ନୂଆଦିଲ୍ଲୀ: ୨୦୧୪ରେ ଭାରତରେ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଆୟୋଜନ ହୋଇପାରିନଥିଲା। ଫଳରେ ଏହି ଚର୍ଚ୍ଚିତ ତଥା ଲୋଭନୀୟ ଲିଗ୍ ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍ସ) ଯାଇଥିଲା। ସେହି ସଂସ୍କରଣ ଆୟୋଜନ କରିଥିବା ୟୁଏଇ ପୁଣି ଥରେ ଆଇପିଏଲ୍ ଆୟୋଜନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥର କରୋନା ମହାମାରୀ ବିଶ୍ବବ୍ୟାପୀ ତା'ର ପ୍ରକୋପ ଦେଖାଉଥିଲା ବେଳେ ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କରୋନା ଜନିତ ବିଭିନ୍ନ କଟକଣା ପାଇଁ ଚଳିତ ବର୍ଷ ଆଇପିଏଲ୍ ଭାରତରେ ଆୟୋଜନ ହେବାର ଆଶା କ୍ଷୀଣ ରହିଛି। ଏପରି ସ୍ଥଳେ ଶ୍ରୀଲଙ୍କା, ୟୁଏଇ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟ ଏହାକୁ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ନ୍ୟୁଜିଲାଣ୍ଡ ନିଜ ମତରୁ ଓହରି ଯାଇଥିଲା ବେଳେ ଶ୍ରୀଲଙ୍କା ଆୟୋଜନ ଆଶାରେ ରହିଛି। ହେଲେ ଭାରତୀୟ କ୍ରିକେଟ୍ ବୋର୍ଡ ୟୁଏଇରେ ଏହାକୁ ଆୟୋଜନ କରିବା ସପକ୍ଷରେ ରହିଛି।
ଚଳିତ ମାସ ୨୪ ତାରିଖରେ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ଆୟୋଜନ ଭେନ୍ୟୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଯଦି ୟୁଏଇରେ ଏହା ହୁଏ ତାହାଲେ ସେଠାରେ ଦ୍ବିତୀୟ ଥର ଆଇପିଏଲ୍ ଆୟୋଜନ ହେବ। ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଆଇସିସି ବାତିଲ କରିଦେବା ପରେ ଏହାକୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ କରାଇବାକୁ ବିସିସିଆଇ ବାଟ ବାହାର କରିଛି। ହେଲେ ଦେଶ ବାହାରକୁ ଆଇପିଏଲ୍କୁ ନେବା ବ୍ୟତୀତ ବିସିସିଆଇ ନିକଟରେ ଅନ୍ୟକିଛି ବିକଳ୍ପ ନାହିଁ। ଅନ୍ୟପକ୍ଷରେ ଆୟୋଜନ ପାଇଁ ଆଶାୟୀ ଥିବା ଉଭୟ ୟୁଏଇ ଏବଂ ଶ୍ରୀଲଙ୍କାରେ କରୋନା ସଂକ୍ରମଣର ମାତ୍ରା ଯଥେଷ୍ଟ କମ୍ ରହିଛି। ତେବେ ୟୁଏଇ କାହିଁକି ବିସିସିଆଇ ପାଇଁ ଶ୍ରେଷ୍ଠ ବିକଳ୍ପ ସେନେଇ ସମସ୍ତଙ୍କର ଜାଣିବାର ଆବଶ୍ୟକତା ରହିଛି।
ୟୁଏଇ କାହିଁକି?
