ବ୍ୟାଙ୍କକ୍‌: ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ-ଏ ପରାଜୟ ବରଣ କରିଛି। ୟୁଏଇ ମହିଳା ଦଳ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ-ଏ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଚାଲିଥିଲା ଓ ଶେଷ ପର୍ଯ୍ୟନ୍ତ ବିପର୍ଯ୍ୟୟରୁ ଉଠି ପାରିନଥିଲା।

Advertisment

ତେବେ ଅନୁଷ୍କା ଶର୍ମା (୪୭) ଓ ତନୁଜା କନଓ୍ବେର୍‌ (୩୪) ଲଢୁଆ ବ୍ୟାଟିଂ କରି ଏକ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଭାରତ-ଏ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୩୦ ରନ କରିଥିଲା। ୟୁଏଇ ପକ୍ଷରୁ ସମୈରା ଧରଣୀଧରକା ୪୦ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବାବେଳେ ବୈଷ୍ଣବୀ ମହେଶ ଓ ଅଧିନାୟିକା ଇଶା ଓଜା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଆହୁରି ପଢ଼ନ୍ତୁ: Fine On Air India: ଉଡ଼ାଣ ଉପଯୁକ୍ତ ପରମିଟ୍‌ ନଥାଇ ଆଠ ଥର ଏୟାରବସ୍‌ ବିମାନର ଉଡ଼ାଣ

୧୩୧ ରନ୍‌ର ଲକ୍ଷ୍ୟକୁ ୟୁଏଇ ୧୯.୨ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ଇଶା ଓଜା ୭୧ ରନ୍‌ର ଏକ ମ୍ୟାଚ୍‌ବିଜୟୀ ପା​ଳି ଖେଳିଥିବାବେଳେ ସମୈରା ଧରଣୀଧରକା ୩୪ ରନ୍‌ର ଯୋଗଦାନ ଦେଇଥିଲେ। ଭାରତ ପକ୍ଷରୁ ଅଧିନାୟିକା ରାଧା ଯାଦବ, ତନୁଜା କନଓ୍ବେର୍‌ ଓ ପ୍ରେମା ରାଓ୍ବତ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଇଶାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।