ଆର୍‌ସିବି ପ୍ରଶିକ୍ଷଣ ଶିବିରରେ ୟୁଏଇ କ୍ରିକେଟର୍‌, ଅଭ୍ୟାସ ମ୍ୟାଚ୍‌ରେ କୋହଲିଙ୍କୁ ମାତ୍‌ ଦେଲେ ଚହଲ

ଦୁବାଇ: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୨୧ ତାରିଖ ଦିନ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ। ଏଥିପାଇଁ ଆର୍‌ସିବି ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ଆର୍‌ସିବିର ପ୍ରଶିକ୍ଷଣ ଶିବିରରେ ୟୁଏଇର ଦୁଇ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିଛି। ୟୁଏଇ ଅଧିନାୟକ ଅହମ୍ମଦ ରାଜା ଏବଂ ଯୁବ ତାରକା କାର୍ତିକ ମିୟାପାନ ଆର୍‌ସିବି ଦଳ ସହ ପ୍ରଶିକ୍ଷଣ ନେଉଛନ୍ତି। ରାଜା ଦୁବାଇସ୍ଥିତ ଦଳୀୟ ହୋଟେଲରେ ବାଧ୍ୟତାମୂଳକ ସଂଗରୋଧ ଅବଧି ପୂରଣ କରି କୋହଲିଙ୍କ ଦଳ ସହ ଅଭ୍ୟାସ ଚଳାଇଛନ୍ତି। ରାଜା ଜଣେ ବାମହାତୀ ସ୍ପିନର। ଆର୍‌ସିବି ବୋଲିଂ ପ୍ରଶିକ୍ଷକ ଶ୍ରୀଧରନ୍‌ ଶ୍ରୀରାମଙ୍କ ସୁପାରିସ ବଳରେ ଦଳୀୟ ଶିବିର‌ରେ ସାମିଲ ହୋଇଛନ୍ତି।

ଅଷ୍ଟ୍ରେଲିଆ ଦଳର ୟୁଏଇ ଗସ୍ତ ବେଳେ ଶ୍ରୀଧରନ୍‌ ମଧ୍ୟ ୟୁଏଇ ଅଧିନାୟକଙ୍କୁ ସ୍ପିନ୍‌ ପରାମର୍ଶଦାତା ଭାବେ ସହାୟତା କରିଥିଲେ। ଆର୍‌ସିବି ଶିବିରରେ ମୋତେ ୟୁଏଇ ଅଧିନାୟକ ଭାବେ ଶ୍ରୀଧରନ୍‌ ତାଙ୍କ ଖେଳାଳିଙ୍କ ସହ ପରିଚିତ କରାଇଥିଲେ। ତାଙ୍କର ଏଭଳି ବ୍ୟବହାର ମୋତେ ଉତ୍ସାହିତ କରିଛି। ଏପରିକି ଏବି ଡିଭିଲିୟର୍ସଙ୍କ ଭଳି ଖେଳାଳି ମୋ ପାଖକୁ ଆସି ସହାୟତା ପାଇଁ ଧନ୍ୟବାଦ ବୋଲି କହିବା ବାସ୍ତବରେ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ରାଜା। ରାଜା ୟୁଏଇ ଦଳ ସହ ୧୪ ବର୍ଷ ଧରି ରହିଛନ୍ତି। ତାଙ୍କୁ ଏବେ ଜୈବ ବଳୟ ମଧ୍ୟରେ ରହିବା ସଂପର୍କରେ ପଚରାଯିବାରୁ ଏହା କିଛିଟା ଅଡୁଆ ଲାଗୁଛି; ହେଲେ ଆଇପିଏଲ୍‌ ଏବଂ ଆର୍‌ସିବିକୁ ସବୁ ଶ୍ରେୟ ଯିବ ବୋଲି ରାଜା କହିଛନ୍ତି। ସେହିପରି ଆର୍‌ସିବି ଶିବିରରେ ସାମିଲ ହୋଇଥିବା ୧୯ ବର୍ଷ ବୟସ୍କ ମିୟାପାନ୍‌ ଜଣେ ଲେଗ୍‌ସ୍ପିନର। ସେ ୟୁଏଇ ପାଇଁ ୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି।

ଦୁବାଇ: ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଆଉ ଚାରି ଦିନ ପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ବୁଧବାର ଏକ ଅନ୍ତଃଦଳୀୟ ଅଭ୍ୟାସ ‌ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଗୋଟିଏ ଦଳର ନେତୃତ୍ବ ୟୁଜବେନ୍ଦ୍ର ଚହଲ ନେଇଥିଲା ବେଳେ ଅନ୍ୟ ଦଳର ଅଧିନାୟକ ବିରାଟ କୋହଲି ଥିଲେ। ଏହି ମ୍ୟାଚ୍‌ରେ ଚହଲଙ୍କ ଦଳ ବିଜୟୀ ହୋଇଥିଲା। ଚହଲଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ଏବି ଡି’ଭିଲିୟର୍ସଙ୍କ ୪୩ ରନ୍‌ (୩୩ ବଲ୍‌) ବଳରେ ୧୨୬ ରନ୍‌ କରିଥିଲା। ବିପକ୍ଷ ଦଳର ୱାସିଂଟନ ସୁନ୍ଦର ୪ ଓଭରରେ ୧୧ ରନ୍‌ ଦେଇ ୨ ୱିକେଟ୍‌ ନେଇଥିଲେ। ଜବାବ‌ରେ ସାହବାଜ ଅହମ୍ମଦ (୩/୧୩)ଙ୍କ ସୁନ୍ଦର ବୋଲିଂକୁ ସାମ୍ନା କରିନପାରି କୋହଲିଙ୍କ ଦଳ ପରାଜିତ ହୋଇଥିଲା। ୱିକେଟ୍‌ରେ ଭଲ ଟର୍ନ ନେଉଥିବାରୁ ପିଛା କରିବା କଷ୍ଟକର ଥିଲା ବୋଲି ସାହବାଜ କହିଛନ୍ତି।

ସମ୍ବନ୍ଧିତ ଖବର