ଆଇପିଏଲ୍ ଆୟୋଜନ ପାଇଁ କାହିକି ୟୁଏଇ ଶ୍ରେଷ୍ଠ ବିକଳ୍ପ ତାହାର ପ୍ରଥମ କାରଣ ହେଲା ଏହା ପୂର୍ବରୁ ୟୁଏଇ ମଧ୍ୟ ଆୟୋଜକ କରିସାରିଛି। ଦ୍ବିତୀୟରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଆନ୍ତର୍ଜାତିକ ଶୃଙ୍ଖଳା ଯେଭଳି କରୋନା ମହାମାରୀ କଟକଣା ଜନିତ ଜୈବ ସୁରକ୍ଷିତ ପରିବେଶରେ ଖେଳାଯାଇଛି, ସେପରି ପାଖାପାଖି ସୁବିଧା ୟୁଏଇରେ ରହିଛି। ପୁଣି ଦୁବାଇ ସ୍ପୋର୍ଟସ ସିଟିରେ ଦୁବାଇ ଇଣ୍ଟରନ୍ୟାସ୍ନାଲ ଷ୍ଟାଡିୟମ୍ ଏବଂ ଆଇସିସି ଏକାଡେମି ରହିଛି। ଉଭୟ ଭେନ୍ୟୁ ଟ୍ବେଣ୍ଟି-୨୦ ଲିଗ୍ ପାଇଁ ପୂରା ପ୍ରସ୍ତୁତ ରହିଛି। ଷ୍ଟାଡିୟମ୍ରେ ମୋଟ ୯ଟି ପିଚ୍ ରହିଛି। ଏଠାରେ କମ୍ ସମୟ ସୀମା ମଧ୍ୟରେ ଏକାଧିକ ମ୍ୟାଚ୍ ଖେଳାଯାଇପାରିବ। ସେହିସବୁ ୱିକେଟ୍ ବା ପିଚ୍ଗୁଡ଼ିକୁ ସତେଜ ରଖିବା ପାଇଁ ଆମେ ଆଇପିଏଲ୍ ପୂର୍ବରୁ ଅନ୍ୟକୌଣସି ମ୍ୟାଚ୍ ସୂଚୀ ରଖିବୁନି ବୋଲି ଦୁବାଇ ସ୍ପୋର୍ଟସ ସିଟିର କ୍ରିକେଟ୍ ଓ ଇଭେଣ୍ଟ୍ ମୁଖ୍ୟ ସଲ୍ମନ ହନିଫ୍ କହିଛନ୍ତି। କେବଳ ଆଇସିସି କଂପ୍ଲେକ୍ସରେ ୩୮ ୱିକେଟ୍ ରହିଥିଲା ବେଳେ ଟର୍ଫ ୱିକେଟ୍ ଏବଂ ଗରମକୁ ପ୍ରତିହତ କରିବା ପାଇଁ ଇନ୍ଡୋର ସୁବିଧା ମଧ୍ୟ ରହିଛି ବୋଲି ସେ କହିଛନ୍ତି।
ଆୟୋଜକ ଓ ଫ୍ରାଞ୍ଚାଇଜ୍ଙ୍କ ପାଇଁ ଉନ୍ନତ କାର୍ଯ୍ୟଧାରା
ଆଇପିଏଲ୍ ଆୟୋଜନ ପାଇଁ ୟୁଏଇକୁ ବାଛିବାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ବିମାନ ସଂଯୋଗ। ଯାହା ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଢେର ଉନ୍ନତ। ପୁଣି ୟୁଏଇରେ ଅଧୁନିକ ଉନ୍ନତ ମାନର ଭିତ୍ତିଭୂମି ଏବଂ ଅଭ୍ୟାସ ସୁବିଧାସୁଯୋଗ ମଧ୍ୟ ରହିଛି। ଫ୍ରାଞ୍ଚାଇଜ୍ଙ୍କୁ ଅଧିକ ନିରାପଦ ଏବଂ ଅତ୍ୟଧିକ ପରିଚାଳନାଗତ ବିକଳ୍ପ ୟୁଏଇ ପ୍ରଦାନ କରିଥାଏ। ପୁଣି ସାର୍ଜା ମାତ୍ର ୩୦ ମିନିଟ୍ ଏବଂ ଆବୁଧାବି ଦେଢ଼ଘଣ୍ଟାର ବାଟ ରହୁଥିବାରୁ ଖେଳାଳିମାନେ ସାଧାରଣତଃ ଦୁବାଇରେ ଅବସ୍ଥାନ କରିବାକୁ ଅଧିକ ପସନ୍ଦ କରନ୍ତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଭିତ୍ତିରେ ଫ୍ରାଞ୍ଚାଇଜ୍ଗୁଡ଼ିକ ଦଳମାନଙ୍କ ପାଇଁ ମୂଳଦୁଆ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଜେଡବ୍ଲୁ ମାରିଓଟ୍ ଗ୍ରୁପ୍ ସହ ବ୍ୟାବସାୟିକ ସହଭାଗିତା ଥିବା ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ଦୁବାଇ ସମ୍ପତ୍ତି ଉପରେ ମୂଳଭିତ୍ତି ପ୍ରତିଷ୍ଠା କରିବାକୁ ଯୋଜନା କରିଚାଲିଛି। ଅନ୍ୟ ଫ୍ରାଞ୍ଚାଇଜ୍ଗୁଡ଼ିକ ମଧ୍ୟ ସେଠାରେ ସମାନ ଧରଣର ହବ୍ ଯୋଜନାରେ ରହିଥିବ ଜଣାପଡ଼ିଛି।
ଆଧୁନିକ କ୍ରିକେଟ୍ ଷ୍ଟାଡିୟମ୍
ୟୁଏଇରେ ଉନ୍ନତମାନର ଷ୍ଟାଡିୟମ୍ ରହିଥିବା କୁହାଯାଉଛି। ସେଠାରେ ଦୁଇଟି ଟେଷ୍ଟ୍ ଭେନ୍ୟୁ ଏବଂ ଲିଷ୍ଟ୍-ଏ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ତିନିଟି ଅନ୍ୟ ଗ୍ରାଉଣ୍ଡ ରହିଛି। ୟୁଏଇର ଆବୁଧାବିରେ ସେଖ୍ ଜୟେଦ୍ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସାର୍ଜାରେ ସାର୍ଜା କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ରହିଛି। ଦୁବାଇରେ ମଧ୍ୟ ଆଇସିସି କ୍ରିକେଟ୍ ଏକାଡେମି ନଂ-୧ ଏବଂ ଦୁବାଇ କ୍ରିକେଟ୍ କାଉନ୍ସିଲ ଗ୍ରାଉଣ୍ଡ ରହିଛି। ଦୁବାଇ ଇଣ୍ଟରନ୍ୟାସ୍ନାଲ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସାର୍ଜା କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ଦୁଇଟି ହେଲା ଟେଷ୍ଟ୍ ଭେନ୍ୟୁ। ଅନ୍ୟପକ୍ଷରେ ଆଇସିସି କ୍ରିକେଟ୍ ଏକାଡେମି ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଆୟୋଜନ କରିଛି। ସେଖ୍ ଜୟେଦ୍ ଷ୍ଟାଡିୟମ୍ରେ ୨୦୧୮ରେ ୟୁଏଇ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ କରିଥିଲା।
ଦର୍ଶକଙ୍କୁ ମିଳିପାରେ ଅନୁମତି
କୋଭିଡ୍-୧୯ ମହାମାରୀ ପରିସ୍ଥିତି ୟୁଏଇରେ ନିୟଂତ୍ରଣରେ ରହିଛି। ଏହାକୁ ବିଚାରକୁ ନେଇ ଆଇପିଏଲ୍ ଆୟୋଜନ ବେଳେ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବା ପାଇଁ ଦର୍ଶକ ତଥା ପ୍ରଶଂସକଙ୍କୁ ୟୁଏଇରେ ଅନୁମତି ମିଳିପାରେ। ୟୁଏଇରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ରୁ ଅଧିକ ରହିଥିଲା ବେଳେ ୩୦୦ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିଲା ବେଳେ ମୃତ୍ୟୁ ସଂଖ୍ୟା ୨୫,୦୦୦ ଟପିଗଲାଣି। ତଥାପି ଷ୍ଟାଡିୟମ୍କୁ ଦର୍ଶକଙ୍କୁ ଅନୁମତି ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରିବ। ସବୁକିଛି ସ୍ଥିର କରିବା ପୂର୍ବରୁ ଆମେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା କରିବୁ। ଏବେ ବି ସମୟ ରହିଛି। କିନ୍ତୁ ଆମେ ପ୍ରଥମେ ଆଇପିଏଲ୍ ଆୟୋଜନ ସୁଯୋଗ ମିଳିପାରୁଛି ନା ନାହିଁ ଜାଣିବା ପରେ ଅନ୍ୟ ସବୁ ବିଚାରକୁ ନେବୁ ବୋଲି କହିଛନ୍ତି ଇସିବି (ଏମିରେଟ୍ସ କ୍ରିକେଟ୍ ବୋର୍ଡ)ର ମହା ପ୍ରବନ୍ଧକ ମୁବାସିର୍ ଉସ୍ମାନି।
୨୦୧୪ ସଂସ୍କରଣର ଆୟୋଜକ
ଗତ ୨୦୧୪ ସଂସ୍କରଣକୁ ଆୟୋଜନ କରିଥିଲା ୟୁଏଇ। ସେତେବେଳେ ତିନିଟି ଭେନ୍ୟୁ (ଦୁବାଇ ଇଣ୍ଟରନ୍ୟାସ୍ନାଲ କ୍ରିକେଟ୍ ଷ୍ଟାଡିୟମ୍, ସେଖ୍ ଜୟେଦ୍ ଷ୍ଟାଡିୟମ୍ ଆବୁଧାବି ଏବଂ ସାର୍ଜା କ୍ରିକେଟ୍ ଷ୍ଟାଡିୟମ୍)ରେ ବାଣ୍ଟିକୁଣ୍ଟି ମ୍ୟାଚ୍ ସବୁ ଖେଳାଯାଇଥିଲା। ସେହି ସଂସ୍କରଣରେ ସାର୍ଜା ୬ ମ୍ୟାଚ୍ ଆୟୋଜନ କରିଥିଲା ବେଳେ ଦୁବାଇ ଏବଂ ଆବୁଧାବି ୭ ଲେଖାଏଁ ମ୍ୟାଚ୍ ଆୟୋଜନ କରିଥିଲେ।