ଆଉ ଏକ ଇତିହାସ ରଚ‌ିବେ ଉଦୀପ୍ତ, ମାଉଣ୍ଟେନ୍‌ ବାଇକ୍‌ କ୍ରସ୍‌-କଣ୍ଟ୍ରିରେ ଭାଗନେବେ

ଉଦୀପ୍ତଙ୍କ ଖେଳ ଜୀବନ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାରେ ଆଉ ଏକ ଏକ ନୂଆ ଫର୍ଦ ଯୋଡ଼ିବାକୁ ଯାଉଛନ୍ତି ଉଦୀୟମାନ ମୋଟୋସ୍ପୋର୍ଟ ତାରକା ଉଦୀପ୍ତ କୁମାର ରଥ। ପୂର୍ବରୁ ଫ୍ରିଷ୍ଟାଇଲ୍‌ ଷ୍ଟଣ୍ଟ୍‌ ରାଇଡର୍‌ ଥିବା ଉଦୀପ୍ତ ଏବେ ଜଣେ ପେସାଦାର ମୋଟୋରସାଇକେଲ୍‌ ସର୍କିଟ୍ ରେସର୍‌ ଭାବେ ଜଣାଶୁଣା। ଓଡ଼ିଶା ପାଇଁ ଏ କ୍ଷେତ୍ରରେ ନୂଆ ଦିଶା ଦେଖାଇଥିଲେ। ତେବେ ଖୁବ୍ ଶୀଘ୍ର ଉଦୀପ୍ତ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍‌ ଭାବେ ମାଉଣ୍ଟେନ୍‌ ବାଇକ୍‌ କ୍ରସ୍‌ କଣ୍ଟ୍ରି ଚାମ୍ପିଅନସିପ୍‌ରେ ଭାଗ‌ ନେଇ ନୂଆ ଅଧ୍ୟାୟ ସଂଯୋଗ କରିବାକୁ ଯାଉଛନ୍ତି। ମା‌ଉଣ୍ଟେନ୍ ବାଇକ୍ କ୍ରସ୍‌ କଣ୍ଟ୍ରି ଏକ ଅଲିମ୍ପିକ୍‌ କ୍ରୀଡ଼ା ହୋଇଥିବାରୁ ଉଦୀପ୍ତ ଏହାକୁ ପସନ୍ଦ କରିବା ସହ ଭଲ ପ୍ରଦର୍ଶନ କରିବାକୁ ଆତ୍ମବିଶ୍ବାସ ରଖିଛନ୍ତି। ଷ୍ଟଷ୍ଟ୍‌ ରାଇଡିଂ, ସର୍କିଟ୍‌ ରେସିଂର ଅଭିଜ୍ଞତାକୁ ଉପଯୋଗ କରି ଉଦୀପ୍ତ ମାଇଣ୍ଟେନ୍‌ ବାଇକ୍‌ ଦୁନିଆରେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିବାକୁ ମଧ୍ୟ ମନସ୍ଥ କରିଛନ୍ତି। ‌

ଷ୍ଟଣ୍ଟ୍‌ ରାଇଡିଂ ଓ ‌ସର୍କିଟ ରେସିଂ ତୁଳନାରେ ମାଉଣ୍ଟେନ୍ ବାଇକିଂରେ ସଡକ ବାହାରେ ଗାଡ଼ି ଚଳାଇବାକୁ ପଡ଼ିବ। ଉଦୀପ୍ତ କିନ୍ତୁ କହିଛନ୍ତି ଦୁଇ ଚକିଆର ସ୍ଥିତି ସମ୍ପର୍କରେ ମୁଁ ଭଲ ଭାବେ ପରିଚିତ ଥିବାରୁ ଏହା ମୋ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ମାଉଣ୍ଟେନ୍ ବାଇକ୍‌ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତା ପୂର୍ବରୁ ଉଦୀପ୍ତ ମଧ୍ୟ ଗତ ଏପ୍ରିଲ୍‌ ମାସରେ ଜୟପୁର ଓ ଡେରାଡୁନରେ ଦୁଇଟି ପ୍ରମୁଖ ପ୍ରତିଯୋଗିତାରେ ଭାଗ ନେଇ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି। ଏପ୍ରିଲ୍‌ ୧୧ ଓ ୧୪ ତାରିଖରେ ଅନୁଷ୍ଠିତ ଏହି ଦୁଇ ଫୁଟ୍‌ହିଲ୍ ଚାଲେଞ୍ଜ ପ୍ରତିଯୋଗିତାରେ ସଫଳତାର ସହ ଅଂଶଗ୍ରହଣ କରିବା ପରେ ଉଦୀପ୍ତଙ୍କ ଆଶା ମଧ୍ୟ ବଢ଼ିଯାଇଛି। ତୃତୀୟ ପ୍ରତିଯୋଗିତା ଭାବେ ଶିମଳାରେ ଅନୁଷ୍ଠିତ ହେବାକୁ ଥିବା ଏସିଆର ବୃହତ ମାଉଣ୍ଟେନ୍‌ ରେସରେ ମଧ୍ୟ ଅଂଶଗ୍ରହଣ କରିବେ। ଅଭିଜ୍ଞତା ହାସଲ କରିବା ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଉଦୀପ୍ତ। ମୋଟର ବାଇକିଂ ଏବଂ ମାଉଣ୍ଟେନ୍‌ ବାଇକିଂ ମଧ୍ୟରେ ଫରକ ରହିଥିଲେ ମଧ୍ୟ ଆବଶ୍ୟକ ଦକ୍ଷତାରେ ଅନେକ ସାମଜ୍ଞସ୍ୟ ରହିଛି।

ଏହା ମୋତେ ପ୍ରଭାବିତ କରିବ ନାହିଁ କି ମୁଁ ମୋ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବି ନାହିଁ ବୋଲି ୨୮ ବର୍ଷୀୟ ଏହି ସାହସୀ ଓଡ଼ିଆ କ୍ରୀଡ଼ାବିତ୍‌ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ଏହି କ୍ରୀଡ଼ାରେ ନିଜ ଖେଳ ଜୀବନକୁ ଆଗକୁ ନେବା ପୂର୍ବରୁ ଭୁବନେଶ୍ବରର ଟ୍ରାକ୍‌ ଆଣ୍ଡ୍‌ ଟ୍ରାଏଲ୍‌ ମଧ୍ୟ ସହାୟତାର ହାତ ବଢ଼ାଇଛି। ଅଲିମ୍ପିକ୍ସରେ ନ ପହଞ୍ଚିବା ପର୍ଯ୍ୟନ୍ତ ଉଭୟ ନଛୋଡ଼ବନ୍ଧା ରହିବେ‌ ବୋଲି ସଙ୍କଳ୍ପ ନେଇଛନ୍ତି। ଅତୀତ ପୃଷ୍ଠାରୁ ଆମେ ଜାଣୁଛୁ ଉଦୀପ୍ତ ଜଣେ ଉତ୍ସର୍ଗିକୃତ ଖେଳାଳି ଓ କଠିନ ପରିଶ୍ରମୀ। ମାଉଣ୍ଟେନ୍ ବାଇକ୍ ତାଲିମ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଉପରେ ଆମ କାମ କରୁଛୁ। କୋଭିଡ୍‌ ପାଇଁ ପରିସ୍ଥିତି ଭିନ୍ନ ଥିଲେ ବି ଆମେ ଲକ୍ଷ୍ୟ ପଥରେ ରହିଛୁ। ଏହା ନୁହେଁ ଯେ ଉଦୀପ୍ତ ମୋଟୋରସାଇକେଲ୍‌ ରେସିଂ ଛାଡ଼ିଦେବେ। ମାଉଣ୍ଟେନ୍ ବାଇକିଂ ସହିତ ମୋଟୋରସାଇକେଲିଂରେ ବିଶ୍ବ ପ୍ରତିଯୋଗିତା ଖେଳିବା ମଧ୍ୟ ଲକ୍ଷ୍ୟ ରହିଛି। ଲକ୍ଷ୍ୟପଥରୁ କେବେ ବିଚ୍ୟୁତ ହେବାର ନାହିଁ’ ବୋଲି ତାଙ୍କ କ୍ରୀଡ଼ା ପ୍ରବଂଧକ ଏନ କାର୍ତ୍ତିକ ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ସଫଳତା ପାଇଁ ଉଦୀପ୍ତଙ୍କୁ ରାଜ୍ୟର କର୍ପୋରେଟ୍‌ ହାଉସ୍‌ଗୁଡିକର ସମର୍ଥନ ଲୋଡ଼ା ବୋଲି ମଧ୍ୟ ସ‌େ ଅନୁରୋଧ କରିଛନ୍ତି।

ଓଡ଼ିଶା‌ରେ ବହୁ ପାହାଡ ଓ ପାର୍ବତ୍ୟାଞ୍ଚଳ ଥିବାରୁ ରାଜ୍ୟରେ ମାଉଣ୍ଟେନ୍ ବାଇକିଂର ଏକ ସଂସ୍କୃତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଟ୍ରାକ୍‌ ଓ ଟ୍ରାଏଲ୍‌ ଉଦୀପ୍ତଙ୍କୁ ସହାୟତା କରିବାକୁ ହାତ ବଢ଼ାଇଛି। ଏଥି ସହ ସାଇକ୍ଲିଂ ପରମ୍ପରାକୁ ମଧ୍ୟ ଆଗକୁ ନେବାକୁ ଆଗ୍ରହୀ ରହିଛନ୍ତି। ଓଡ଼ିଶାରେ ବହୁ ସାଇକ୍ଲିଂଷ୍ଟ୍ ରହିଥିଲେ ମଧ୍ୟ ସେମାନେ ପ୍ରତିଯୋଗିତାରେ ଭାଗନେବାର ବ୍ୟବସ୍ଥାଠାରୁ ଦୂରରେ ରହିଛନ୍ତି। ଓଡ଼ିଶା‌ରେ ମଧ୍ୟ ଖୁବ୍ ଶୀଘ୍ର କିଛି ଜାତୀୟ ପ୍ରତିଯୋଗିତା କରିବାର ଯୋଜନା ରହିଛି। ରାଜ୍ୟରେ ସାଇକ୍ଲିଂ ଓ ଫିଟନେସ୍‌ ସହିତ ସ୍ବାସ୍ଥ୍ୟ ସଚେତନତା ଆଣିବା ଆମ ଲକ୍ଷ୍ୟ ବୋଲି ଟ୍ରାକ୍ ଆଣ୍ଡ୍ ଟ୍ରାଏଲ୍‌ର ମାଲିକ ସୁରଜିତ ମଲ୍ଲିକ ପ୍ରକାଶ କରିଛନ୍ତି। ଉଦୀପ୍ତଙ୍କ ଖେଳ ଜୀବନର ଉଜ୍ବଳ ଭବିଷ୍ୟତ ମଧ୍ୟ କାମନା କରିଛି ଟ୍ରାକ୍‌ ଆଣ୍ଡ୍ ଟ୍ରାଏଲ୍‌।

ଉଦୀପ୍ତଙ୍କ ଖେଳ ଜୀବନ
ଯାଜପୁରର ଛାଟରାୟପୁରର ମୂଳ ଅଧିବାସୀ ଉଦୟ କୁମାର ଓ ରମାବତୀ ମିଶ୍ରଙ୍କ ବଡ଼ ପୁଅ ହେଉଛନ୍ତି ଉଦୀପ୍ତ। ‌ତେବେ ଢ଼େଙ୍କାନାଳ ଭୁବନର ପାଣିପବନରେ ବଢ଼ି ପଢ଼ି ବାଲ୍ୟ ଜୀବନ କାଟିଥିଲେ। ପରିବାରଠାରୁ ଭଲ ସମର୍ଥନ ପାଇ ଏଭଳି ଆଣପାରମ୍ପରିକ ସାହସିକ କ୍ରୀଡ଼ାରେ ଆଗକୁ ବଢ଼ିଛନ୍ତି। ମାତ୍ର ୧୧ ବର୍ଷ ବୟସରୁ ବାଇକ୍‌ ପ୍ରତି ଦୁର୍ବଳତା ରଖିଥିବା ଏହି ଓଡ଼ିଆ ପୁଅ କ୍ରମେ ରେସିଂ ଓ ମୋଟୋରସ୍ପୋର୍ଟ ପ୍ରତି ଆକୃଷ୍ଟ ହୋଇଥିଲେ। ମାତ୍ର ୧୫ ବ‌ର୍ଷ ବୟସରେ ସେ ଷ୍ଟଣ୍ଟ୍ ରାଇଡିଂ କରି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ଚେନ୍ନାଇରେ ରହି ବିଧିବଧ ତାଲିମ ମଧ୍ୟ ନେଇଥିଲେ। ପ୍ରାୟ ୮ ବର୍ଷ ଫ୍ରିଷ୍ଟାଇଲ୍‌ ମୋଟୋରସାଇକେଲ୍ ଷ୍ଟଣ୍ଟ୍‌ ରାଇଡିଂ କରିବା ପରେ ଓଡ଼ିଶାର ପ୍ରଥମ ରେସର୍ ଭାବେ ଜାତୀୟ ମୋଟରସାଇକେଲ୍‌ ରେସିଂ ପ୍ରତିଯୋଗିତା ଏବଂ ମାଲେସିଆ ସୁପର୍‌ ବାଇକ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଗୌରବ ଆଣିଥିଲେ। ମାଲେସିଆରେ ଅଷ୍ଟମ ସ୍ଥାନରେ ରହିବା ତାଙ୍କ ପାଇଁ ଶ୍ରେଷ୍ଠ ଥିଲା। ଭାରତରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ ଟିଭିଏସ୍‌ ୱାନ୍‌ ମେକ୍‌ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ଏବେ ଷ୍ଟଣ୍ଟ୍ ରାଇଡିଂ ଛାଡ଼ି କେବଳ ମୋଟରବାଇକିଂ ଓ ମା‌ଉଣ୍ଟେନ୍ ବାଇକିଂ ଉପରେ ମୁଁ ଏକାଗ୍ର ରହିଛି ବୋଲି ପ୍ରକାଶ କରିଛନ୍ତି ଉଦୀପ୍ତ।

ସମ୍ବନ୍ଧିତ ଖବର