବିକୁ ବିଚାରପତିଙ୍କ ଖାରଜ, ନିଷ୍ପତ୍ତି ବିରୋଧରେ ଆମେରିକା ମହିଳା ଫୁଟ୍‌ବଲ୍‌ ଦଳର ପିଟିସନ୍‌

ୱାସିଂଟନ୍: ପୁରୁଷ ଖେଳାଳିଙ୍କ ଭଳି ସମାନ ଦରମା ଦାବି କରି ଆମେରିକା ମହିଳା ଫୁଟ୍‌ବଲ୍‌ ଦଳର ଖେଳାଳିମାନେ ସେମାନଙ୍କ ସଂଘ ବିରୋଧରେ ଏକ ମକଦ୍ଦମା ଦାୟର କରିଥିଲା। ହେଲେ ଏହାକୁ ଏକ ଜିଲ୍ଲା ଅଦାଲତ ଗତ ୧ ତରିଖରେ ଖାରଜ କରିଦେଇଛି। ଫଳରେ ବିଚାରପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଏବେ ଆମେରିକା ମହିଳା ଫୁଟ୍‌ବଲ୍‌ ଦଳର ଖେଳାଳିମାନେ ସାନି ପିଟିସନ୍‌ ଦାୟର କରିଥିବା ଦଳର ଜଣେ ମୁଖପାତ୍ର କହିଛନ୍ତି। ଆମେରିକାରେ ପୁରୁଷ ଫୁଟ୍‌ବଲ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କୁ ଯଥେଷ୍ଟ କମ୍‌ ଦରମା ମିଳିଥିବା ଦାବି ନେଇ ମାମଲା ଦାୟର ହୋଇଥିଲା। ହେଲେ ଜିଲ୍ଲା ଅଦାଲତ ବିଜାରପତି ଆର୍‌ ଗ୍ୟାରି କ୍ଲୁଜ୍‌ନର କହିଥିଲେ, ଗତ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିବା ପୁରୁଷ ‌ଖେଳାଳିଙ୍କ ତୁଳନାରେ ବିଶ୍ବ କପ୍‌ ବିଜେତା ମହିଳା ଖେଳାଳିମାନଙ୍କୁ ଅଧିକ ଦରମା ଦିଆଯାଇଥିଲା। ତେଣୁ ଏହି ଦାବିର ଯଥାର୍ଥତା ନାହିଁ ବୋଲି କହି ମାମଲା ଖାରଜ କରିଦେଇଥିଲେ। ହେଲେ ମହିଳା ଖେଳାଳିମାନେ ତାଙ୍କ ଅଦାଲତି ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା ଖେଳାଳିଙ୍କ କହିବା କଥା ହେଲା, ସମାନ ଦରମାର ଅର୍ଥ ପୁରୁଷ ଖେଳାଳି ମ୍ୟାଚ୍‌ ଜିତିଲେ ଯେତିକି ଅର୍ଥ ପାଆନ୍ତି, ମହିଳାଙ୍କୁ ସମ ପରିମାଣ ଦିଆଯାଉ ବୋଲି ଖେଳାଳିଙ୍କ ମୁଖପାତ୍ର ମୋଲି ଲେଭିନ୍‌ସନ୍‌ କହିଛନ୍ତି। ସମାନ ଦରମା ବାବଦ କ୍ଷତିପୂରଣ ପାଇଁ ଖେଳାଳିମାନେ ୬୬ ମିଲିୟନ୍‌ ଡଲାର ଦାବି କରିଥିଲେ। ପୁଣି ମହିଳା ଖେଳାଳିମାନଙ୍କୁ କୌଣସି ଯାତ୍ରା କରିବା, ପ୍ରଶିକ୍ଷଣ ନେବା, ଗୃହନିର୍ମାଣ ଓ ଅ୍ୟାନ୍ୟ କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ସୁବିଧା ଦିଆଯାଉନାହିଁ ବୋଲି ମଧ୍ୟ ଦାବି ହୋଇଥିଲା। ଏହି ସବୁ ଦାବି ସଂପର୍କିତ ମାମଲାର ବିଚାର ଜୁନ୍‌ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି କ୍ଲୁଜ୍‌ନର କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଆମେରିକା ମହିଳା ଦଳ ନେଦରଲାଣ୍ଡ୍‌କୁ ପରାସ୍ତ କରି ଚତୁର୍ଥ ଥର ପାଇଁ ବିଶ୍ବ କପ୍‌ ଜିତିଥିଲା। ଗତବର୍ଷ ବିଶ୍ବକପ୍‌ ବେଳେ ଷ୍ଟାଡିୟମ୍‌ ସାରା ”ସମାନ ଦରମା, ସମାନ ଦରମା‌” ବୋଲି ଦାପିପତ୍ର ଦେଖିବାକୁ ମିଳିଥିଲା। ଗତମାସରେ ଆମେରିକା ଫୁଟ୍‌ବଲ ସଭାପତି କାର୍ଲୋସ୍‌ କୋର୍ଡିଏରୋ ଅଦାଲତରେ କଟୁ ମନ୍ତବ୍ୟ ବ୍ୟବହାର ପାଇଁ ପଦରୁ ଇସ୍ତଫା ଦେଇଥିଲେ। ଫୁଟ୍‌ବଲ୍‌ ଖେଳ ଆସିଗଲେ ପୁରୁଷ ଖେଳାଳିଙ୍କ ତୁଳନାରେ ସେମାନେ ଅବହେଳିତ ହେଉଥିବା କଥା ମହିଳା ଖେଳାଳିମାନେ ଉଠାନ୍ତି ବୋଲି କାର୍ଲୋସ୍‌ କହିଥିଲେ। ତାଙ୍କର ଏଭଳି ପ୍ରସ୍ତାବକୁ ଘୋର ବିରୋଧ କରିଥିବା କେତେକ ଖେଳାଳି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯେଉଁଥିପାଇଁ କାର୍ଲୋସ୍‌ ପଦତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର